ଚିତ୍ତରଞ୍ଜନ ଦାସ ଜନ୍ମ ଶତବାର୍ଷିକୀ ବକ୍ତୃତାମାଳାର ପ୍ରଥମ ଖଣ୍ଡ ‘ଆଉ ଏକ ସକାଳ’ର ଉନ୍ମୋଚିତ

ଭୁବନେଶ୍ବର, ୨୬/୮ (ଇମିସ): ଅନୁଗୁଳର ଚମ୍ପତିମୁଣ୍ଡାଠାରେ ୧୯୫୪ ଅଗଷ୍ଟ ୨୬ ତାରିଖରେ ବିଶିଷ୍ଟ ଲେଖକ ଓ ଚିନ୍ତାନାୟକ ପ୍ରଫେସର ଚିତ୍ତରଂଜନ ଦାସ ପ୍ରତିଷ୍ଠା କରିଥିବା ଜୀବନ ବିଦ୍ୟାଳୟର ଜନ୍ମଦିନ ଉପଲକ୍ଷେ ସାରା ରାଜ୍ୟରେ ଆଜି ଜୀବନ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ପାଳିତ ହୋଇଛି। ଏହି ପରିପ୍ରେକ୍ଷୀରେ ଚମ୍ପତିମୁଣ୍ଡା ସମେତ ଆଜି ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରଫେସର ଦାସଙ୍କ ଜନ୍ମ ଶତବାର୍ଷିକୀ ବକ୍ତୃତାମାଳାର ପ୍ରଥମ ଖଣ୍ଡ ‘ଆଉ ଏକ ସକାଳ’ ଉନ୍ମୋଚିତ ହୋଇଛି। ଏହି ପୁସ୍ତକରେ ଚିତ୍ତଭାଇଙ୍କ ଜୀବନୀ ଓ କାର୍ଯ୍ୟାବଳୀ ସମ୍ପର୍କରେ ମୋଟ ୧୫ଟି ଆଲେଖ୍ୟ ସ୍ଥାନ ପାଇଛି।

ତତ୍କାଳୀନ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ରାଷ୍ଟ୍ରଦୂତ ପଦବିକୁ ପ୍ରତ୍ୟାଖାନ କରି ଚିତ୍ତଭାଇ ଚମ୍ପତିମୁଣ୍ଡାରେ ଶିକ୍ଷକ ଜୀବନକୁ ଆଦରି ନେଇଥିଲେ। ବାପି ଓ ନୁମାଙ୍କ ଆହ୍ୱାନରେ ଚିତ୍ତଭାଇ ସେଠାରେ ରବୀନ୍ଦ୍ରନାଥ, ଗାନ୍ଧୀଜୀ ଓ ଶ୍ରୀଅରବିନ୍ଦଙ୍କ ଶିକ୍ଷାର ଏକ ଅଭିନବ ପ୍ରୟୋଗ କରିଥିଲେ। ଶିକ୍ଷା କ୍ଷେତ୍ରରେ ଏହି ଜୀବନଧର୍ମୀ ପ୍ରୟୋଗ ଆଜି ବି ଜନମାନସରେ ଉଜ୍ଜୀବିତ ହୋଇ ରହିଛି। ଏପରି ଜଣେ ମହାନ ବ୍ୟକ୍ତିଙ୍କୁ ମନେ ପକାଇବା ଲାଗି ଆଜି ରାଜ୍ୟର ରାଉରକେଲା, ଜଳେଶ୍ବର, ଉମରକୋଟ, ଡାବୁଗାଁ, ବାରିପଦା, ଅଯୋଧ୍ୟା, ଚମ୍ପତିମୁଣ୍ଡା, ଗୁଣୁପୁର ସେବା ସମାଜ, ବିଷ୍ଣୁବିନ୍ଧା ଅଭିପ୍ସା, ବାରିପଦା ସୁପ୍ରିମ ନିବାସ, ଆମ୍ବଡାଲି, କଟକ ମାତୃଭବନ, ତାଳଚେରର ଡେରା ପ୍ରଭୃତି ସ୍ଥାନରେ ‘ଆଉ ଏକ ସକାଳ’ ଉନ୍ମୋଚିତ ହୋଇଯାଇଛି। ଗୁଣୁପୁର ସେବା ସମାଜ ଠାରେ ପଦ୍ମଶ୍ରୀ ଶାନ୍ତି ଅପା ‘ଆଉ ଏକ ସକାଳ’କୁ ଉନ୍ମୋଚନ କରିଥିଲେ। ସେହିପରି ଅନ୍ୟସବୁ ସ୍ଥାନରେ ଚିତ୍ତଭାଇଙ୍କୁ ଭଲ ପାଉଥିବା ବହୁ ବିଶିଷ୍ଟ ବ୍ୟକ୍ତି ଏହି ପୁସ୍ତକ ଉନ୍ମୋଚନ ଉତ୍ସବରେ ଉପସ୍ଥିତ ଥିଲେ।

ରାଉରକେଲାର ପ୍ରଗତି ଉତ୍କଳ ସଂଘ, ଫୋକ୍‌ ଲୋର ଫାଉଣ୍ଡେସନ, ଇଣ୍ଡିଆ, ଅନୁରାଗୀ ବନ୍ଧୁଙ୍କ ସହାୟତାରେ ଏପରି କାର୍ଯ୍ୟକ୍ରମ ରାଜ୍ୟରେ ପ୍ରଥମ କରି ଆୟୋଜିତ ହୋଇଛି। ଭୁବନେଶ୍ୱର ‘ଶିକ୍ଷା ସନ୍ଧାନ’ ତରଫରୁ ପ୍ରକାଶିତ ଏହି ପୁସ୍ତକରେ ଶୈଳଜ ରବି, ଡ. ଗୟାଧର ଦାସ, ଡ. ରାଜକିଶୋର ପାଢ଼ୀ, ଡା. ପ୍ରଦୀପ କୁମାର ମିଶ୍ର, ଡ. ବିରଜା ରାଉତରାୟ, ଡ. ଜଚିନ୍ଦ୍ର କୁମାର ରାଉତ, ଡ. ପ୍ରଫୁଲ୍ଲ କୁମାର ଦେ, ଡ. ମହେନ୍ଦ୍ର କୁମାର ମିଶ୍ର, ବିଜୟ ଉପାଧ୍ୟାୟ, ସବ୍ୟସାଚୀ ବିଶୋଇ ପ୍ରମୁଖଙ୍କ ଆଲେଖ୍ୟ ସ୍ଥାନ ପାଇଛି।

ସମ୍ବନ୍ଧିତ ଖବର