କେବେ ନିଯୁକ୍ତ ହେବେ ସ୍ଥାୟୀ ଡାକ୍ତର?

ରାଜଭବନ ୱେଲନେସ କେନ୍ଦ୍ର ପାଇଁ ସୃଷ୍ଟି ହୋଇନି ପଦବି

ଭୁବନେଶ୍ବର: ରାଜଭବନ ପରିସରରେ ଆୟୁଷ ବିଭାଗ ପକ୍ଷରୁ ଚାଲିଥିବା ୱେଲନେସ କେନ୍ଦ୍ର ୨ବର୍ଷ ହେବ କାର୍ଯ୍ୟ କଲାଣି। ମାତ୍ର ଏଥିପାଇଁ ଜଣେ ସ୍ଥାୟୀ ଡାକ୍ତର ନିଯୁକ୍ତ ହୋଇ ନାହାନ୍ତି। ସରକାରୀ ଆୟୁର୍ବେଦିକ ହସ୍ପିଟାଲର ଜଣେ ଡାକ୍ତର ଏହି ୱେଲନେସ କେନ୍ଦ୍ର ସମ୍ଭାଳୁଛନ୍ତି। ଅଧା ସମୟରେ ରାଜଭବନ ପରିସରରେ ତ ଅନ୍ୟ ସମୟ ସରକାରୀ ଆୟୁର୍ବେଦିକ ହସ୍ପିଟାଲରେ। ଯାହାକି ଉଭୟ ଡାକ୍ତର ଓ ରୋଗୀଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି। ମାତ୍ର ଆୟୁଷ ବିଭାଗ ପକ୍ଷରୁ ଏହାକୁ ଗୁରୁତ୍ବ ଦିଆଯାଉନାହିଁ।

୨୦୧୭ ମସିହାରେ ରାଜଭବନ ପରିସରରେ ପୂର୍ବତନ ରାଜ୍ୟପାଳ ଏସ୍‌.ସି ଜମିରଙ୍କ ଦ୍ବାରା ଏକ ୱେଲନେସ ସେଣ୍ଟର ଖୋଲା ଯାଇଥିଲା। ଆୟୁଷ ବିଭାଗ ପକ୍ଷରୁ ଏଠାରେ ପଞ୍ଚକର୍ମ ସହିତ ଅନ୍ୟ ଚିକିତ୍ସା ସୁବିଧା ରୋଗୀଙ୍କୁ ଦିଆଯାଉଛି। ମାତ୍ର ସରକାରୀ ଆୟୁର୍ବେଦିକ ହସ୍ପିଟାଲର ଡାକ୍ତର ରାଜଭବନ ୱେଲନେସ ସେଣ୍ଟରକୁ ସମ୍ଭାଳୁଛନ୍ତି। ସକାଳ ୮ଟାରୁ ୧୨ଟା ପର୍ଯ୍ୟନ୍ତ ରାଜଭବନସ୍ଥିତ ୱେଲନେସ ସେଣ୍ଟର ଓ ପରବର୍ତୀ ସମୟରେ ସଂପୃକ୍ତ ଡାକ୍ତର ଆୟୁର୍ବେଦିକ ହସ୍ପିଟାଲରେ ଉପଲବ୍ଧ ହେଉଛନ୍ତି। ଏଭଳି ପରିସ୍ଥିତିରେ ସରକାରୀ ଆୟୁର୍ବେଦିକ ହସ୍ପିଟାଲରେ ଡାକ୍ତରଙ୍କୁ ନେଇ ସମସ୍ୟା ଦେଖା ଦେଉଛି। ରାଜଭବନରେ କାର୍ଯ୍ୟ କରିବା ସମୟରେ ତାଙ୍କ ସ୍ଥାନରେ ହସ୍ପିଟାଲ କର୍ତୃପକ୍ଷ ଅନ୍ୟ ଡାକ୍ତରଙ୍କୁ ନିୟୋଜିତ କରିବାକୁ ବାଧ୍ୟ ହେଉଛନ୍ତି। ଅପରପକ୍ଷରେ ୱେଲନେସ ସେଣ୍ଟରକୁ ଦିନକୁ ୧୫/୨୦ଜଣ ରୋଗୀ ଚିକିତ୍ସା ପାଇଁ ଆସୁଥିବା ବେ‌ଳେ ସେଠାରେ ପାର୍ଟ ଟାଇମ୍ ଭାବେ ଏକାଧିକ କର୍ମଚାରୀଙ୍କୁ ନିଯୁକ୍ତ କରାଯାଇଛି।

ଆୟୁର୍ବେଦିକ ହସ୍ପିଟାଲ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ରାଜଭବନ ପରିସରରେ କାର୍ଯ୍ୟ କରୁଥିବା ୱେଲନେସ ସେଣ୍ଟରଟି ହସ୍ପିଟାଲର ଏକ ସଂପ୍ରସାରଣ ୟୁନିଟ୍ ଭାବେ କାର୍ଯ୍ୟ କରୁଛି। ରାଜଭବନର ୱେଲନେସ ସେଣ୍ଟର ପାଇଁ କୌଣସି ଡାକ୍ତରୀ ପଦବି ଆୟୁଷ ବିଭାଗ ପକ୍ଷରୁ ସୃଷ୍ଟି କରାଯାଇ ନାହିଁ। ବିଭାଗ ପକ୍ଷରୁ ପଦବି ସୃଷ୍ଟି କରାଗଲେ ଆଗାମୀ ଦିନରେ ସେଠାରେ ଡାକ୍ତରଙ୍କୁ ନିଯୁକ୍ତ କରାଯିବ। ମାତ୍ର ବିଭାଗ ପକ୍ଷରୁ ଏ ପର୍ଯ୍ୟନ୍ତ ସେଭଳି କୌଣସି ପ୍ରସ୍ତାବ ଆସି ନ ଥିବା ହସ୍ପିଟାଲର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ରାଜ୍ୟ ଆୟୁଷ ନିର୍ଦେଶାଳୟର ଏବେ କେହି ନିର୍ଦେଶକ ନ ଥିବା ବେଳେ ରାଜ୍ୟ ସ୍ବାସ୍ଥ୍ୟସେବା ନିର୍ଦେଶକଙ୍କୁ ଏହାର ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ଏ ସଂପର୍କରେ ଡା. ଦିଲ୍ଲୀପ ଷଡ଼ଙ୍ଗୀ କହିଛନ୍ତି, ରାଜ୍ୟରେ ଖାଲି ଥିବା ହୋମିଓପ୍ୟାଥି ଓ ଆୟୁର୍ବେଦିକ ମେଡିକାଲ କଲେଜର ଅଧ୍ୟାପକ ପଦବି ପୂରଣକୁ ଗୁରୁତ୍ବ ଦିଆଯାଉଛି। ଏଥିପାଇଁ ଓପିଏସ୍‌ସି ଜରିଆରେ ଡାକ୍ତରଙ୍କୁ ନିଯୁକ୍ତି ଦେବା ଲାଗି ଉଦ୍ୟମ କରାଯାଉଛି। ପରବର୍ତୀ ସମୟରେ ଡିସ୍‌ପେନସାରିଗୁଡ଼ିକରେ ଡାକ୍ତର ନିଯୁକ୍ତି କରାଯିବ ବୋଲି ଡା. ଷଡ଼ଙ୍ଗୀ କହିଛନ୍ତି।

ସମ୍ବନ୍ଧିତ ଖବର