ଗାଁ ସାଥୀଙ୍କ ଅଭିନବ ପ୍ରତିବାଦ, ଘାସ ଖାଇଲେ

ଭୁବନେଶ୍ବର: ନିଜର ଦାବି ଉପସ୍ଥାପନ ପାଇଁ ଗାଁ ସାଥୀ ସଂଘର ସଦସ୍ୟମାନେ ଅଭିନବ ଭାବେ ନିଜର ପ୍ରତିବାଦ ଜଣାଇଛନ୍ତି। ସଦସ୍ୟମାନେ ଘାସ ଖାଇ ନିଜର ପ୍ରତିବାଦ ଜଣାଇଛନ୍ତି। ଗାଁସାଥୀ ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟିର ସଦସ୍ୟମାନେ ବିଭିନ୍ନ ଦାବି ଉପସ୍ଥାପନ କରିବା ସହ ସାମ୍ବାଦିକ ସମ୍ମିଳନୀରେ ଘାସ ଖାଇ ପ୍ରତିବାଦ ଜଣାଇଛନ୍ତି। ପଞ୍ଚାୟତିରାଜ ବିଭାଗର ଚିଠି ଅନୁସାରେ, ଚଳିତ ଆର୍ଥିକ ବର୍ଷରେ ଗାଁ ସାଥୀ(ମେଟ୍) ସର୍ବନିମ୍ନ ୧୦୦ ଦିନର କାମ ପାଇବାରୁ ବଞ୍ଚିତ ହୋଇଛନ୍ତି। ଯେପରି ପଶ୍ଚିମାଞ୍ଚଳର ୪ ଜିଲ୍ଲା ଅନ୍ତର୍ଗତ ୨୦ ବ୍ଲକରେ ଜବକାର୍ଡଧାରୀମାନଙ୍କୁ ବର୍ଷକୁ ୨୦୦ ଦିନର କାର୍ଯ୍ୟ ଓ ଦୈନିକ ମଜୁରି ୨୮୬ ଟଙ୍କା ୩୦ ପଇସା ଘୋଷଣା କରାଯାଇଛି, ସେହିପରି ସାରା ଓଡ଼ିଶାରେ ଥିବା ୬୩ ଲକ୍ଷରୁ ଊର୍ଦ୍ଧ୍ବ ଜବ୍‌କାର୍ଡଧାରୀମାନଙ୍କ ପାଇଁ ଘୋଷଣା କରିବାକୁ ସଂଘ ଦାବି କରିଛି। ସେହିପରି ଉଭୟ ଜବକାର୍ଡଧାରୀ ଓ ଗାଁ ସାଥୀ(ମେଟ୍)ମାନଙ୍କ ବକେୟା ମଜୁରି ଓ ପ୍ରାପ୍ୟକୁ ସାରା ଓଡ଼ିଶାରେ ସଠିକ୍ ତଦନ୍ତ ପୂର୍ବକ ପ୍ରଦାନ କରିବା ପାଇଁ ସଂଘ ଦାବି କରିଛି। ଆଗାମୀ ସପ୍ତାହ ଭିତରେ ଦୁଇଟି ଦାବି ପୂରଣ ନ ହେଲେ ମାର୍ଚ୍ଚ ୩୦ ତାରିଖରେ ପରିବାର ସଦସ୍ୟଙ୍କ ସହ ଗାଁ ସାଥୀମାନେ ବିଧାନସଭା ଆଗରେ ଆନ୍ଦୋଳନ କରିବେ ବୋଲି ଉତ୍କଳ ସାମ୍ବାଦିକ ସଂଘଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସାଧାରଣ ସମ୍ପାଦକ ଲକ୍ଷ୍ମୀଧର ବିଶ୍ବାଳ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ସଭାପତି ସୌଭାଗ୍ୟ ମିଶ୍ର, ସଦସ୍ୟ କୁଳମଣି ମେଣ୍ଟା, ରବୀନ୍ଦ୍ର ପ୍ରଧାନ, ଗୀତାଞ୍ଜଳି ପାତ୍ର, ଚରଣ ନାୟକ, ପବିତ୍ର ସୁନ୍ଦରାୟ, ପରମାନନ୍ଦ ମାଝୀ, ଶଙ୍କର୍ଷଣ ପଲାଇ, ବିପିନ ନାହାକ, ସ୍ମୃତିରଞ୍ଜନ ନାୟକ, ସୁଶୀଳା ନାୟକ, କୁମୁଦୁନୀ ପତି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର