ଉନ୍ମୋଚନ ହେଲା ଉପନ୍ୟାସିକା ‘ପାପ’ ଓ ‘ପ୍ରଣତିର ପ୍ରେମିକମାନେ’

ଭୁବନେଶ୍ୱର: ଏକ ସଫଳ ଲେଖାର ମୂଲ୍ୟାୟନ କେବଳ ଦୁଇଜଣ ବ୍ୟକ୍ତି କରିପାରନ୍ତି। ଜଣେ ସ୍ରଷ୍ଟା ଓ ଆଉ ଜଣେ ବିଦଗ୍ଧ ପାଠକ। ଆଜି ରେଡକ୍ରସ୍ ଭବନରେ ଅନୁଷ୍ଠିତ, ଜଣାଶୁଣା କଥାକାର ଅମରେଶ ବିଶ୍ୱାଳଙ୍କ ଦୁଇଟି ଉପନ୍ୟାସିକା ଉନ୍ମୋଚନ ଉତ୍ସବରେ ଯୋଗଦେଇ ଏହି ମତ ରଖିଛନ୍ତି ଅତିଥିମାନେ। ଏହି ଅବସରରେ ଅମରେଶଙ୍କ ଲିଖିତ ଦୁଇଟି ଉପନ୍ୟାସିକା- ‘ପାପ’ ଓ ‘ପ୍ରଣତିର ପ୍ରେମିକମାନେ’ ଉନ୍ମୋଚିତ ହୋଇଥିଲା। ବିଶିଷ୍ଟ କବି ଓ ଗାଳ୍ପିକ ଅଜୟ ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ପୁସ୍ତକ ଉନ୍ମୋଚନ ଉତ୍ସବରେ ଅତିଥି ଭାବେ ଯୋଗ ଦେଇଥିଲେ ଔପନ୍ୟାସିକ ବିଭୂତି ପଟ୍ଟନାୟକ, ବରିଷ୍ଠ କବି ତଥା ପ୍ରଶାସକ ପ୍ରଦୀପ ବିଶ୍ୱାଳ, ବିଶିଷ୍ଟ କଥାକାର ତଥା ବରିଷ୍ଠ ଆଇପିଏସ୍ ଅଧିକାରୀ ଦେବାଶିଷ ପାଣିଗ୍ରାହୀ ଏବଂ ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗ ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ର।

ନିଜ ଅଭିଭାଷଣରେ ବିଭୁତି ପଟ୍ଟନାୟକ କହିଥିଲେ ଯେ, ଏବେ ପାଠକମାନେ ପଢ଼ିବାକୁ ଭଲ ପାଉଥିବା ଉପନ୍ୟାସ ପ୍ରକାଶ ପାଉନାହିଁ। ଅମରେଶଙ୍କର ଏହି ଦୁଇଟି ଉପନ୍ୟାସିକା ଏହାର ଅଭାବ ପୂରଣ କରିବ। ତାଙ୍କୁ ଓଡ଼ିଶାର ଚେତନ ଭଗତ ବୋଲି କହିହେବ। କାରଣ ତାଙ୍କ ଉପନ୍ୟାସଗୁଡ଼ିକ ଚେତନ ଭଗତ୍‌ଙ୍କ ଉପନ୍ୟାସ ଭଳି। ସେହିପରି କବି ପ୍ରଦୀପ ବିଶ୍ୱାଳ, ପୁସ୍ତକ ଦୁଇଟିର ସଂପୂର୍ଣ୍ଣ କାହାଣୀ ଦର୍ଶକମାନଙ୍କୁ କହିଥିଲେ। ଯୁବ ଲେଖକ ତଥା ଦୂରଦର୍ଶନ ସମ୍ବାଦ ପାଠକ ବଳଭଦ୍ର ରଥ ସ୍ୱାଗତ ଭାଷଣ ଦେଇଥିଲେ।

ସମ୍ବନ୍ଧିତ ଖବର