ଏନ୍‌ସିଆର୍‌ବି ରିପୋର୍ଟ: ରାଜ୍ୟରେ ବଢ଼ୁଛି ସାଇବର ଅପରାଧ, କମିଛି ଆର୍ଥିକ ଅପରାଧ ମାମଲା

‘ହିଟ୍‌ ଆଣ୍ଡ ରନ୍‌’ରେ ଓଡ଼ିଶା ତୃତୀୟ, ହତ୍ୟା ଉଦ୍ୟମ ମାମଲାରେ ବିହାର ଶୀର୍ଷରେ

ଭୁବନେଶ୍ବର: ଦିନକୁ ଦିନ ରାଜ୍ୟରେ ସାଇବର ଅପରାଧ ବଢ଼ିବାରେ ଲାଗିଛି। ସାଇବର ଅପରାଧରେ ଦେଶରେ ଉତ୍ତର ପ୍ରଦେଶ(୨୮,୭୯୩) ଏକ ନମ୍ବରରେ ଥିବା ବେଳେ ପଛକୁ କର୍ଣ୍ଣାଟକ(୨୮୬୦୦) ଦ୍ବିତୀୟ ସ୍ଥାନ ଏବଂ ଓଡ଼ିଶା(୪୨୫୯) ୮ମ ସ୍ଥାନରେ ରହିଛି। ସୋସିଆଲ୍‌ ମିଡିଆଠାରୁ ଆରମ୍ଭ କରି ମୋବାଇଲ୍‌ ନମ୍ବର ଓ ବିଭିନ୍ନ ଆପ୍‌ ମଧ୍ୟରେ ସାଇବର୍‌ ଲୁଟେରା ଲୋକଙ୍କୁ ଭୁଆଁ ବୁଲାଇ ଲୋକଙ୍କୁ କୋଟିକୋଟି ଟଙ୍କା ଚୂନ ଲଗାଉଛନ୍ତି। ୨୦୧୯ରେ ଦେଶରେ ୪୪,୭୩୫ଟି ସାଇବର ଅପରାଧ ମାମଲା ପଞ୍ଜୀକୃତ ‌‌ହୋଇଥିବା ବେଳେ ୨୦୨୦ରେ ୫୦୦୩୫ ମାମଲା ପଞ୍ଜୀକୃତ ହୋଇଛି। ସେଥିରୁ ୨୦୧୯ରେ ଓଡ଼ିଶାରେ ୧୪୮୫ ସାଇବର ଅପରାଧ ମାମଲା ପଞ୍ଜୀକୃତ ହୋଇଥିବାବେଳେ ୨୦୨୦ରେ ଏହି ସଂଖ୍ୟା ୧୯୩୧କୁ ବୃଦ୍ଧି ପାଇଛି। ଏଥିରେ ଚାର୍ଜସିଟ୍‌ର ହାର ୩୩.୫ ପ୍ରତିଶତ ରହିଛି। ସଦ୍ୟ ପ୍ରକାଶିତ ଏନସିଆରବି ରିପୋର୍ଟ-୨୦୨୦ରେ ଏହି ତଥ୍ୟର ଉଲ୍ଲେଖ ରହିଛି।

ଅନ୍ୟପଟେ ରାଜ୍ୟରେ ଆର୍ଥିକ ଅପରାଧର ମାମଲା ସଂଖ୍ୟା କମିବାରେ ଲାଗିଛି। ୨୦୧୯ ତୁଳନାରେ ୨୦୨୦ ରେ ଏଥିରେ ହ୍ରାସ ଘଟିଥିବା ଏନ୍‌ସିଆର୍‌ବି ରିପୋର୍ଟରେ ଦର୍ଶାଯାଇଛି। ରାଜ୍ୟରେ ୨୦୧୯ରେ ଆର୍ଥିକ ଅପରାଧର ସଂଖ୍ୟା ୪୩୨୯ ଥିବା ବେଳେ ୨୦୨୦ରେ ଏହା ୪୦୨୮କୁ ଖସିଛି। ସେହିଭଳି ଦୁର୍ନୀତି ନିବାରଣ ମାମଲା ସଂଖ୍ୟା ମଧ୍ୟ ହ୍ରାସ ପାଇଛି। ତେବେ ରାଜ୍ୟରେ ୨୦୧୯ ତୁଳନାରେ ୨୦୨୦ରେ ଆଇପିସି (ଭାରତୀୟ ପିଙ୍ଗଳ କୋର୍ଡ) ଓ ଏସ୍‌ଏଲ୍‌ଏଲ୍‌ (ସ୍ପେସାଲ ଲୋକାଲ୍ ଲ’) ଆଧାରିତ ଅପରାଧରେ‌ ବୃଦ୍ଧି ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି। ୨୦୧୯ରେ ଆଇପିସିର ୯୬୦୩୩ଟି ମାମଲା ରହିଥିବାବେଳେ ୨୦୨୦ରେ ଏହି ସଂଖ୍ୟା ୧୦୮୫୩୩କୁ ବୃଦ୍ଧି ପାଇଛି। ସେହିଭଳି ୨୦୧୯ରେ ଏସ୍‌ଏଲ୍‌ଏଲ୍‌ର ୨୫୪୯୨ ମାମଲା ରହିଥିବାବେଳେ ୨୦୨୦ରେ ଏହା ୨୫୬୯୭କୁ ବୃଦ୍ଧି ପାଇଛି। ଅନୁସୂଚିତ ଜାତି ଲୋକଙ୍କ ବିରୋଧରେ ଅପରାଧ ମଧ୍ୟ ବୃଦ୍ଧି ହୋଇଥିବା ପରିଲକ୍ଷିତ ହୋଇଛି। ୨୦୧୯ରେ ଅନୁସୂଚିତ ଜାତି ବର୍ଗଙ୍କ ବିରୋଧରେ ୧୮୮୬ ମାମଲା ‌ରହିଥିବା ବେଳେ ୨୦୨୦ରେ ଏହା ବୃଦ୍ଧି ପାଇ ୨୦୪୬ରେ ପହଞ୍ଚିଛି। ଅନୁସୂଚିତ ଜନଜାତି ବର୍ଗଙ୍କ ବିରୋଧରେ ଅପରାଧ ମାମଲା ମଧ୍ୟ ବୃଦ୍ଧି ହୋଇଛି। ୨୦୧୯ରେ ଏସଟିଙ୍କ ବିରୋଧରେ ୫୬୭ ଅପରାଧ ଘଟିଥବାବେଳେ ୨୦୨୦ରେ ଏହି ସଂଖ୍ୟା ୬୨୪କୁ ବୃଦ୍ଧିପାଇଛି। ୨୦୨୦ରେ ଲୋକ ସେବକ(ପବ୍ଲିକ ସର୍ଭେଣ୍ଟ)ଙ୍କ ଦ୍ବାରା ଘୋଷଣା କରାଯାଇଥିବା ଆଦେଶର ଅମାନ୍ୟ କରିବା ନେଇ ୨୦୦୫ ମାମଲା ରହିଛି। ହେଲେ ୨୦୧୯ରେ ଓଡିଶାରେ ଏଭଳି ଗୋଟିଏ ମଧ୍ୟ ମାମଲା ନଥିଲା। ୨୦୧୯ ତୁଳନାରେ ୨୦୨୦ରେ ଦେଶରେ ଲୋକସେବକ ମାନଙ୍କ ଦ୍ବାରା ପ୍ରଣୟନ ଆଦେଶର ଅମାନ୍ୟ କରିବାର ସଂଖ୍ୟା‌ରେ ଯଥେଷ୍ଟ ବଢିଥିବାର ରିପୋର୍ଟରେ ଦର୍ଶାଯାଇଛି। ୨୦୧୯ର ୨୯,୪୬୯ ମାମଲା ତୁଳନାରେ ୨୦୨୦ରେ ୬୧୨,୧୭୯ ମାମଲା ପଞ୍ଜୀକରଣ ହୋଇଛି।

‘ହିଟ୍‌ ଆଣ୍ଡ ରନ୍‌’ରେ ଓଡ଼ିଶା ତୃତୀୟ
ଭୁବନେଶ୍ୱର: ହିଟ୍‌ ଆଣ୍ଡ ରନ୍‌ ମାମଲାରେ ଓଡ଼ିଶା ୩ ନମ୍ବର ସ୍ଥାନରେ ରହିଛି। ୨୦୨୦ ଏନ୍‌ସିଆରବି ରିପୋର୍ଟ ମୁତାବକ ଉତ୍ତର ପ୍ରଦେଶରେ ସର୍ବାଧିକ ୧୫ ହଜାର ୪୮୪ ମାମଲା ରୁଜୁ ହୋଇଥିବା ବେଳେ ମଧ୍ୟପ୍ରଦେଶରେ ୭ ହଜାର ୪ଶହ ୧ ମାମଲା ରୁଜୁ ହୋଇଛି। ଓଡ଼ିଶାରେ ୩ ହଜାର ୭୪ ମାମଲା ରୁଜୁ ହୋଇଛି। ମାତ୍ର ୪ଟି ମାମଲା ପଞ୍ଜୀକୃତ କରି ସିକିମ୍‌ ୪ ନମ୍ବରରେ ରହିଛି।

ସେହିଭଳି ହତ୍ୟା ଉଦ୍ୟମ ମାମଲାରେ ଓଡ଼ିଶା ୪ ନମ୍ବ‌ର ସ୍ଥାନରେ ରହିଛି। ଓଡ଼ିଶାରେ ୪ ହଜାର ୧୪୩ ମାମଲା ରୁଜୁ ହୋଇଛି। ୧୩ ହଜାର ୨୦୨ ମାମଲା ପଞ୍ଜୀକୃତ କରିଥିବା ବିହାର ତାଲିକାର ଶୀର୍ଷରେ ଥିବା ବ‌େଳେ ୧୨ ହଜାର ୭୨୫ ମାମଲା ପଞ୍ଜୀକୃତ କରିଥିବା ପଶ୍ଚିମବଙ୍ଗ ଦୁଇ ନମ୍ବରରେ ରହିଛି। ଉତ୍ତରପ୍ରଦେଶରେ ୪ ହଜାର ୨୭୨ ମାମଲା ରୁଜୁ ‌ହୋଇଛି। ସେହିପରି ହତ୍ୟା ମାମ‌ଲାରେ ଓଡ଼ିଶା ୫ ନମ୍ବର ସ୍ଥାନରେ ରହିଛି। ଓଡ଼ିଶାରେ ୧ହଜାର ୪୭୦ ମାମଲା ରୁଜୁ ହୋଇଛି। ଉତ୍ତରପ୍ରଦେଶ ୧ ନମ୍ବର(୩ହଜାର ୯୩୯ ମାମଲା)ରେ ରହିଥିବା ବେଳେ ବିହାର ଦୁଇନମ୍ବର(୩ହଜାର ୧୯୫ ମାମଲା), ମହାରାଷ୍ଟ୍ର ୩ ନମ୍ବର(୨ହଜାର ୨୨୯ ମାମଲା) ଓ ମଧ୍ୟପ୍ରଦେଶ ୪ ନମ୍ବର(୨ହଜାର ୧୫୫ମାମଲା)ରେ ରହିଛି। ସିକିମ୍‌ ତାଲିକାର ଶେଷ(୧୧ ମାମଲା)ରେ ରହିଛି।

ସମ୍ବନ୍ଧିତ ଖବର