ଐତିହ୍ୟସ୍ଥଳରେ ଚଢ଼ି ନୃତ୍ୟଶିଳ୍ପୀଙ୍କ ଫଟୋ ପୋଜ୍‌, ଭାଇରାଲ୍‌ ପରେ ତୀବ୍ର ଅସନ୍ତୋଷ

ପୁରୁଣା ଭୁବନେଶ୍ବର: ଐତିହ୍ୟସ୍ଥଳ ରାଜାରାଣୀ ମନ୍ଦିରରେ ଚଢ଼ି ଜଣେ ନୃତ୍ୟଶିଳ୍ପୀ ଫଟୋ ପୋଜ୍ ଦେବାକୁ ଘଟଣାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହି ଫଟୋ ଭାଇରାଲ୍‌ ହେବା ପରେ ନୃତ୍ୟଶିଳ୍ପୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଭିନ୍ନ ମହଲରୁ ଦାବି ହୋଇଛି। ଏମିତିକି ଇନ୍‌ଟାକ୍‌ ପ୍ରକଳ୍ପ ସଂଯୋଯକ ତଥା ଗବେଷକ ଅନିଲ୍‌ ଧୀର୍‌ ମଧ୍ୟ ଏହାକୁ ନେଇ ଆପତ୍ତି ଉଠାଇଛନ୍ତି। ଏଥିପାଇଁ ଏଏସ୍‌ଆଇ ପକ୍ଷରୁ ଥାନାରେ ଏତଲା ଦିଆଯିବା ଜରୁରୀ ବୋଲି ସ୍ଥାନୀୟ ବୁଦ୍ଧିଜୀବୀମାନେ ଦାବି କରିଛନ୍ତି।

ପ୍ରକାଶ ଥାଉକି, ଜଣେ ନୃତ୍ୟଶିଳ୍ପୀ ରାଜାରାଣୀ ମନ୍ଦିର କାନ୍ଥ ଉପରେ ଚଢ଼ି ଫଟୋ ସୁଟ୍‌ କରିଛନ୍ତି। ଫଟୋ ପୋଜ୍‌ରେ ସେ ତାଙ୍କ ଗୁରୁଙ୍କୁ ପ୍ରଣାମ କରିଥିବା ବେଳେ ସାଥୀମାନଙ୍କୁ ଧନ୍ୟବାଦ ଦେଉଛନ୍ତି। ଏହି ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ଏକ ଐତିହ୍ୟସ୍ଥଳରେ ଏଭଳି ବେଆଇନ କାମ କିଭଳି ହେଲା ବୋଲି ସଂସ୍କୃତି ପ୍ରେମୀମାନେ କ୍ଷୋଭ ପ୍ରକାଶ କରିଛନ୍ତି। ଏଥିପାଇଁ ଏଏସ୍ଆଇ ଥାନାରେ ଏତଲା ଦେବା ଉଚିତ ବୋଲି ଇନ୍‌ଟାକ୍‌ ପ୍ରକଳ୍ପ ସଂଯୋଜକ ଶ୍ରୀ ଧୀର୍‌ କହିଛନ୍ତି। ଏନେଇ ଖୁବ୍‌ ଶୀଘ୍ର ଅନୁଧ୍ୟାନ କରାଯିବ ବୋଲି ଏଏସ୍ଆଇ ଅଧିକାରୀ କହିଛନ୍ତି। ତେବେ ଏହା ପୁରୁଣା ଫଟୋ ହୋଇଥିବା ଅନୁମାନ କରାଯାଉଥିବାରୁ ଏତଲା ଦିଆଯାଇନାହିଁ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର