ଓଡ଼ିଶା ପର୍ଯ୍ୟଟନ କଳିଙ୍ଗ ସାହିତ୍ୟ ମହୋତ୍ସବ ଉଦ୍‌ଘାଟିତ, କର୍ଣ୍ଣାଟକ ଏପିସୋଡ୍‌ ରାଜନୀତି ନୈତିକତାର ଅଭାବକୁ ଦର୍ଶାଉଛି

ଚନ୍ଦ୍ରଶେଖରପୁର: କର୍ଣ୍ଣାଟକ ଏପିସୋଡ୍‌ ରାଜନୀତି ନୈତିକତାର ଅଭାବକୁ ସୂଚାଉଛି। ବିଜେପି କ୍ଷମତା ଆପଣାଇବାକୁ ଯେଉଁ ଉଦ୍ୟମ କରୁଛି, ସେଥିରୁ ନୈତିକତାର ଅଭାବ ପ୍ରତିଫଳିତ ହେଉଛି ବୋଲି ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ଯଶବନ୍ତ ସିହ୍ନା କହିଛନ୍ତି। କିଟ୍‌ ପ୍ରେକ୍ଷାଳୟରେ ଅନୁଷ୍ଠିତ କଳିଙ୍ଗ ସାହିତ୍ୟ ମହୋତ୍ସବର ଉଦ୍‌ଘାଟନୀ ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସେ ଏହା କହିଛନ୍ତି। ‘ଗାନ୍ଧୀଙ୍କ ଭାରତ: ସତ୍ୟ, ଭାଇଚାରା ଓ ଅହି˚ସା’ ଆଲୋଚନାଚକ୍ରରେ ଭାଗନେଇ ଶ୍ରୀ ସିହ୍ନା କହିଲେ, ବର୍ତ୍ତମାନ ସମୟରେ ଗାନ୍ଧୀଜୀଙ୍କ ନୀତି ଆଦର୍ଶ ପ୍ରାସଙ୍ଗିକ ମନେ ହେଉଛି। ସଂପ୍ରତି ଗୋଟେ ବ୍ୟକ୍ତିକୁ କୌଣସି କାରଣରୁ ହତ୍ୟା କରାଯାଉଛି ଏବଂ ଆମେ ତାହାକୁ ଗ୍ରହଣ କରିନେଉଛେ। ଐତିହାସିକ ସୁଧୀର ଚନ୍ଦ୍ର କହିଥିଲେ, ସ୍ବାଧୀନତା ପରେ ଗାନ୍ଧୀଜୀଙ୍କ ନୀତି ଆଦର୍ଶକୁ କେହି ବି ଗ୍ରହଣ କରିନଥିଲେ। ଗାନ୍ଧୀଜୀଙ୍କ ନୀତି ଆଦର୍ଶକୁ ଅସ୍ବୀକାର କରିବାରେ ପଣ୍ଡିତ ନେହେରୁ ଥିଲେ ପ୍ରଥମ ବ୍ୟକ୍ତି। କାର୍ଯ୍ୟକ୍ରମରେ ଜନତା ଦଳ(ୟୁ)ର ନେତା ପବନ କୁମାର ସିହ୍ନା, ଐତିହାସିକ ରାଜଶେଖର ଭୁନ୍ଦୃ ପ୍ରମୁଖ ଯୋଗଦେଇ ଗାନ୍ଧୀଙ୍କ ଭାରତ ସମ୍ପର୍କରେ ମତାମତ ରଖିଥିଲେ। ମହାତ୍ମାଗାନ୍ଧୀ ଓଡ଼ିଶାକୁ ପ୍ରାୟ ୮ଥର ଆସିଥିଲେ। ପ୍ରବଳ ବିରୋଧ ସତ୍ତ୍ବେ ଓଡ଼ିଶା ପ୍ରତି ତାଙ୍କର ପ୍ରଗାଢ଼ ସ୍ନେହ ଥିଲା। ‘ଗାନ୍ଧୀ ଇନ୍‌ ଓଡ଼ିଶା’ ପୁସ୍ତକର ରଚୟିତା ସ˚ଗ୍ରାମ ଜେନା ‘ଓଡ଼ିଶାରେ ଗାନ୍ଧୀ’ ଶୀର୍ଷକ ଆଲୋଚନାଚକ୍ରରେ ଭାଗ ନେଇଥିଲେ। ଓଡ଼ିଶାର ପ୍ରଗତିଶୀଳ ମହିଳାମାନେ ଗାନ୍ଧୀଙ୍କ ଦ୍ବାରା ପ୍ରଭାବିତ ହେଇ ଗାନ୍ଧୀବାଦୀ ମହିଳାବାଦର ପ୍ରଚଳନ କରିଥିଲେ ବୋଲି କୋରାପୁଟ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସଚ୍ଚିଦାନନ୍ଦ ମହାନ୍ତି କହିଥିଲେ। ଏହି ଅବସରରେ ସାହିତ୍ୟ ଓ ବୃତ୍ତି କ୍ଷେତ୍ରରେ ଅବଦାନ ପା‌ଇଁ ପବନ ବର୍ମା, ରାଜେନ୍ଦ୍ର କିଶୋର ପଣ୍ଡା, ପାରୋ ଆନନ୍ଦଙ୍କୁ କଳିଙ୍ଗ ସାହିତ୍ୟ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ସାହିତ୍ୟିକ କେଦାର ମିଶ୍ର କଳିଙ୍ଗ ସାହିତ୍ୟ ଯୁବ ପୁରସ୍କାରରେ ସମ୍ମାନିତ ହୋଇଥିଲେ। କେଏଲ୍‌ଏଫ୍‌ର ପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ରଶ୍ମିରଞ୍ଜନ ପରିଡ଼ା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର