କାପୋକ ପକ୍ଷରୁ ଲେଖକ ସମ୍ବର୍ଧନା ଉତ୍ସବ, ଉତ୍ତରପିଢ଼ିକୁ ସଂସ୍କୃତି ସଚେତନ କରାଅ

ଭୁବନେଶ୍ବର: କିଛି ଭଲ ତିଆରି କରିବାର ନାଁ ସଂସ୍କୃତି। ମାତ୍ର ଭାଷା, ସାହିତ୍ୟ ଓ ସଂସ୍କୃତିକୁ ନେଇ ଯେତେ ଅଭିଯାନ ହେଉଛି, ତାହା ଦିଗହରା ହେଉଛି। ବାସ୍ତବରେ ସଂସ୍କୃତିର ଶତ୍ରୁ ଚିହ୍ନଟ କରିବାରେ ଆମେ ବିଫଳ ହୋଇଛୁ। ଯୋଉ ଜାତି କୋଣାର୍କ ଗଢ଼ି ଦେବାକୁ ସକ୍ଷମ ହୋଇଥିଲା, ସେ ଜାତି ଆଜି କାହିଁକି ଝୁଣ୍ଟୁଛି, ତାହାର ତର୍ଜମା ହେବା ଆବଶ୍ୟକ। ଉତ୍ତରପିଢ଼ିକୁ ଏ ସମ୍ବନ୍ଧରେ ସଚେତନ କରିବା ପାଇଁ ଦାୟିତ୍ବ ନେବାକୁ ଆହ୍ବାନ ଦେଇଛନ୍ତି ବିଧାୟକ ତଥା ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ। କଳିଙ୍ଗ ସଂସ୍କୃତି ଓ ଐତିହ୍ୟ ସୁରକ୍ଷା ମଞ୍ଚ (କାପୋକ) ପକ୍ଷରୁ ଗୀତଗୋବିନ୍ଦ ସଦନରେ ଆୟୋଜିତ ‘ଲେଖକ ସମ୍ବର୍ଧନା ଉତ୍ସବ’ରେ ଉଦ୍‌ଘାଟକ ଭାବେ ଯୋଗଦେଇ ଶ୍ରୀ ପଟ୍ଟନାୟକ କହିଲେ, ଆଧୁନିକ କାରିଗରୀ କୌଶଳ ଆମ ସଂସ୍କୃତିର ବଡ଼ ଶତ୍ରୁ। ମାତ୍ର ଏହାର ଉଚିତ ବ୍ୟବହାର ହିଁ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ଆଗେଇ ନେବାରେ ସହାୟକ ହୋଇପାରିବ।

ଏହି ଅବସରରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ, ଭାଷା ନ ବଞ୍ଚିଲେ ଜାତି ବଞ୍ଚିବ ନାହିଁ। ସମାଜକୁ ଛାଡ଼ି ସାହିତ୍ୟ ରଚନା ହୋଇପାରିବ ନାହିଁ। ତେଣୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମନ୍ତ୍ରୀ ଥିବା ବେଳେ ଭାଷା କମିସନ ଗଠନ, ଚେୟାର ପ୍ରତିଷ୍ଠା ଏବଂ ସଂସ୍କୃତି ବିଭାଗର ଅନ୍ୟାନ୍ୟ କାର୍ଯ୍ୟକ୍ରମ ସମ୍ପର୍କରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଅବତାରଣା କରିଥିଲେ। ଏହି ଅବସରରେ ‘ଶିଶୁପାଳଗଡ଼ ଦି ଲଷ୍ଟ୍‌ ସିଟି’ ପତ୍ରିକାରେ ଲେଖନୀ ଚାଳନା କରିଥିବା ୨୮ ଜଣ ଲେଖକଙ୍କୁ ସମ୍ବର୍ଧିତ କରାଯାଇଥିଲା। ପତ୍ରିକାର ସମ୍ପାଦକ ତଥା ସାହିତ୍ୟିକ ହୁସେନ ରବି ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଡ. ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀ, ପ୍ରଫେସର୍‌ ବୈଷ୍ଣବ ଚରଣ ସାମଲ, ପ୍ରଫେସର୍‌ ନଟବର ଶତପଥୀ, ପ୍ରଫେସର୍‌ ରମେଶ ଚନ୍ଦ୍ର ଦାସ, ଡ. ହରିହର କାନୁନ୍‌ଗୋ, ପ୍ରଦ୍ୟୁମ୍ନ ଶତପଥୀ, ‌ଦେବେନ୍ଦ୍ର ନାଥ ଦାଶ, ଭାଗୀରଥି ମହାସୁଆର, ରମାକାନ୍ତ ମିଶ୍ର, ପ୍ରଫେସର ରମେଶ ଚନ୍ଦ୍ର ମଲ୍ଲିକ, ନିହାର ରଂଜନ ପଟ୍ଟନାୟକ, ଡ. ହେମନ୍ତ ପରିଜା, ଡ. ଭାଗ୍ୟଲିପ ମଲ୍ଲ, ସୁରେନ୍ଦ୍ର କୁମାର ମହାରଣା, କୀର୍ତିମୟୀ ମହାନ୍ତି, ଡ. ଅଞ୍ଜଳି ତ୍ରିପାଠୀ, ବିଜୟ କୁମାର ମିଶ୍ର, ଛନ୍ଦା ମିଶ୍ର, ମୌସୁମୀ ଦାସ, ଅକ୍ଷୟ ସ୍ବାଇଁ, ପ୍ରକାଶ କୁମାର ସାହୁ, କବିତା ମହାନ୍ତି, ପବିତ୍ର ଦାଶ, ଡ. କାଳନ୍ଦୀ ଚରଣ ସାହୁ, ପୂର୍ଣ୍ଣାନନ୍ଦ ମହାନ୍ତି, ଜୟଶ୍ରୀ ପଟ୍ଟନାୟକ, ସୁଚିତ୍ରା ବେହେରା ଓ ରବୀନ୍ଦ୍ର କୁମାର ପରିଡ଼ାଙ୍କୁ ସମ୍ବର୍ଧିତ କରାଯାଇଥିଲା। କାପୋକର ଅଧ୍ୟକ୍ଷ ସଂଗ୍ରାମ କେଶରୀ ପାଇକରାୟ ସ୍ବାଗତ ଭାଷଣ ସହ ପ୍ରାରମ୍ଭିକ ଅଭିଭାଷଣ ରଖିଥିଲେ। ସମ୍ପାଦକ ଚିତ୍ତରଂଜନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ସନ୍ଦୀପ କୁମାର ରାଉତ ଓ ଶୁଭ୍ରାଂଶୁ ଶେଖର ସାହୁ ସମ୍ବର୍ଧନା ସଭା ପୂର୍ବରୁ ବାଦ୍ୟସଂଗୀତ ପରିବେଷଣ କରିଥିଲେ।

ସମ୍ବନ୍ଧିତ ଖବର