ଖରା ଆରମ୍ଭରୁ ପାଣି ପାଇଁ ଡହଳବିକଳ

Water shortages from the beginning of the drought

ଭୁବନେଶ୍ୱର: ଗ୍ରୀଷ୍ମଋତୁ ଆସିନାହିଁ। କିନ୍ତୁ ଏବେଠୁ ଜଳକଷ୍ଟ ଲୋକଙ୍କୁ ହରବର କଲାଣି। ପାଇପ୍‌ ଜଳଯୋଗାଣ ଅଚଳ ହୋଇପଡ଼ିଥିବା ବେଳେ ବୋର୍‌ୱେଲ୍‌ କାମ କରୁନି। ତା ସହିତ କୂଅ ପୋଖରୀ ବି ଶୁଖିଗଲାଣି। ତେଣୁ ଏବେଠାରୁ ପାଣି ପାଇଁ ଲୋକେ ଯନ୍ତ୍ରଣାରେ ଛଟପଟ ହେଲେଣି। ଏହା କୌଣସି ଅପନ୍ତରା ଅଞ୍ଚଳର ଗାଁ ଗଣ୍ଡାର ଚିତ୍ର ନୁହେଁ, ଖୋଦ୍‌ ରାଜଧାନୀର ଦୃଶ୍ୟ। ଖରା ଦିନ ପୂର୍ବରୁ ପୁରୁଣା ଭୁବନେଶ୍ବର ବଡ଼ ଭୋଇ ବସ୍ତି ଓ ଖଣ୍ଡୁଆଳ ବସ୍ତି ବାସିନ୍ଦା ଭୋଗିଲେଣି ଏହି ଦୁର୍ଦ୍ଦଶା।

ପୁରୁଣା ଭୁବନେଶ୍ୱରର ବଡ଼ ଭୋଇ ବସ୍ତିରେ ରହୁଛନ୍ତି ୫୦ ପରିବାର। ପୂର୍ବରୁ ସେହି ବସ୍ତିକୁ ପାଇପ୍‌ ଜଳଯୋଗାଣ କରାଯାଇଥିଲା। କିନ୍ତୁ ବର୍ଷକ ତଳେ ପାଇପ୍‌ ଫାଟି ଯିବାରୁ ଜଳଯୋଗାଣ ବନ୍ଦ କରାଯାଇଥିଲା। ଖୁବ୍‌ଶୀଘ୍ର ମରାମତି କରାଯିବ ବୋଲି କହିକହି ବିଭାଗୀୟ ଅଧିକାରୀମାନେ କେବଳ ଦିନ ଗଡ଼ାଇ ଚାଲିଛନ୍ତି। ଫଳରେ ବର୍ଷେ ହେଲା ଏହି ବସ୍ତିକୁ ପାଇପ୍ ଜଳ ମିଳୁନାହିଁ। ତେଣୁ ବାଧ୍ୟ ହୋଇ ବସ୍ତିବାସିନ୍ଦାମାନେ ପାଖ କେନାଲ ଓ ପୋଖରୀ ଉପରେ ନିର୍ଭର କରୁଛନ୍ତି। କେନାଲ ଜଳ ଦୂଷିତ ହୋଇଥିଲେ ବି ବସ୍ତିବାସିନ୍ଦାମାନେ ବାଧ୍ୟ ହେଉଛନ୍ତି ବୋଲି ସମାଜସେବୀ ନୀଳମଣି ମିଶ୍ର ଅଭିଯୋଗ କରିଛନ୍ତି। ତେବେ ବସ୍ତିବାସିନ୍ଦାମାନଙ୍କ ନିଜସ୍ୱ ପ୍ରଚେଷ୍ଟାରେ ଖେଳାଯାଇଥିବା ଏକ ବୋର୍‌ୱେଲ୍‌ କିଛି ଲୋକଙ୍କୁ ଜଳ ଯୋଗାଉଥିଲେ ବି ତାହା ଯଥେଷ୍ଟ ହେଉନାହିଁ ବୋଲି ସେମାନେ କହିଛନ୍ତି। ତେଣୁ ଏବେ ସେମାନେ ବସ୍ତିଠାରୁ ଏକ କିଲୋମିଟର ଦୂରରେ ଅବସ୍ଥିତ ପୋଖରୀ ଉପରେ ନିର୍ଭର କରୁଛନ୍ତି ବୋଲି ମନୋରମା ଭୋଇ, ଉଲ୍ଲାସ ଭୋଇ ଓ ମନୋରମା କାଣ୍ଡି ପ୍ରମୁଖ କହିଛନ୍ତି।

ସମାନ ଦୁରବସ୍ଥା ଭୋଗୁଛନ୍ତି ପୁରୁଣା ଖଣ୍ଡୁଆଳ ବସ୍ତିବାସିନ୍ଦା। ବସ୍ତିକୁ ପାଇପ୍‌ ଜଳ ଯୋଗାଣ କରାଯାଉଥିଲା। ମାତ୍ର ବାତ୍ୟା ଫନି ପରଠାରୁ ପାଇପ୍‌ ବ୍ୟବସ୍ଥାରେ କେଉଁଠି ତ୍ରୁଟି ରହିବାରୁ ଆଉ ତାହା କାମ କରୁନାହିଁ। ସେହି କାଳରୁ ପାଇପ୍‌ ଜଳଯୋଗାଣ ବନ୍ଦ ରହିଛି। ସେଠାରେ ଦୁଇଟି ନଳକୂପ ଥିଲେ ମଧ୍ୟ ଗୋଟେ ଅଚଳ ହୋଇଯାଇଛି ଓ ଅନ୍ୟଟିରୁ ଦୁର୍ଗନ୍ଧମୟ ପଚା ପାଣି ବାହାରୁଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। ସେହିଭଳି ବୋର୍‌ୱେଲ୍‌ର ଯନ୍ତ୍ରାଂଶ ସବୁ ନଷ୍ଟ ହୋଇଯାଇଥିବାରୁ ତାହା ବି ଅଚଳ ହୋଇପଡ଼ିଛି। ପ୍ରଶାସନକୁ ବାରମ୍ବାର ଅଭିଯୋଗ କଲା ପରେ ମଧ୍ୟ କେହି ଶୁଣୁନାହାନ୍ତି ବୋଲି ବିନୋଦିନୀ ବେହେରା, ବୈଦେହୀ ଦାସ, ଶାନ୍ତିଲତା ବେହେରା ପ୍ରମୁଖ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର