ପୁରୁଣା ଭୁବନେଶ୍ୱର: ଆସନ୍ତାକାଲି (ମଙ୍ଗଳବାର) ଅଁଳା ନବମୀ। ୨୦୧୫ମସିହାରେ ଅଁଳା ନବମୀ ତିଥିରେ କପିଳନାଥ ମନ୍ଦିରରେ ଦୁଇ ସେବାୟତ ନିଯୋଗଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। ମଙ୍ଗଳବାରକୁ ଏହା ୪ବର୍ଷ ପୂରିବ। ଏହି ବିବାଦ ସମ୍ପର୍କରେ ହାଇକୋର୍ଟ ମାସେ ହେଲା ରାୟ ପ୍ରଦାନ କରିଛନ୍ତି। ସେହିପରି ଦୀର୍ଘ ବର୍ଷ ପରେ ଗତ ୫ଦିନ ହେଲା କପିଳେଶ୍ବର ମନ୍ଦିରର ମଧ୍ୟବର୍ତୀକାଳୀନ ଟ୍ରଷ୍ଟ ବୋର୍ଡ ଗଠନ ହୋଇଛି। ତେବେ କପିଳେଶ୍ବର ମନ୍ଦିରରେ ପୂର୍ବ ସ୍ଥିତି ଫେରାଇ ଆଣିବା ସହ ନୂଆ ଟ୍ରଷ୍ଟ ବୋର୍ଡ କାର୍ଯ୍ୟ ଉପରେ ସମସ୍ତଙ୍କ ନଜର ରହିଛି। ଯାହା ନୂଆ ଟ୍ରଷ୍ଟ ବୋର୍ଡ ପାଇଁ ଚାଲେଞ୍ଜ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ୨୦୧୫ମସିହାରେ ଅଁଳା ନବମୀ ତିଥିରେ କପିଳନାଥ ମନ୍ଦିରରେ ମଲିଆ ଓ ଖୁଣ୍ଟିଆ ସେବାୟତଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। ଦୁଇ ସେବାୟତ ନିଯୋଗ ବିବାଦ ଯୋଗୁଁ ଶ୍ରୀଲିଙ୍ଗରାଜ ମନ୍ଦିରରେ ବହୁବାର ନୀତି ବନ୍ଦ ସହ ଠାକୁରଙ୍କ ପରମ୍ପରା ଭଗ୍ନ ହୋଇଥିଲା। ଶ୍ରୀଲିଙ୍ଗରାଜଙ୍କ ଶିବ ବିବାହ ଓ ଶୀତଳଷଷ୍ଠୀ ଯାତ୍ରା, ଚନ୍ଦନଯାତ୍ରା, ହାଣ୍ଡି ଭଙ୍ଗାଯାତ୍ରା, ଚନ୍ଦନଯାତ୍ରା ସମେତ ବହୁ ଯାତ୍ରା ଓ ଉପଯାତ୍ରାରେ ପରମ୍ପରା ଭଗ୍ନ ହୋଇଥିଲା। ଯାହା ଫଳରେ ବହୁବାର ବିକ୍ଷୋଭ ଆନ୍ଦୋଳନ ସହ ବିଧାନସଭାରେ ମଧ୍ୟ ଏହି ବିଷୟ ଆଲୋଚନା ହୋଇଥିଲା।

Advertisment

ଶ୍ରୀକପିଳେଶ୍ୱର ମନ୍ଦିରର ସେବାକୁ ନେଇ କପିଳନାଥଙ୍କ ସେବାୟତ ଦୁଇ ଭାଗ ହୋଇଥିବା ବେଳେ ଏହାର ବିବାଦ ସମାଧାନ କରିବା ଓ ପୂର୍ବ ପରି ପରମ୍ପରା ବଜାୟ ରଖିବାକୁ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି। ଏହି ନିର୍ଦେଶ ପାଳନ ଦେବୋତ୍ତର ବିଭାଗ ପାଇଁ ଚାଲେଞ୍ଜ ହୋଇଛି। ଦୀର୍ଘ ବର୍ଷ ପରେ ଟ୍ରଷ୍ଟ ବୋର୍ଡ ଗଠନ ହୋଇଥିବାରୁ ମଙ୍ଗଳବାର ଅଁଳା ନବମୀରେ ପୂର୍ବ ପରମ୍ପରା ବଜାୟ ରଖିପାରିଲେ ନୂଆ ଟ୍ରଷ୍ଟ ବୋର୍ଡ ଗଠନ କରିବାରେ ଦେବୋତ୍ତର ବିଭାଗ ପ୍ରଶଂସିତ ହେବ ବୋଲି କୁହାଯାଉଛି। ତେବେ ଏନେଇ ଦେବୋତ୍ତର କମିଶନର ଚିତ୍ତରଞ୍ଜନ ମହାପାତ୍ର କିଛି କହିବାକୁ ମନା କରିଛନ୍ତି।