କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଡେଙ୍ଗୁ ଚିକିତ୍ସା ପରିଚାଳନା ଏମିତି! ୱାର୍ଡରେ ଶଯ୍ୟା ଥାଇ ବି ପ୍ରତୀକ୍ଷାଳୟରେ ରୋଗୀ

ଭୁବନେଶ୍ୱର: କ୍ୟାପିଟାଲ୍‌ ହସ୍ପିଟାଲ୍‌ର ଡେଙ୍ଗୁ ଚିକିତ୍ସା ପରିଚାଳନାକୁ ନେଇ ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନଙ୍କ ଭିତରେ ଅସନ୍ତୋଷ ଦେଖାଯାଇଛି। ଡେଙ୍ଗୁ ୱାର୍ଡରେ ଶଯ୍ୟା ଥାଇ ବି ବହୁ ରୋଗୀଙ୍କୁ ପ୍ରତୀକ୍ଷାଳୟରେ ରଖାଯାଇଛି। ଏମିତିକି କିଛି ରୋଗୀ ଓ ତାଙ୍କ ସମ୍ପର୍କୀୟମାନେ ୱାର୍ଡ ବାରଣ୍ଡାରେ ଗଡ଼ୁଥିବା ଦେଖିବାକୁ ମିଳୁଛି। ତେଣୁ ଉଭୟ ୱାର୍ଡ ଓ ପ୍ରତୀକ୍ଷାଳୟରେ ଡେଙ୍ଗୁ ରୋଗୀଙ୍କ ସହ ଖୋଲାମେଲାରେ ସମ୍ପର୍କୀୟମାନେ ରହୁଛନ୍ତି। କ୍ୟାପିଟାଲ୍‌ ହସ୍ପିଟାଲରେ ଏଭଳି ବିଚିତ୍ର ଡେଙ୍ଗୁ ଚିକିତ୍ସା ପରିଚାଳନା ବ୍ୟବସ୍ଥା ବୁଦ୍ଧିଜୀବୀମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି।

କ୍ୟାପିଟାଲ୍‌ ହସ୍ପିଟାଲ୍‌ ନିର୍ଦ୍ଦେଶକ ଡା. ଲକ୍ଷ୍ମୀଧର ସାହୁଙ୍କ ସୂଚନାନୁସାରେ ଏବେ ହସ୍ପିଟାଲ୍‌ରେ ୭୦ରୁ ୭୫ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି। ଡେଙ୍ଗୁ ୱାର୍ଡରେ ୧୦୦ରୁ ୧୨୦ ଶଯ୍ୟା ସଂରକ୍ଷିତ ରଖାଯାଇଛି। ତେଣୁ ନିର୍ଦ୍ଦେଶକ ଡା. ସାହୁଙ୍କ ହିସାବ ଅନୁସାରେ, ୱାର୍ଡରେ ଏବେ ସୁଦ୍ଧା ୪୦ରୁ ଅଧିକ ଶଯ୍ୟା ଖାଲି ରହିଛି। ମାତ୍ର ପରିତାପର କଥା, ୱାର୍ଡରେ ଶଯ୍ୟା ବଳକା ଥିବା ସତ୍ତ୍ବେ କିଛି ଡେଙ୍ଗୁ ରୋଗୀଙ୍କୁ ପ୍ରତୀକ୍ଷାଳୟରେ ରଖି ଚିକିତ୍ସା କରାଯାଉଛି। ଫଳରେ ରୋଗୀଙ୍କ ସଂପର୍କୀୟମାନେ ରହିବା ପାଇଁ ସ୍ଥାନ ନପାଇ ପ୍ରତୀକ୍ଷାଳୟରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ଶଯ୍ୟା ପାଖରେ ରହୁଛନ୍ତି। ସେଠାରେ ରୋଗୀଙ୍କ ସମ୍ପର୍କୀୟମାନେ ରୋଗୀଙ୍କ ଶଯ୍ୟା ତଳେ ଶୋଉଛନ୍ତି। ସେହିଭଳି ୱାର୍ଡ‌ରେ କିଛି ରୋଗୀ ବାରଣ୍ଡାରେ ତଳେ ଗଡ଼ୁଥିବା ଦେଖାଯାଇଛି। ସେମାନଙ୍କ ପାଖରେ ବି ସମ୍ପର୍କୀୟମାନେ ତଳେ ଶୋଉଛନ୍ତି। ସେମାନଙ୍କ କହିବା କଥା, ୱାର୍ଡ ଭିତରେ ପ୍ରବଳ ଗରମ ହେଉଥିବାରୁ ରହି ହେଉନାହିଁ। ଏଣେ ପ୍ରତୀକ୍ଷାଳୟରେ ରୋଗୀଙ୍କୁ ରଖା ଯାଇଥିବାରୁ ସମ୍ପର୍କୀୟମାନେ ରହିବା ପାଇଁ ସମସ୍ୟାରେ ପଡ଼ୁଛନ୍ତି। ୱାର୍ଡରେ ଶଯ୍ୟା ବଳକା ଥିବା ବେଳେ ପ୍ରତୀକ୍ଷାଳୟରେ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ୱାର୍ଡକୁ ସ୍ଥାନାନ୍ତର କରିବାକୁ ଦାବି ହେଉଛି।

ଏହି ସମସ୍ୟା ନେଇ ନିର୍ଦ୍ଦେଶକ ଡା. ସାହୁଙ୍କୁ ଯୋଗାଯୋଗ କରାଯାଇଥିଲେ ବି ସେ କୌଣସି ଉତ୍ତର ନଦେଇ ଅନ୍ୟ ପ୍ରସଙ୍ଗ ଉପରେ କହିଥିଲେ। ହସ୍ପିଟାଲକୁ ଆସୁଥିବା ସାମ୍ପଲ୍‌ ଟେଷ୍ଟ କମୁଥିବାରୁ ଡେଙ୍ଗୁ ସଂକ୍ରମଣ କମୁଛି ବୋଲି ସେ କହିଥିଲେ। କିନ୍ତୁ ପ୍ରତୀକ୍ଷାଳୟରୁ ଚିକିତ୍ସାଧୀନ ରୋଗୀଙ୍କୁ ୱାର୍ଡକୁ ସ୍ଥାନାନ୍ତର ଉପରେ କିଛି କହି ନଥିଲେ।

ସମ୍ବନ୍ଧିତ ଖବର