ଓଡ଼ିଶା ପ୍ରଥମ ବୃହଦନ୍ତ୍ର ଶୋଧନ ଚିକିତ୍ସା କେନ୍ଦ୍ର ଉଦ୍‌ଘାଟିତ

ଭୁବନେଶ୍ବର: ପରିବେଶ ଓ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଦିନକୁ ଦିନ ଲୋକମାନେ ବିଭିନ୍ନ ପ୍ରକାର ରୋଗର ଶିକାର ହେଉଛନ୍ତି। ଚକିତ୍ସା ପାଇଁ ପୁଣି ପୁରଣା ପଦ୍ଧତିକୁ ଆପଣାଉଛନ୍ତି। ଆୟୁର୍ବେଦ ଚିକିତ୍ସା ପାଇଁ ଲୋକମାନେ ଆଗ୍ରହ ଦେଖାଇବା ଆରମ୍ଭ କଲେଣି। ତେବେ ଏହାର ପ୍ରଚାରପ୍ରସାରର ଆବଶ୍ୟକତା ରହିଛି। ଏହାଦ୍ବାରା ଆମେମାନେ ହିଁ ଅଧିକ ଉପକୃତ ହେବା। ଓଡ଼ିଶାର ସର୍ବପ୍ରଥମ ବୃହଦନ୍ତ୍ର ଶୋଧନ ଚିକିତ୍ସା କେନ୍ଦ୍ରକୁ ଉଦ୍‌ଘାଟନ କରି ‘ସମ୍ବାଦ’ର ସମ୍ପାଦକ ତଥା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଏହା କହିଛନ୍ତି। ଆଜି ୟୁନିଟ୍‌-୯ସ୍ଥିତ ଚନ୍ଦନ ଭିଲ୍ଲା‌ଠାରେ ଉଦୟଭାନୁ ପକ୍ଷରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ପଟ୍ଟନାୟକ ଅନୁଷ୍ଠାନର ଏଭଳି ପ୍ରୟାସକୁ ପ୍ରସଂଶା କରିଥିଲେ।

ସମ୍ମାନିତ ଅତିଥି ଭାବେ ସେଣ୍ଟ୍ରାଲ୍‌ କାଉନ୍‌ସିଲ୍‌ ଫର ରିସର୍ଚ୍ଚ ଇନ୍‌ ଆୟୁର୍ବେଦିକ ସାଇନ୍‌ସେସ୍‌ର ଭାରପ୍ରାପ୍ତ ନିର୍ଦେଶକ ଅଶୋକ ପଣ୍ଡା ଯୋଗଦେଇ ଆୟୁର୍ବେଦିକ ଚିକିତ୍ସା ଦ୍ବାରା କିଭଳି ବଡ଼ବଡ଼ ରୋଗ ଭଲ ହୋଇ ପାରୁଛି, ସେ ଉପରେ ଆଲୋକପାତ କରିଥିଲେ। ଉଦୟଭାନୁର ଅଭିଜ୍ଞ ଚିକିତ୍ସକ ଡ. ଶରତ ରାଉତ କହିଥିଲେ, ବୃହଦନ୍ତ୍ରକୁ ସଫା ରଖିବା ଜରୁରୀ। ଏଥିପାଇଁ ଆଧୁନିକ ଜ୍ଞାନକୌଶଳରେ ନିର୍ମିତ କ୍ଲିନିକ୍‌ରେ ମେସିନ୍‌ ଦ୍ବାରା ତାହା ସମ୍ଭବ ହୋଇଛି। ଏହି ମେସିନ୍‌ ପ୍ରାୟ ୧ଘଣ୍ଟା ମଧ୍ୟରେ ଜଣେ ବ୍ୟକ୍ତିଙ୍କର ସମ୍ପୂର୍ଣ୍ଣ ଚିକିତ୍ସା ହୋଇପାରିବ। ପ୍ରତିଷ୍ଠାତା ପ୍ରକାଶ ଆଚାର୍ଯ୍ୟ କହିଛନ୍ତି, ଯେଉଁମାନେ କୋଷ୍ଠକାଠିନ୍ୟ, ଅଗ୍ନିମାନ୍ଦ୍ୟ, ଚର୍ମ ଓ ମୁଖଜନିତ ରୋଗରେ ପୀଡ଼ିତ, ସେମା‌ନେ ଏହି ଆୟୁର୍ବେଦିକ ଚିକିତ୍ସା ପଦ୍ଧତି ଦ୍ବାରା ନିରୋଗ ହୋଇପାରିବେ। ସେହିପରି ଏହି ଚିକିତ୍ସା ପାର୍ଶ୍ବ ପ୍ରତିକ୍ରିୟା ବିହୀନ ବୋଲି ସେ କହିଛନ୍ତି। କାର୍ଯ୍ୟକ୍ରମ ଶେଷରେ ପ୍ରଭା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର