କିଡନୀ ରାକେଟର ଖୋଲୁଛି ଗୁମର: ଠକେଇ ଟଙ୍କାରେ ହିମାଂଶୁ ନନ୍ଦ କରିଥିଲା ହୋମ ଡେକର ସୋରୁମ

ରାଜ୍ୟ ବାହାରେ ଲିଙ୍କ ନେଇ ଚାଲିଛି ଖୋଳତାଡ

ଭୁବନେଶ୍ବର: ତିନି ଦିନିଆ ନୟାପଲ୍ଲୀ ଥାନା ପୁଲିସ ରିମାଣ୍ଡରେ ଥିବା କିଡନୀ କେଳେଙ୍କାରୀର ମାଷ୍ଟର ମାଇଣ୍ଡ ହିମାଂଶୁ ଭୂଷଣ ନନ୍ଦ, ଗୋଟି ଗୋଟି କରି ପୁଲିସ ଆଗରେ ସତ ଓଗାଳିଛି । କିଡନୀ ରୋଗରେ ପୀଡ଼ିତ ଥିବା ଜଣେ ବ୍ୟକ୍ତି ଯେତେବେଳେ ଜୀବନ-ମରଣ ସହ ସଂଘର୍ଷ କରୁଥାଏ ଏବଂ କିଡନୀ ମିଳିଗଲେ ଜୀବନ ବଞ୍ଚିଯିବ ବୋଲି ଆଶା ରଖିଥାଏ, ଠିକ ସେତେବେଳେ ଏହି ଦୁର୍ବଳ ମୂହୁର୍ତ୍ତର ଫାଇଦା ନେଇଥାଏ ଏହି ଠକ । କିଡନୀ ପାଇଁ ପୂରା ପରିବାର ନିଜର ଜୀବନଯାକର ପୁଞ୍ଜି ଏହି ଠକ ହାତକୁ ଟେକି ଦେଇଥାଏ । ହେଲେ, କିଡନୀ ଯୋଗାଇ ଦେବା ତ ଦୂରର କଥା, ସେହି ଟଙ୍କାରେ ମଉଜ-ମଜଲିସ୍ କରୁଥାଏ ଏହି ଠକ ହିମାଂଶୁ ।

ଲୋକଙ୍କ ଠାରୁ ଲୁଟିଥିବା ଟଙ୍କାରେ ହିଂମାଶୁ କରିଥିଲା ହୋମ-ଡେକର ସୋରୁମ୍ । ଯାହା ପିିପିଲି ନିକଟରେ ରହିଛି । ଏପରିକି ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଠକେଇ ଟଙ୍କାରେ ତିଆରି ହୋଇଥିବା ସୋରୁମର ବିଜ୍ଞାପନ କରୁଥିଲା । କେବଳ ଭୁବନେଶ୍ୱର ନୁହେଁ, ବରଂ ରାଜ୍ୟର କୋଣ-ଅନୁକୋଣରୁ ଲୋକଙ୍କୁ କିଡନୀ ଦେବା ନାଁରେ କେଳେଙ୍କାରୀ କରିଛି ହିମାଂଶୁ । ସବୁଠୁ ବଡ଼ କଥା ହେଉଛି-ଏହି ଠକ ପଛରେ କେଉଁ ରାକେଟ୍ କାମ କରୁଥିଲା? କେତେ ଜଣ ସଂପୃକ୍ତ ଥିଲେ? କିଏ କିଏ ସାମିଲ ଥିଲେ? ଏପରିକି କିଛି ଘରୋଇ ହସ୍ପିଟାଲ ଏବଂ ଡାକ୍ତରଙ୍କ ସଂପୃକ୍ତିକୁ ନେଇ ମଧ୍ୟ ପୁଲିସ୍ ସନ୍ଦେହ କରିଛି । ଏଥିପାଇଁ ହିମାଂଶୁକୁ ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡରେ ଆଣିବା ପାଇଁ ପ୍ରସ୍ତୁତି ହେଉଛି ନୟାପଲ୍ଲୀ ପୁଲିସ ।

ରବିବାର ହିମାଂଶୁର ବିଳାସପୂର୍ଣ୍ଣ ଅଫିସରେ ରେଡ୍ କରିଥିଲା ନୟାପଲ୍ଲୀ ଥାନା ପୁଲିସ । ସେଠାରେ ଥିବା କାଗଜପତ୍ର, କମ୍ପ୍ୟୁଟର, ସିପିୟୁ, ହାର୍ଡ-ଡିସ୍କ ଏବଂ ସିସିଟିଭି ଫୁଟେଜ ଆଦି ଜବତ କରିଛି ପୁଲିସ । କିଡନୀ କେଳେଙ୍କାରୀର ମୁଖ୍ୟ ହିମାଂଶୁ ପଛରେ ରହିଛି କି କୌଣସି ଘରୋଇ ହସ୍ପିଟାଲର ସଂପୃକ୍ତି? ଠକକୁ ଆଗକୁ ବଢ଼ିବାକୁ ସହଯୋଗ କରୁଥିଲେ କି ଡାକ୍ତର? ଏଥିରେ ହସ୍ପିଟାଲ କିମ୍ବା ସ୍ୱାସ୍ଥ୍ୟକର୍ମୀଙ୍କ ସଂପୃକ୍ତି ରହିଛି କି? ଏହି ସବୁ ପ୍ରଶ୍ନର ଉତ୍ତର ସାମ୍ନାକୁ ଆସିବା ଜରୁରୀ ।

ସମ୍ବନ୍ଧିତ ଖବର