ଭୁବନେଶ୍ୱର: ଚନ୍ଦକା-ଡମପଡ଼ା ଜଙ୍ଗଲରୁ ବାହାରି ଭୁବନେଶ୍ୱର ସହର ମଧ୍ୟରେ ପ୍ରବାହିତ ଗଙ୍ଗୁଆ ନଦୀ ପ୍ରତି ସବୁଆଡୁ ବିପଦ ମାଡ଼ି ବସିଛି। ଭୁବନେଶ୍ୱରର ବର୍ଜ୍ୟ ଓ ଦୂଷିତ ଜଳ ଗଙ୍ଗୁଆ ଏବଂ ଏହାର ଉପନଦୀମାନଙ୍କରେ ପଡ଼ିବା ଫଳରେ ଗଙ୍ଗୁଆ ନଦୀ ଭୀଷଣ ଭାବେ ପ୍ରଦୂଷିତ ହେବାରେ ଲାଗିଛି। ସେହିଭଳି ଗଙ୍ଗୁଆ ଏବଂ ଏହାର ୧୮ ଉପନଦୀ ଏବେ ଜବରଦଖଲକାରୀଙ୍କ କବ୍ଜାରେ ରହି ଚରମ ସଂକଟଜନକ ସ୍ଥିତି ଦେଇ ଗତି କରୁଛନ୍ତି। ଏସବୁ ପ୍ରାକୃତିକ ଝର ଦିନେ ଗଙ୍ଗୁଆର ଉପନଦୀ ଥିଲେ ବୋଲି ଇତିହାସ ହେବାକୁ ଆଉ ବେଶି ସମୟ ଲାଗିବ ନାହିଁ।
Sambad is now on WhatsApp
Join and get latest news updates delivered to you via WhatsApp
ପୌରାଣିକ ଓ ଐତିହାସିକ ଦୃଷ୍ଟିକୋଣରୁ ଗଙ୍ଗୁଆ ନଦୀର ଏକ ଗୁରୁତ୍ୱ ରହିଛି। ଅତୀତରେ ଏହାର ନାମ ଗନ୍ଧବତୀ ଥିଲା। କାଳକ୍ରମେ ଏହା ଅପଭ୍ରଂଶ ହୋଇ ଗଙ୍ଗୁଆ ନାମରେ ପରିଚିତ ହୋଇଛି। ଚନ୍ଦକା-ଡମପଡ଼ା ଜଙ୍ଗଲର କମାରଖୁଣ୍ଟି ଜଳ ଉତ୍ସରୁ ଗଙ୍ଗୁଆ ନିର୍ଗତ ହୋଇଛି। ନିର୍ଗତ ସ୍ଥଳରୁ ଗଙ୍ଗୁଆର ନାମ ‘ବିଶୁଆଣି’ ଥିବାବେଳେ ଝୁମୁକା ଜଳ ଉତ୍ସରୁ ‘ବଡ଼ଜୋଡ଼’ ଏବଂ କମାରଖୁଣ୍ଟିରୁ ନିର୍ଗତ ଅନ୍ୟ ଏକ ଜଳଧାର ‘ଛତିନିଆ’ ନନ୍ଦନକାନନ ରୋଡ୍ ନିକଟସ୍ଥ ପଥରଗାଡ଼ିଆ ନିକଟରେ ମିଳିତ ହୋଇ ‘ବୁଡୁନଈ’ ନାମ ଧାରଣ କରିଛି। କିଛିବାଟ ଆଗେଇବା ପରେ ଇଞ୍ଜଣା ଗାଁ ନିକଟରୁ ଏହା ଗଙ୍ଗୁଆ ନାମରେ ପ୍ରବାହିତ ହୋଇଛି। କଳିଙ୍ଗ ସମ୍ରାଟ ଖାରବେଳଙ୍କ ରାଜଧାନୀ କୁହାଯାଉଥିବା ଶିଶୁପାଳଗଡ଼, ପଟିଆ ରାଜାଙ୍କ ଗଡ଼ ରସୁଲଗଡ଼, ବଡ଼ଗଡ଼, ଗଡ଼ଗୋପୀନାଥପୁର ଭଳି ଅନେକ ଦୁର୍ଗ ଓ ରାଜଉଆସ ଗଙ୍ଗୁଆ ନଦୀକୂଳରେ ଗଢ଼ି ଉଠିଥିଲା। ମାତ୍ର ଆଜି ଗଙ୍ଗୁଆ ଏକ କ୍ଷୁଦ୍ର ନାଳରେ ପରିଣତ ହେବା ସାଙ୍ଗକୁ ଏସବୁ ରାଜକୀୟ ସ୍ମାରକୀ ମଧ୍ୟ ଲୁପ୍ତ ହେବାକୁ ବସିଲେଣି। ଐତିହ୍ୟଭରା ଗଙ୍ଗୁଆକୁ ସୁରକ୍ଷା ଦେବା ଏବେ ଭୁବନେଶ୍ୱରବାସୀଙ୍କ ଚିନ୍ତାର କାରଣ ପାଲଟିଛି।
ଗଙ୍ଗୁଆ ନଦୀ ଚନ୍ଦକା-ଡମପଡ଼ାରୁ ନିର୍ଗତ ହୋଇ ନନ୍ଦନକାନନ, ପଟିଆ, କଳାରାହାଙ୍ଗ, ମଞ୍ଚେଶ୍ୱର, ଚକେଇସିଆଣି, ସମେଇଗାଡ଼ିଆ, ପାଣ୍ଡରା, ଝାରପଡ଼ା, ଲକ୍ଷ୍ମୀସାଗର, ବଡ଼ଗଡ଼, ଶିଶୁପାଳଗଡ଼, ପୁରୁଣା ଭୁବନେଶ୍ୱର ଦେଇ ପ୍ରବାହିତ ହେବାପରେ କଣ୍ଟି ନିକଟରେ ଦୟା ନଦୀରେ ପଡ଼ିଛି। ଗଙ୍ଗୁଆକୁ ତା’ର ଅଠର ଭଉଣୀ ଅର୍ଥାତ୍ ଗଙ୍ଗୁଆର ଅଠରଟି ପ୍ରମୁଖ ଉପନଦୀ (ପ୍ରାକୃତିକ ଝର) ସମୃଦ୍ଧ କରିଥାନ୍ତି। ବିଶୁଆଣି, ବଡ଼ଯୋଡ଼, ଛତିନିଆ, ରଙ୍ଗିଆ, ଭଙ୍ଗିଆ, ରଙ୍କନାଳିଆ, ଲୁହାଶଙ୍ଖ, ଡେରାସ ଝର, ବଟପୋଖରୀ ଧାର, ଘଙ୍ଗାପାଟଣା ଝର, ମାଳିପଦା ଜୋର, ଜୋକାନଦୀ, ଚୁଡ଼ଙ୍ଗଗଡ଼ ଝର, ନନ୍ଦନକାନନ ଝର, ଚନ୍ଦକା ଗାଁ ମନ୍ଦିର ପୋଖରୀ ଝର, କାଞ୍ଜିଆ ହ୍ରଦ, ରଙ୍ଗସାନି ମନ୍ଦିର ପୋଖରୀ, ବାଣୀବିହାର ତାଳପଦେଶ୍ୱରୀ ହ୍ରଦ ଭଳି ଅନେକ ପ୍ରାକୃତିକ ଜଳ ଉତ୍ସର ପାଣି ମଧ୍ୟ ଗଙ୍ଗୁଆ ନଦୀର ପାଣିକୁ ବଢ଼ାଇଥାନ୍ତି। ଏମାନଙ୍କୁ ପୁରାଣରେ ଗଙ୍ଗୁଆ ନଦୀର ନ’ ଭଉଣୀ ସହ ଚିତ୍ରଣ କରାଯାଇଛି। ମାତ୍ର ଏଥିରୁ ଅନେକ ପ୍ରାକୃତିକ ଝରକୁ ପୋତି ଏବେ କୋଠା ନିର୍ମାଣ କରାଯାଉଥିବାରୁ ଗଙ୍ଗୁଆର ଏହି ଭଉଣୀମାନେ ଏବେ ପୃଥିବୀ ପୃଷ୍ଠରୁ ନିଶ୍ଚିହ୍ନ ହୋଇଯିବାକୁ ବସିଲେଣି। ଏହିସବୁ ପ୍ରାକୃତିକ ଝରକୁ ପୋତି ଏହା ଉପରେ ଆପାର୍ଟମେଣ୍ଟ, ରାସ୍ତା, କଳକାରଖାନା, ଶିକ୍ଷାନୁଷ୍ଠାନ ଗଢ଼ି ଉଠିଛି। ନଦୀ ମଧ୍ୟରେ କଠିନ ବର୍ଜ୍ୟବସ୍ତୁ ପକାଯାଉଛି। କେତେକ ସ୍ଥାନରେ ପ୍ରାକୃତିକ ଝରଗୁଡ଼ିକୁ କଂକ୍ରିଟ୍ ଡ୍ରେନ୍ରେ ପରିଣତ କରାଯାଇଛି। ଅତୀତରେ ଗଙ୍ଗୁଆ ଏବଂ ଏହାର ଉପନଦୀମାନଙ୍କ ଦେଇ ଭୁବନେଶ୍ୱରର ଜଳ ଖୁବ୍ ସହଜହରେ ଜଳ ନିଷ୍କାସନ ହୋଇ ପାରୁଥିଲା। ମାତ୍ର ଏବେ ଏସବୁ ପୋତି ହୋଇ ପଡ଼ିବା ଫଳରେ ଭୁବନେଶ୍ୱର ସହରର ଜଳ ନିଷ୍କାସିତ ହୋଇ ନ ପାରି ମନୁଷ୍ୟକୃତ ବନ୍ୟା ସୃଷ୍ଟି ହେଉଛି। ଗଙ୍ଗୁଆର ସୁରକ୍ଷା କରିବାକୁ ହେଲେ ବିଡିଏ, ଜଳ ସଂପଦ ବିଭାଗ, ବିଏମ୍ସି, ନଗର ଉନ୍ନୟନ ବିଭାଗ, ଜଙ୍ଗଲ ଓ ପରିବେଶ ବିଭାଗ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଭୁବନେଶ୍ୱର ସ୍ମାର୍ଟ ସିଟି କର୍ତ୍ତୃପକ୍ଷ ମିଳିତ ଭାବେ ଏକ କମିଟି ଗଠନ କରିବାକୁ ହେବ। ଏହି କମିଟି ଗଙ୍ଗୁଆ ନଦୀକୁ ନେଇ ଏକ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରିବାକୁ ‘ଗଙ୍ଗୁଆ ସୁରକ୍ଷା ମଞ୍ଚ’ ତଥା ଓଡ଼ିଶା ଜଳ ବିରାଦରିର ଆବାହକ ମାନସ ରଂଜନ ମିଶ୍ର ଆହ୍ଵାନ ଜଣାଇଛନ୍ତି। ସେହିଭଳି ଗଙ୍ଗୁଆ ଓ ଏହାର ଉପନଦୀମାନଙ୍କରୁ ଜବରଦଖଲ ଉଚ୍ଛେଦ କରାଯିବା ନେଇ ବିଏମ୍ସି ପକ୍ଷରୁ ଉଦ୍ୟମ ଆରମ୍ଭ କରାଯାଉଛି ବୋଲି ଭୁବନେଶ୍ୱର ମହାନଗର ନିଗମର ମେୟର ଅନନ୍ତ ନାରାୟଣ ଜେନା ସୂଚନା ଦେଇଛନ୍ତି।