ଏସ୍‌ଟିଏଫ୍‌ ଛାଟ ପରେ…ମହଙ୍ଗା ହେଲା ବାଲି, ଚିପ୍‌ସ ଓ ମାଙ୍କଡ଼ା

ହଜାର ହଜାର ଶ୍ରମିକ ବେରୋଜଗାର

ଖଣ୍ଡଗିରି: ବଜାରରେ ମାଙ୍କଡ଼ା ପଥର, ଚିପ୍‌ସ ଓ ବାଲି ଦର ମହଙ୍ଗା ହୋଇଛି। ଖୋର୍ଧା ତାପଙ୍ଗ ଅଞ୍ଚଳରେ ଚାଲିଥିବା ଚୋରା ଖଣି କାରବାର ଉପରେ ଏସ୍‌ଟିଏଫ୍‌ ଛାଟ ବସିବା ପରଠାରୁ ଏ ସବୁ ନିର୍ମାଣ ସାମଗ୍ରୀ ଆଉ ଆଗ ଭଳି ମିଳୁ ନାହିଁ। ସବୁ ଦର ଅହେତୁକ ଭାବେ ବଢ଼ି ଯାଇଛି। ବିଶେଷକରି ଢେଙ୍କାନାଳ ଓ ଚଣ୍ଡୀଖୋଲରୁ ଆସୁଥିବା ଚିପ୍‌ସ ରାଜଧାନୀରେ ଆକାଶଛୁଆଁ ଦରରେ ବିକ୍ରି ହେଉଛି। ତେଣୁ ବହୁ କ୍ଷେତ୍ରରେ ଏବେ ନିର୍ମାଣ କାମ ଠପ୍‌ ହୋଇଯାଇଛି। ଫଳରେ ନିର୍ମାଣ କ୍ଷେତ୍ରରେ ନିୟୋଜିତ ଥିବା ହଜାର ହଜାର ଶ୍ରମିକ ଏବେ ରୋଜଗାର ହରାଇ ଘରେ ବସିଛନ୍ତି। ସରକାର ତୁରନ୍ତ ସବୁ ପ୍ରକାର ଖଣି ନିଲାମ କରି ଚାଲୁ ନକଲେ, ଆଗକୁ ହଜାର ହଜାର ଗରିବ ଲୋକଙ୍କ ଘରେ ଚୁଲି ଜଳିବ ନାହିଁ ବୋଲି ଜଳଜଳ ଦିଶିଲାଣି।

ଏସ୍‌ଟିଏଫ୍‌ ଚଢ଼ଉ ପରଠାରୁ ଖୋର୍ଧା ତାପଙ୍ଗ ଅଞ୍ଚଳରେ ମାଙ୍କଡ଼ାଠାରୁ ଆରମ୍ଭ କରି ମୁଗୁନି ପଥର ଯାଏଁ ସବୁ ପ୍ରକାର ଖଣି ବନ୍ଦ ହୋଇଯାଇଛି। ତେଣୁ ଚିପସ୍‌ ପାଇଁ ଢେଙ୍କାନାଳ ଓ ଚଣ୍ଡୀ‌ଖୋଲ ଉପରେ ନିର୍ଭର କରିବାକୁ ପଡ଼ୁଛି। ପୂର୍ବରୁ ରାଜଧାନୀରେ ଚିପ୍‌ସ ଘନମିଟର ପିଛା ୮ଶହରୁ ହଜାରେ ଟଙ୍କା ପଡ଼ୁଥିଲା ଓ ଗ୍ରାହକ ନିଜ ଘର ପାଖରେ ପରିବହନ ଖର୍ଚ୍ଚ ସହ ତାହାକୁ ୧୨ଶହରୁ ୧୩ଶହ ଟଙ୍କାରେ ପାଉଥିଲା। ତେଣୁ ସାଧାରଣ ଭାବେ ଗୋଟିଏ ଟ୍ରକ୍‌ରେ ଆସି ପାରୁଥିବା ୪/୫ ଘନ ମିଟର ଚିପ୍‌ସକୁ ଜଣେ ଗ୍ରାହକ ୬/୭ହଜାର ଟଙ୍କାରେ କିଣି ପାରୁଥିଲା। ମାତ୍ର ଏବେ ଢେଙ୍କାନାଳ ଓ ଚଣ୍ଡୀଖୋଲରୁ ଆସୁଥିବା ଚିପ୍‌ସ ଜଣେ ଗ୍ରାହକ ପାଖରେ ପହଞ୍ଚିବା ବେଳକୁ ପରିବହନ ଖର୍ଚ୍ଚକୁ ବାଦ୍‌ ଦେଇ ଘନ ମିଟର ପିଛା ୩ ହଜାର ଟଙ୍କା ପଡ଼ୁଛି। ତେଣୁ ଗୋଟିଏ ଟ୍ରକ୍‌ ଚିପ୍‌ସ ପାଇଁ ଜଣେ ଗ୍ରାହକକୁ ନିହାତି ୨୦/୨୫ ହଜାର ଟଙ୍କା ବ୍ୟୟ କରିବାକୁ ପଡ଼ୁଛି। ହାଇୱା ପିଛା ଏହି ଦର ୩୫ହଜାର ଟଙ୍କାରୁ ଅଧିକ ହୋଇଯାଉଛି। ସେହିଭଳି ବାଲି ଦର ମଧ୍ୟ ହୁ’ ହୁ’ ହୋଇ ବଢ଼ିବାରେ ଲାଗିଛି। ପୂର୍ବରୁ ହାଇୱା ପିଛା ୪ ହଜାର ଟଙ୍କ‌ା ପଡ଼ୁଥିବା ବାଲି ଦର ଏବେ ୭/୮ ହଜାର ଟଙ୍କାରେ ପହଞ୍ଚିଲାଣି। ସରକାରୀ ନିଲାମରେ ଚାଲିଥିବା ବାଲିଘାଟରେ କେ-ଫର୍ମ ଦିଆଯାଉ ନଥିବା ବେଳେ ଗାଡ଼ି ମାଲିକମାନଙ୍କୁ ବାଟରେ ୨୦/୨୫ ହଜାର ଟଙ୍କା ଜରିମାନା ଗଣିବାକୁ ପଡ଼ୁଥିବାରୁ ଏଭଳି ଦର ବୃଦ୍ଧି ଘଟିଥିବା କୁହାଯାଉଛି।

ସେହିଭଳି ମୋରମ୍‌ ଓ ମାଙ୍କଡ଼ା ‌‌କ୍ଷେତ୍ରରେ ସମସ୍ୟା ଉପୁଜିଛି। ମୋରମ୍ ହାଇୱା ପିଛା ଅଢ଼େଇ ହଜାର ଟଙ୍କା ଥିବା ବେଳେ ଏବେ ସାଢ଼େ ଚାରି ହଜାରରୁ ଅଧିକ ଟଙ୍କା ପଡ଼ୁଛି। ମାଙ୍କଡ଼ା ୧୭୦ ଖଣ୍ଡକୁ ପୂର୍ବରୁ ୬ ହଜାର ଟଙ୍କା ପଡ଼ୁଥିବା ବେଳେ ଏବେ ୮ ହଜାର ଟଙ୍କାରେ ମଧ୍ୟ ମିଳୁନାହିଁ। ଏଭଳି ଦରବୃଦ୍ଧି କାରଣରୁ ବହୁ କ୍ଷେତ୍ରରେ ନିର୍ମାଣ କାମ ଠପ୍ ହୋଇପଡ଼ିଛି। ଘରୋଇ କ୍ଷେତ୍ରରୁ ଆରମ୍ଭ କରି ବହୁ ସରକାରୀ କାମ ମଧ୍ୟ ବନ୍ଦ ହୋଇପଡ଼ିଛି। ଠିକାଦାରମାନେ ଏତେ ଦରରେ ବାଲି ଚିପ୍‌ସ କିଣି କାମ କରିବାକୁ ପଛଘୁଞ୍ଚା ଦେଉଛନ୍ତି। ତେଣୁ ମାଲ୍ ପରିବହନରେ ଲାଗିଥିବା ଶ୍ରମିକମାନଙ୍କଠାରୁ ଆରମ୍ଭ କରି ଖଣି ଓ ନିର୍ମାଣ କାମରେ ନିୟୋଜିତ ଥିବା ହଜାର ହଜାର ଗରିବ ଶ୍ରମିକ ଏବେ ବେରୋଜଗାର ହୋଇପଡ଼ିଛନ୍ତି। ସରକାର ଖଣି ମାଫିଆମାନଙ୍କୁ ସାବାଡ଼୍‌ କରିବାକୁ ଯାଇ ସିଧାସଳଖ ଗରିବ ଶ୍ରମିକମାନଙ୍କ ପେଟକୁ ଲାତ ମାରିଛନ୍ତି ବୋଲି ଅଭିଯୋଗ ହେଉଛି।

ରାଜଧାନୀ ଉପକଣ୍ଠରେ ବେଶ୍‌ କିଛି ବର୍ଷ ହେଲା ଚାଷ ହ୍ରାସ ପାଇଥିବାରୁ ମୂଲିଆ ଓ ଶ୍ରମିକ ‌ବର୍ଗର ଲୋକଙ୍କ ପାଇଁ ନିର୍ମାଣ କାମ ରୋଜଗାରର ମୁଖ୍ୟ ମାଧ୍ୟମ ପାଲଟିଛି। କିନ୍ତୁ ଏବେ ସୃଷ୍ଟି ହୋଇଥିବା ପରିସ୍ଥିତି ସେମାନଙ୍କ ପାଇଁ ସବୁ ବାଟ ବନ୍ଦ କରିଦେଇଛି। ଚୋରା ଖଣି ବନ୍ଦ କରିବା ପାଇଁ ସରକାରଙ୍କ ପକ୍ଷରୁ ନିଆଯାଇଥିବା ପଦକ୍ଷେପକୁ ସବୁ ମହଲରୁ ସ୍ବାଗତ କରାଯାଉଛି। କିନ୍ତୁ ସମାନ୍ତରାଳ ଭାବେ ସରକାର ନିଲାମ ଖଣି ଚାଲୁ କରିବାକୁ ମଧ୍ୟ ଦୃଢ଼ ଦାବି ହେଉଛି।

ସମ୍ବନ୍ଧିତ ଖବର