ଓଡ଼ିଆ ଭାଷାର ଶାସ୍ତ୍ରୀୟ ମାନ୍ୟତା ଦିବସ: ପ୍ରାଚୀନ ସାହିତ୍ୟର ପୁନରୁଦ୍ଧାର ଓ ଅଧିକ ଗବେଷଣା ଜରୁରୀ

ଭୁବନେଶ୍ବର: କେବଳ ସରକାରୀ ସ୍ତରରେ ଓଡ଼ିଆ ଭାଷାର ବ୍ୟବହାରକୁ ସୀମିତ ନ ରଖି ବିଭିନ୍ନ କ୍ଷେତ୍ରରେ ଭାଷାର ବ୍ୟବହାର ଉପରେ ଗୁରୁତ୍ବାରୋପ କରାଯିବା ଉଚିତ। ବିବିଧତା ଭାରତର ପରିଚୟ ହୋଇଥିବା ବେଳେ ଭାଷା ଭାଷା ମଧ୍ୟରେ ସାମ୍ୟ ଓ ସମ୍ପର୍କ ଉପରେ ଗୁରୁତ୍ବ ଦେବାକୁ ହେବ। ଏଥିସହ ଓଡ଼ିଆ ଭାଷାକୁ ନେଇ ଅଧିକରୁ ଅଧିକ ଗବେଷଣା କରିବା ଏବଂ ପ୍ରାଚୀନ ସାହିତ୍ୟକୁ ପୁନରୁଦ୍ଧାର କରିବା ଦ୍ବାରା ଭାଷାର ପ୍ରାଚୁର୍ଯ୍ୟ ବଢ଼ିବ। ଆଜି ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତାପ୍ରାପ୍ତିର ୭ମ ବର୍ଷ ପୂର୍ତ୍ତି ଅବସରରେ ‘ଓଡ଼ିଆ ଭାଷା ପ୍ରତିଷ୍ଠାନ’ ଓ ‘ଶାସ୍ତ୍ରୀୟ ଓଡ଼ିଆ ଉତ୍କର୍ଷ ଅଧ୍ୟୟନ କେନ୍ଦ୍ର’ର ମିଳିତ ସହଯୋଗରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥିମାନେ ଏହି ମତ ରଖିଛନ୍ତି।
ସଂସ୍କୃତି ଭବନଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ବିଶିଷ୍ଟ ଭାଷାବିତ୍ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ ଉଦ୍‌ଘାଟନ କରିଥିଲେ। କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ଭାବେ ଓଡ଼ିଶା ସାହିତ୍ୟ ଏକାଡେମିର ପୂର୍ବତନ ସଭାପତି ସାତକଡ଼ି ହୋତା ଯୋଗ ଦେଇ କହିଲେ, ଓଡ଼ିଆ ଭାଷା ସମୃଦ୍ଧ। ଏଥିଲାଗି ଏହାକୁ ଶାସ୍ତ୍ରୀୟ ମାନ୍ୟତା ମିଳିଛି। ଏହି ମାନ୍ୟତାକୁ ଅକ୍ଷୁଣ୍ଣ ରଖିବା ତଥା ଭାଷାକୁ ନେଇ ଅଧିକରୁ ଅଧିକ ଗବେଷଣାମୂଳକ ପଦକ୍ଷେପ ଗ୍ରହଣ କଲେ ଯାଇ ଓଡ଼ିଆ ଭାଷା ଆମ ଉତ୍ତରପିଢ଼ି ତଥା ଯୁଗ ଯୁଗ ଧରି ଏହାର ଗାରିମା ବଜାୟ ରଖିପାରିବ।

ସମ୍ମାନିତ ବକ୍ତା ଭାବେ ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁର ଯୋଗ ଦେଇ କହିଲେ, ଆମର ଚାରିଟି ମା’ ଭିତରେ ଭାଷା ବି ଆମ ମା’। କାଳେକାଳେ ମାତୃଭାଷା ମଣିଷକୁ ପରିଚୟ ଦେଇଛି, ଭାବକୁ ବ୍ୟକ୍ତ କରିବାକୁ ସୁଯୋଗ ଦେଇଛି ଓ ମା’ ଭଳି ସବୁବେଳେ ପଣତକାନିରେ ଆମକୁ ଘୋଡ଼ାଇ ରଖିଛି। ମା’କୁ ଆମେ ଅବଜ୍ଞା କରିପାରୁ କିନ୍ତୁ ଅସ୍ବୀକାର ନୁ‌ହେଁ। ଆମେ ମାତୃଭାଷା କହିବା ସହ ବହୁଭାଷୀ ବି ହେବା ଜରୁରୀ। କିନ୍ତୁ ପ୍ରଥମେ ନିଜ ମାତୃଭାଷାରେ ଦକ୍ଷ ହେବା ଆବଶ୍ୟକ। କାରଣ ଆମ ମାନସପଟକୁ ଆସୁଥିବା ପ୍ରତିଟି ଚିନ୍ତା ଓ ଚେତନା ଆମ ମାତୃଭାଷାରେ ହିଁ ଆସିଥାଏ। ଆମେ ‌କେବଳ ଅନ୍ୟ ବିଦେଶୀ ଭାଷାରେ ଏହାକୁ ଅନୁବାଦ କରି କହିଥାଉ ବୋଲି ଶ୍ରୀ ଦାଶ ବେନହୁର କହିଥିଲେ। କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ ସଭାପତିତ୍ବ କରି କହିଲେ, ଓଡ଼ିଆ ଭାଷା ଯେଉଁ ଶାସ୍ତ୍ରୀୟ ମାନ୍ୟତା ପାଇଛି ତାକୁ ଆମେ କେବଳ ଭାଷଣରେ ସୀମିତ ରଖିବା ଉଚିତ ନୁହେଁ। ଓଡ଼ିଆ ଭାଷାର ଶାସ୍ତ୍ରୀୟ ମାନ୍ୟତାକୁ ବିଶ୍ବ ଦରବାରରେ ପ୍ରତିପାଦିତ କରିପାରିବା ସହ ପ୍ରାଚୀନ ସାହିତ୍ୟକୁ ପୁନରୁଦ୍ଧାର କରିବା ଓ ତା’ ପାଇଁ କାମ କରିବାକୁ ସମସ୍ତଙ୍କୁ ଆହ୍ବାନ ଦେଇଥିଲେ। ଶାସ୍ତ୍ରୀୟ ଓଡ଼ିଆ ଉତ୍କର୍ଷ ଅଧ୍ୟୟନ କେନ୍ଦ୍ରର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଫେସର ବସନ୍ତ ପଣ୍ଡା ଏଥିରେ ଉପସ୍ଥିତ ଥିଲେ।

ଏହି ଅବସରରେ ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ପ୍ରସ୍ତୁତ ୱେବସାଇଟ୍‌କୁ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ନିଜ କାର୍ଯ୍ୟାଳୟ ପରିସରରେ ଉନ୍ମୋଚନ କରିଥିଲେ। କାର୍ଯ୍ୟକ୍ରମରେ ଓଡ଼ିଶା ଲୋକସେବା ଭବନ ଓ ବିଭାଗୀୟ ମୁଖ୍ୟ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀମାନଙ୍କ ମଧ୍ୟରେ ପୂର୍ବରୁ ଆୟୋଜିତ ‘ଓଡ଼ିଆରେ ଚିଠା ଟିପ୍ପଣୀ ପ୍ରସ୍ତୁତି ପ୍ରତିଯୋଗିତା’ର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଓଡ଼ିଆ ଭାଷା ପ୍ରତିଷ୍ଠାନର ନିର୍ଦ୍ଦେଶିକା ଭାଗ୍ୟଲିପି ମଲ୍ଲ ପ୍ରାରମ୍ଭିକ ସୂଚନା ଦେଇଥିଲେ। ପ୍ରତିଷ୍ଠାନ କାର୍ଯ୍ୟାଳୟର ତତ୍ବାବଧାରକ ଇନ୍ଦ୍ରମଣି ତ୍ରିପାଠୀ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର