‘ଗଣମାଧ୍ୟମର କଣ୍ଠରୋଧ କରାଯାଉଛି’

ଭୁବନେଶ୍ବର: ଦିନକୁ ଦିନ ଗଣମାଧ୍ୟମର କଣ୍ଠରୋଧ ଉଦ୍ୟମ ବଢ଼ିବାରେ ଲାଗିଛି। ଦୀର୍ଘ ୧୮ବର୍ଷ କାଳ ନିରବଚ୍ଛିନ୍ନ ଭାବେ ରାଜ୍ୟରେ କ୍ଷମତାରେ ରହିବା ଫଳରେ ବିଜେଡି ଏକ ଭ୍ରଷ୍ଟ ଦଳରେ ପରିଣତ ହୋଇଛି। ବିଜେଡି କର୍ମୀ ଓ ନେତାମାନେ ନାନା ପ୍ରକାର ଅନ୍ୟାୟ ଅନୀତିରେ ଲିପ୍ତ ରହୁଛନ୍ତି। ଯେଉଁମାନେ ବିଜେଡି ଅବା ନବୀନ ବାବୁଙ୍କ ବିରୁଦ୍ଧରେ ସ୍ବରୋତ୍ତୋଳନ କରୁଛନ୍ତି, ସେମାନଙ୍କ ସ୍ବରକୁ ଚପାଇବା ପାଇଁ ‌ଉଦ୍ୟମ କରାଯାଉଛି। ଏମିତିକି ସେମାନଙ୍କୁ ଆକ୍ରମଣ କରାଯାଉଛି। ପୂର୍ବତନ ସା˚ସଦ ଖାରବେଳ ସ୍ବାଇଁଙ୍କ ଉପରେ ଆକ୍ରମଣ ଏହାର ନିଚ୍ଛକ ଉଦାହରଣ। ଗଣତନ୍ତ୍ର ସୁରକ୍ଷା ଅଭିଯାନ ପକ୍ଷରୁ ଲୋହିଆ ଏକାଡେମିଠାରେ ଆୟୋଜିତ ଏକ ପ୍ରତିବାଦ ସଭାରେ ଆଜି ଅତିଥିମାନେ ଏପରି ମତବ୍ୟକ୍ତ କରିଥିଲେ। ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀଙ୍କ ସଭାପତିତ୍ବ‌‌ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥିମାନେ କହିଥିଲେ ଯେ ରାଜ୍ୟରେ ଏକ ଭୟ ଓ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି। ବିରୋଧୀଙ୍କୁ ଦମନ କରିବା ପାଇଁ ନବୀନ ବାବୁ ସରକାରୀ ଅର୍ଥରେ ବିଜୁ ଯୁବ ବାହିନୀ ନାମରେ ଗୁଣ୍ତାବାହିନୀ ତିଆରି କରିଛନ୍ତି। ଗଣତନ୍ତ୍ରରେ ମତ ଅଧିକାର କରିବାର ସମସ୍ତଙ୍କର ଅଧିକାର ଥିବା ବେଳେ କ୍ଷମତା ଚାଲିଯିବା ଭୟରେ ସେମାନେ ଏହାକୁ ସହଜରେ ଗ୍ରହଣ କରିପାରୁନାହନ୍ତି। ଖାରବେଳ ସ୍ବାଇଁଙ୍କ ଉପରେ ତିନୋଟି ସ୍ଥାନରେ ଆକ୍ରମଣ ହୋଇଥିବା ବେଳେ ଏଯାଏଁ ସବୁ ଆକ୍ରମଣକାରୀଙ୍କୁ ଗିରଫ କରାଯାଇନାହିଁ। ସଭାରେ ଖାରବେଳ ସ୍ବାଇଁ, ପୂର୍ବତନ ମନ୍ତ୍ରୀ ବିଶ୍ବଭୂଷଣ ହରିଚନ୍ଦନ, ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ, ନିଶା ନିବାରଣ ଆନ୍ଦୋଳନର ରାଜ୍ୟ ଆବାହକ ପଦ୍ମଚରଣ ନାୟକ, କଂଗ୍ରେସ ଦଳର ଉପସଭାପତି ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ଅମିୟ ପାଣ୍ଡବ ଓ ବାନାମ୍ବର ବାରିକ, ସିପିଏମ ନେତା ଜଗନ୍ନାଥ ମିଶ୍ର, ପୂର୍ବତନ ବିଧାୟକ ରାଧାକାନ୍ତ ସେଠୀ, ପୂର୍ବତନ ବିଧାୟକ ନାରାୟଣ ରେଡୀ, ସମାଜବାଦୀ ପାର୍ଟିର ସାଧାରଣ ସମ୍ପାଦକ ସୁଦର୍ଶନ ପ୍ରଧାନ, ସମତା କ୍ରାନ୍ତି ଦଳର ନେତା ପ୍ରଭାସ ସାମନ୍ତରାୟ, ମଦନ ନନ୍ଦ, ଯୁବ ସଭାପତି ସାରଦା ପ୍ରସାଦ ସ୍ବାଇଁ, ଉତ୍କଳ ଭାରତ ରାଜ୍ୟ ଉପସଭାପତି ରାଜେନ୍ଦ୍ର ଦଳବେହେରା, ରିପବ୍ଲିକ ପାର୍ଟିର ରାଜ୍ୟ ଅଧ୍ୟକ୍ଷ ଅବଦୁଲ ୱାଲି ପ୍ରମୁଖ ଉଦ୍‌ବୋଧନ ଦେଇ ଖାରବେଳ ସ୍ବାଇଁଙ୍କୁ କରାଯାଇଥିବା ଆକ୍ରମଣର ତୀବ୍ର ନିନ୍ଦା କରିଥିଲେ।

ସମ୍ବନ୍ଧିତ ଖବର