ଏଲ୍‌ଇଡିରେ ୧୬ ଦେଶର ପତାକା ରଙ୍ଗ

ଭୁବନେଶ୍ବର: ଆଲୁଅରେ ସ୍ଥାପତ୍ୟ ଆଙ୍କି ଆଉ ଏକ କଳାକୃତିର ଝଲକ ଦେଖାଇଛି ଭୁବନେଶ୍ବର ଉନ୍ନୟନ କର୍ତୃପକ୍ଷ (ବିଡିଏ)। ସହର ସୌନ୍ଦର୍ଯ୍ୟକରଣ କାର୍ଯ୍ୟକ୍ରମରେ ରାଜମହଲ ଛକ ଫ୍ଲାଏଓଭରରେ ଏହି ‘ଆଲୁଅ ସ୍ଥାପତ୍ୟ ପ୍ରକଳ୍ପ’କୁ ଆଜିଠୁ ପ୍ରଦର୍ଶିତ କରାଯାଇଛି। ପୂରା ଫ୍ଲାଏ ଓଭରରେ ହକି ବିଶ୍ବକପ୍‌ରେ ସାମିଲ୍‌ ହୋଇଥିବା ୧୬ଟି ଦେଶର ପତାକାର ରଙ୍ଗ ଶୋଭା ପାଉଛି।
ଆର୍‌ଜିବି କଲର ମଡେଲ୍‌କୁ ଏଭଳି ଖଞ୍ଜାଯାଇଛି ଯେ ନାଲି, ସବୁଜ ଓ ନୀଳ ଆଲୁଅରୁ ବାହାରୁଥିବା ଆଲୋକ ରଶ୍ମି ଏକାଠି ଏହିଭଳି ରଙ୍ଗିନ ପତାକାର ଚିତ୍ର ଆଙ୍କୁଛନ୍ତି। ଆଜି ସନ୍ଧ୍ୟା ସାଢ଼େ ୫ଟାରୁ ଏହି ଲାଇଟ୍‌ ଜଳିଥିବା ବେଳେ ମଧ୍ୟ ରାତ୍ରି ପର୍ଯ୍ୟନ୍ତ ଏହି ଆଲୁଅ ସ୍ଥାପତ୍ୟକୁ ଉପଭୋଗ କରିବାର ସୁଯୋଗ ଜୁଟିଥିଲା। ସୁସଜ୍ଜିତ ଆଲୋକ ସ୍ଥାପତ୍ୟ ଗୋଟିଏ ପରେ ଗୋଟିଏ କରି ୧୬ଟି ଦେଶର ପତାକାକୁ କ୍ରମାନ୍ବୟରେ ପରିବର୍ତନ କରିବା ଆକର୍ଷଣ ପାଲଟିଛି। ଉଭୟ ଅଶୋକ ନଗର ଏବଂ ଶିଶୁଭବନ ପଟୁ ଏହି ଆଲୋକ ସ୍ଥାପତ୍ୟକୁ ଉପଭୋଗ କରି ହେଉଛି। ଫ୍ଲାଏଓଭର ତଳେ ଅଙ୍କା ଯାଇଥିବା ବିଭିନ୍ନ ପେଣ୍ଟିଂଗୁଡ଼ିକ ଆଲୁଅ ସ୍ପର୍ଶରେ ଆହୁରି ସୁନ୍ଦର ଦୃଶ୍ୟମାନ ହେଉଛି। ହକି ବିଶ୍ବକପ୍‌ ଅବସରରେ ବିଡିଏ ପକ୍ଷରୁ ଜୟ‌ଦେବ ବିହାର, ଆଚାର୍ଯ୍ୟ ବିହାର, ବାଣୀବିହାର ଫ୍ଲାଏଓଭର୍‌କୁ ମଧ୍ୟ ଏଲ୍‌ଇଡିରେ ସଜା ଯାଇଛି। ଏଥିସହ ବିଡିଏ ଅଧୀନରେ ଥିବା ୭ଟି ମୁଖ୍ୟ ପାର୍କ ମଧ୍ୟ ଆଲୋକରେ ସୁସଜ୍ଜିତ କରାଯାଇଛି।

ସମ୍ବନ୍ଧିତ ଖବର