ଗୁରୁ ପ୍ରଣାମ ମହୋତ୍ସବ, ଜୀବିତାବସ୍ଥାରେ ଗୁରୁ ଋଣ ପରିଶୋଧ କରିବା ଉଚିତ

ଭୁବନେଶ୍ବର: ଆମ ସମାଜ ଗୁରୁଙ୍କୁ ଭଗବାନଙ୍କ ସ୍ଥାନ ଦେଇଛି। ସାମାଜିକ ପରିବର୍ତନରେ ବି ଗୁରୁମାନଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ତେଣୁ ଜୀବିତାବସ୍ଥାରେ ଗୁରୁ ଋଣ ପରିଶୋଧ କରିବାକୁ ସମସ୍ତେ ପ୍ରୟାସ କରିବା ଉଚିତ୍‌। ଆର୍ଯ୍ୟ ସନ୍ନ୍ୟାସୀ ସ୍ବାମୀ ବ୍ରହ୍ମାନନ୍ଦ ସରସ୍ବତୀଙ୍କ ପ୍ରତିଷ୍ଠିତ ସ୍ବାମୀ ଦୟାନନ୍ଦ ସର୍ଭିସ ମିସନ ପକ୍ଷରୁ ବୁଦ୍ଧ ମନ୍ଦିରରେ ଅନୁଷ୍ଠିତ ୨୨ତମ ଗୁରୁ ପ୍ରଣାମ ମହୋତ୍ସବରେ ଅତିଥିମାନେ ଏହା କହିଛନ୍ତି। ଅନୁଷ୍ଠାନର ଅଧ୍ୟକ୍ଷ ଡ. ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମହୋତ୍ସବରେ ପିସିସି ସଭାପତି ନିରଂଜନ ପଟ୍ଟନାୟକ ଉଦ୍‌ଘାଟକ ଭାବେ ଯୋଗ ଦେଇଥିବା ବେଳେ ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ଡ.ବିମଳେନ୍ଦୁ ମହାନ୍ତି, ବିଶିଷ୍ଟ ସଂସ୍କୃତ ବିଦ୍ବାନ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର, ‘ସୁବାର୍ତା’ର ସମ୍ପାଦକ ପ୍ରଦ୍ୟୁମ୍ନ ଶତପଥୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।

ଏହି ଅବସରରେ ସାହିତ୍ୟ, ସଂସ୍କୃତି ଓ ସଂସ୍କୃତ ଶିକ୍ଷା କ୍ଷେତ୍ରରେ ଜୀବନବ୍ୟାପୀ ସାଧନା ପାଇଁ ଖ୍ରୀଷ୍ଟ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡ.ଭାସ୍କର ଚନ୍ଦ୍ର ଖଟେଇ, ପାଲା ଗାୟକ ଚିନ୍ମୟ ବଳଭଦ୍ର ପଣ୍ଡା, ଡ.ଆର୍ତତ୍ରାଣ ମିଶ୍ରଙ୍କୁ ଗୁରୁ ପ୍ରଣାମ ସମ୍ମାନ ସହ ସ୍ବାମୀ ବ୍ରହ୍ମାନନ୍ଦ ସରସ୍ବତୀ, ସ୍ବାମୀ ସତ୍ୟକାମାନନ୍ଦ ସରସ୍ବତୀ, ଜଗନ୍ନାଥାନନ୍ଦ ସରସ୍ବତୀ ଓ ଅଭିରାମ ସରସ୍ବତୀଙ୍କୁ ସମ୍ବର୍ଧିତ କରାଯାଇଥିଲା। ପ୍ରବକ୍ତା ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା କାର୍ଯ୍ୟକ୍ରମ ସଂଚାଳନ କରିଥିଲେ। ସୀତାବଲ୍ଲଭ ମହାପାତ୍ର ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ଡ.ଯୁଧିଷ୍ଠିର ଖଟୁଆ ଧନ୍ୟବାଦ ଦେଇଥିଲେ। ସୀତାଂଶୁ ରାଉତ ପ୍ରାରମ୍ଭିକ ସଂଗୀତ ପରିବେଷଣ କରିଥିଲେ। ପଣ୍ଡିତ ବିନୋଦ ବିହାରୀ ଦାଶଙ୍କ ଦ୍ବାରା ଆର୍ଯ୍ୟ ଭବନରେ ଶାନ୍ତି ଯଜ୍ଞ କରାଯାଇଥିଲା। ବାସ୍ତୁବିତ୍‌ ଡ.ମନୋଜ ଲେଙ୍କା, ଆଡ୍‌ଭୋକେଟ୍‌ ବନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର