ଏଥର ୩୪ଟି ସୂଚକାଙ୍କ ଉପରେ ଗଣନା, ୨୦୨୧ ଜନଗଣନାର କ୍ଷେତ୍ର ପରୀକ୍ଷା ଆରମ୍ଭ

ଭୁବନେଶ୍ବର: ୨୦୨୧ ଜନଗଣନା ପାଇଁ କ୍ଷେତ୍ର ପରୀକ୍ଷଣ ଆରମ୍ଭ ହୋଇଛି। ଅଗଷ୍ଟ ୧୨ରୁ ଆରମ୍ଭ ହୋଇଥିବା ଏହି କ୍ଷେତ୍ର ପରୀକ୍ଷଣ ଅକ୍ଟୋବର ୪ ପର୍ଯ୍ୟନ୍ତ ଚାଲିବ। ଏଥର ଜନଗଣନା ପାଇଁ ୩୪ ପ୍ରକାରର ସୂଚକାଙ୍କ ରଖାଯାଇଛି। ବିଏମ୍‌ସିର ପୁରୁଣା ୧୫ ନମ୍ବର ୱାର୍ଡ (ସାଲିଆ ସାହି ଅଞ୍ଚଳ, ନୂଆପଲ୍ଲୀ, ଆଇଆରସି ଭିଲେଜରେ) ଏହି ସର୍ଭେ ଆରମ୍ଭ ହୋଇଛି। ଏଥିରେ ପ୍ରାୟ ୬୦ଜଣ ଶିକ୍ଷକ ଶିକ୍ଷୟିତ୍ରୀ ନିୟୋଜିତ ହୋଇଛନ୍ତି।

ଏହି କ୍ଷେତ୍ର ପରୀକ୍ଷଣରେ ସର୍ଭେ ଟିମ୍ ପ୍ରତ୍ୟେକ ଘରକୁ ଗୋଟିଏ ନମ୍ବର ଦେବେ। ଏହାସହ ଘର କେଉଁ ସାମଗ୍ରୀରେ ତିଆରି ହୋଇଛି, ଘରର ସ୍ଥିତି କିପରି ଅଛି, ଘରେ କେତେ ଜଣ ଲୋକ ରହୁଛନ୍ତି, ଘରେ ମାଲିକ ନା ଭଡ଼ାଟିଆ ରହୁଛନ୍ତି, କେତେ ଜଣ ପୁରୁଷ, କେତେ ଜଣ ମହିଳା, କେତେ ଜଣ ତୃତୀୟ ଲିଙ୍ଗୀ ରହୁଛନ୍ତି, କେତୋଟି ବେଡ୍‌ ରୁମ୍ ଅଛି, କେତେ ଜଣ ଦମ୍ପତି ଅଛନ୍ତି, କେମିତି ପାଣି ପିଉଛନ୍ତି, ଡ୍ରେନେଜ୍ ବ୍ୟବସ୍ଥା ଅଛି କି ନାହିଁ, ବର୍ଜ୍ୟଜଳ କିପରି ନିଷ୍କାସନ ହେଉଛି, କିପରି ଗାଧୋଉଛନ୍ତି, ଘରେ ଶୌଚାଳୟ ଅଛି ନା ବାହାରକୁ ଯାଉଛନ୍ତି, ଘର ଭିତରେ ରୋଷେଇ ଘର ଅଛି ନା ବାହାରେ ଅଛି, କେଉଁ ଜାଳେଣି ବ୍ୟବହାର କରୁଛନ୍ତି, ଘରେ ଟିଭି, ରେଡିଓ, ମୋବାଇଲ୍‌, ଇଣ୍ଟରନେଟ୍ ବ୍ୟବସ୍ଥା ଅଛି କି ନାହିଁ, ସ୍ମାର୍ଟ ଫୋନ୍ ବ୍ୟବହାର କରୁଛନ୍ତି କି ନାହିଁ, ଘରେ ଦୁଇଚକିଆ ନା ଚାରିଚକିଆ ଯାନ ଅଛି କି ନାହିଁ ସର୍ଭେ ଟିମ୍ ପଚାରି ବୁଝିବେ। ଏହି ସର୍ଭେ ପାଇଁ ୨୯ଟି ବ୍ଲକ୍‌ରେ ଏହି ଅଞ୍ଚଳକୁ ବିଭକ୍ତ କରାଯାଇଛି। ଗୋଟିଏ ବ୍ଲକରେ ୧୨୦ରୁ ୧୫୦ଟି ଘର ରହିବ। ‌ଗୋଟିଏ ବ୍ଲକରେ ୫୦୦ରୁ ୮୦୦ ଜଣ ଲୋକଙ୍କୁ ନେଇ ସର୍ଭେ କରାଯିବ। ଭୁବନେଶ୍ବରରେ ସର୍ଭେ ପାଇଁ ବିଏମ୍‌ସିର ଡେପୁଟି କମିସନର ଶ୍ୟାମସୁନ୍ଦର ସେଠୀ ଏବଂ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜେନ୍ଦ୍ର ସାହୁ ସର୍ଭେ ଦାୟିତ୍ବରେ ଅଛନ୍ତି।

ସମ୍ବନ୍ଧିତ ଖବର