ଚକେଇସିହାଣିରେ ଆତଙ୍କରାଜ

ଖଣ୍ଡା ଓ ଭୁଜାଲି ଧରି ବୁଲିଲେ ଦୁଇ ଗୋଷ୍ଠୀ , ଗୋଷ୍ଠୀ ସଂଘର୍ଷ ଆଶଙ୍କା

ଚନ୍ଦ୍ରଶେଖରପୁର : ଚକେଇସିହାଣି ସୀତାରାମ ଛକରେ ଆଜି ରାତି ପ୍ରାୟ ୯ଟା ସମୟରେ ଦୁଇ ଭିନ୍ନ ଭିନ୍ନ ଗୋଷ୍ଠୀର କିଛି ଅସାମାଜିକ ଯୁବକ ଖଣ୍ଡା ଭୁଜାଲି ଧରି ଆତଙ୍କରାଜ ସୃଷ୍ଟି କରିଥିଲେ। ଫଳରେ ଦୋକାନ ବଜାର ବନ୍ଦ ହୋଇ ଯାଇଥିଲା। ଏହାକୁ ନେଇ ସମଗ୍ର ଅଞ୍ଚଳରେ ଆତଙ୍କ ଖେଳି ଯାଇଥିବାବେଳେ ଗୋଷ୍ଠୀ ସଂଘର୍ଷର ଆଶଙ୍କା ସୃଷ୍ଟି ହୋଇଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ସମସ୍ତେ ଫେରାର ହୋଇଯାଇଥିଲେ। ପୁଲିସ ସେମାନଙ୍କୁ ଗିରଫ କରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ ଆରମ୍ଭ କରିଛି। ନିକଟରେ ଜେଲ୍‌ରୁ ଫେରିଥିବା ଜଣେ ଅଭିଯୁକ୍ତ ତାର ସହଯୋଗୀମାନଙ୍କୁ ନେଇ ଏପରି ଆତଙ୍କ ସୃଷ୍ଟି କରିଥିବା କୁହାଯାଉଛି। ହାତରେ ଖଣ୍ଡା ଭୁଜାଲି ଧରି ଅନ୍ୟ ଏକ ଗୋଷ୍ଠୀର ଯୁବକମାନଙ୍କୁ ଖୋଜାଖୋଜି କରିବା ସହିତ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ତେବେ ସେମାନେ ଚାଲିଯିବାର କିଛି ସମୟ ପରେ ଅନ୍ୟ ଗୋଷ୍ଠୀର ପ୍ରାୟ ୮ ଜଣ ଯୁବକ ଖଣ୍ଡା ଓ ଭୁଜାଲି ଧରି ସେହି ସୀତାରାମ ଛକରେ ଆତଙ୍କ ଖେଳାଇଥିଲେ। ସେମାନେ ମଧ୍ୟ ଗାଳିଗୁଲଜ କରିବା ସହିତ ପୂର୍ବରୁ ଆତଙ୍କ ସୃଷ୍ଟି କରିଥିବା ଯୁବକମାନଙ୍କୁ ଜୀବନରୁ ମରିଦେବାକୁ ଧମକ ଦେଇଥିଲେ। ପୂର୍ବ ଶତ୍ରୁତାକୁ ନେଇ ଏପରି ଗଣ୍ଡଗୋଳ ହୋଇଥିବା କୁହାଯାଉଛି।

ସୂଚନା ଅନୁଯାୟୀ ଜାନୁଆରି ମାସ ଶେଷ ସପ୍ତାହରେ ଭିଏସ୍‌ଏସ୍‌ ନଗରରେ ଥିବା ଏକ ସ୍କୁଲ୍‌ରେ କମେଣ୍ଟ୍‌ ମରିବାକୁ କେନ୍ଦ୍ର କରି ଭୀଷଣ ଗଣ୍ଡଗୋଳ ହୋଇଥିଲା। ସେଦିନ ସହିଦନଗର ଥାନା ଅଧୀନ ଉତ୍କଳ ବିଶ୍ୱବିଦ୍ୟାଳୟ ଆଇନ୍‌ କଲେଜ ସମ୍ମୁଖରେ ଭୋଟପଡ଼ାର ଜଣେ ଯୁବକଙ୍କୁ ଅନ୍ୟ ଏକ ଗୋଷ୍ଠୀର କିଛି ଯୁବକ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ। ଏ ନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଚିଆଁ ନାମକ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସେହିପରି ଗତ ୧୫ ଦିନ ତଳେ ରଙ୍ଗମାଟିଆର ଓ ଭୋଟପଡ଼ାର କିଛି ଯୁବକଙ୍କ ମଧ୍ୟରେ ରଙ୍ଗମାଟିଆ ଗାଁ ମଧ୍ୟରେ ସଂଘର୍ଷ ହୋଇଥିଲା। ଏହି ଘଟଣାକୁ ନେଇ ଆଜି ଏପରି ଆତଙ୍କରାଜ ହୋଇଥିବା କୁହାଯାଉଛି। ଅନ୍ୟପକ୍ଷରେ ଆଗକୁ ଦୋଳଯାତ୍ରା ହେବାକୁ ଥିବାବେଳେ ସ୍ଥାନୀୟ ଅଞ୍ଚଳରେ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପୁଲିସ ପାଇଁ ଚ୍ୟାଲେଞ୍ଜ ହେବ ବୋଲି ଚର୍ଚା ହେଉଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଯାତ୍ରା ପୂର୍ବରୁ ବ୍ୟାପକ ପୁଲିସ ମୁତୟନ କରିବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର