ଗୋରୁବୋଝେଇ ଗାଡ଼ିକୁ ଢେଲାମାଡ଼ରୁ ପିଟାପିଟି

ଖଣ୍ଡଗିରି: ୧୦ ତାରିଖ ରାତିରେ ତମାଣ୍ଡୋ ଥାନା କଳିଙ୍ଗବିହାର ଛକରେ ଜଣେ ଯୁବକଙ୍କୁ ହୋଇଥିବା ପ୍ର‌ାଣାନ୍ତକ ଆକ୍ରମଣ ମାମଲାର ଅଭିଯୁକ୍ତମାନଙ୍କୁ ପୁଲିସ ଗିରଫ କରିପାରିନାହିଁ। ଦୁଇ ପକ୍ଷରୁ ଦୁଇଟି ଅଭିଯୋଗ କରାଯାଇଥିବାବେଳେ ପୁଲିସ ଅଧିକ ତଦନ୍ତ ଚଳାଇଥିବା ସୂଚନା ଦେଇଛି। ଆକ୍ରମଣରେ ଆହତ ହୋଇଥିବା ଯୁବକ ଭଗବାନ ବେହେରା ଏହାକୁ ଗାଡ଼ି ସାଇଡ୍‌ ମରାରୁ ଗଣ୍ଡଗୋଳ ଓ ଲୁଟ୍ ବୋଲି ଅଭିଯୋଗରେ ଦର୍ଶାଇଛନ୍ତି। କିନ୍ତୁ ଅପରପକ୍ଷର ଅଭିଯୋଗ ଯେ ଗୋରୁବୋଝେଇ ଗାଡ଼ିକୁ ‌ଢେଲାମାଡ଼ କାରଣରୁ ଗଣ୍ଡଗୋଳ ହୋଇଛି। ପ୍ରଥମ ଅଭିଯୋଗକାରୀ ପୁରୀ ଜିଲ୍ଲା ବଳଙ୍ଗା ଥାନା ହରିପୁର ଗାଁର ଭଗବାନଙ୍କ ଏତଲା ଅନୁସାରେ ସେ ରାତି ପ୍ରାୟ ସାଢ଼େ ୧୧ଟା ସମୟରେ ଏକ ବିବାହ ଭୋଜିରୁ କଳିଙ୍ଗବିହାର ଫେରୁଥିଲେ। ସେ କଳିଙ୍ଗବିହାର ଛକ ଦେଇ ଅତିକ୍ରମ କରୁଥିବାବେଳେ ଆଗପଛ ହୋଇ ଯାଉଥିବା ଏକ ସ୍କର୍ପିଓ ଓ ଏକ ସ୍ବିଫ୍ଟି ଡିଜାୟାର୍ କାର ତାଙ୍କୁ ସାଇଡ୍ ମାରିଥିଲା। ଭଗବାନ ସ୍କୁଟିରୁ ପଡ଼ୁପଡ଼ୁ ନିଜକୁ ସମ୍ଭାଳି ନେଇଥିଲେ ଓ ସେମାନଙ୍କୁ ଚାହିଁଥିଲେ। ଗାଡ଼ି ଦୁଇଟିକୁ ରଖି ଦେଇ ଦୁର୍ବୃତ୍ତମାନେ ଭଗବାନଙ୍କ ପାଖକୁ ଆସି ଚାହିଁବାର କାରଣ ପଚାରି ଧମକ ଦେଇଥିଲେ ଓ ମାଡ଼ ମାରି ତାଙ୍କୁ ରକ୍ତାକ୍ତ କରିଦେଇଥିଲେ। ଜଣେ ଦୁର୍ବୃତ୍ତ ତାଙ୍କ ବେକରୁ ସୁନାଚେନ୍ ଛିଣ୍ଡାଇ ନେଇଥିବାବେଳେ ଅନ୍ୟ ଜଣେ ପକେଟ୍‌ରୁ ପର୍ସ ବାହାର କରିନେଇଥିଲା। ପରେ ତାଙ୍କୁ ରାସ୍ତାକଡ଼କୁ ଠେଲି ଦେଇ ଚାଲି ଯାଇଥିଲେ। ମାତ୍ର ତମାଣ୍ଡୋ ଥାନା ସୂତ୍ରରୁ ମିଳିଥିବା ସୂଚନାନୁସାରେ ଅପରପକ୍ଷ ବି ଏକ ଏତଲା କରିଛନ୍ତି। ସେମାନଙ୍କ ଅଭିଯୋଗ ଅନୁସାରେ ୧୬ ନମ୍ବର ଜାତୀୟ ରାଜପଥ ଉପରେ ଯାଉଥିବା ଗୋରୁ ବୋଝେଇ ଗାଡ଼ିକୁ ଭଗବାନ ଓ ଆଉ କିଛି ଯୁବକ ଢେଲାମାଡ଼ କରି ଅଟକାଉଥିଲେ। ଫଳରେ ରାଜପଥ ଉପରେ ଯାଉଥିବା ଅନ୍ୟ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଏହାକୁ ନେଇ ପ୍ରତିବାଦ କରିବାରୁ ଦୁଇ ପକ୍ଷଙ୍କ ମଧ୍ୟରେ ପିଟାପିଟି ହୋଇଥିଲା। ସେମାନେ ଗୋରୁବୋଝେଇ ଗାଡ଼ିର ସୁରକ୍ଷାଦାତା(ଏସ୍କର୍ଟ) ବୋଲି ସ୍ବୀକାର କରି ନଥିଲେ ମଧ୍ୟ ପୁଲିସ ସେମାନଙ୍କ ଉପରେ ସନ୍ଦେହ କରିଛି। ତଦନ୍ତ ଶେଷ ହେବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଇଆଇସି ଏ ବେଉରା କହିଛନ୍ତି।

ସମ୍ବନ୍ଧିତ ଖବର