ଛତିଶଗଡ଼ରୁ ୧୦ କୋଟି ୯୦ ଲକ୍ଷ ଟଙ୍କା ଜବତ ଘଟଣା: ଇଡିର ସହଯୋଗ ନେବ ଇଓଡବ୍ଲ୍ୟୁ

ଭୁବନେଶ୍ବର: ଛତିଶଗଡ଼ ମହାସମୁଦ ପୁଲିସ ଜବତ କରିଥିବା ୧୦ କୋଟି ୯୦ ଲକ୍ଷ ଟଙ୍କା ଘଟଣାରେ କ୍ରାଇମ୍‌ ବ୍ରାଞ୍ଚ ଇଡିର ସହଯୋଗ ନେବ। ସେହିପରି ଆୟକର ବିଭାଗ ସହିତ ମଧ୍ୟ ବିଚାର ବିମର୍ଶ କରାଯାଇ ତଦନ୍ତ ପ୍ରକ୍ରିୟାକୁ ତ୍ବରାନ୍ବିତ କରାଯିବ ବୋଲି କ୍ରାଇମ୍‌ ବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟ ସୂଚନା ଦେଇଛନ୍ତି। ଏଡିଜି ଶ୍ରୀ ଉପାଧ୍ୟାୟ କହିଛନ୍ତି, ଯେଉଁ ଟଙ୍କା ଭୁବନେଶ୍ବରରୁ ଆଗ୍ରା ଯାଉଥିଲା ସେ ଟଙ୍କାର ମାଲିକ କେନ୍ଦୁଝରର ଗୁଟ୍‌ଖା ବ୍ୟବସାୟୀ ରାଜେଶ ଗୁପ୍ତାଙ୍କର। ରାଜେଶଙ୍କର କୌଣସି ପତ୍ତା ପାଇ ନାହିଁ କ୍ରାଇମ୍‌ ବ୍ରାଞ୍ଚ। ରାଜେଶଙ୍କ ମୋବାଇଲ୍ ଫୋନ୍ ଟ୍ରାକ କରି ବିଭିନ୍ନ ସ୍ଥାନରେ ଚଢ଼ଉ ହେଉଛି। ଜବତ ଟଙ୍କା ମଞ୍ଚେଶ୍ବରରୁ ଆଗ୍ରା ଯାଉଥିଲା ବୋଲି ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇଛି। ଏଥିପାଇଁ ଇଓଡବ୍ଲ୍ୟୁ ପକ୍ଷରୁ ମଞ୍ଚେଶ୍ବର ଓ କେନ୍ଦୁଝରରେ ଚଢ଼ଉ କରାଯାଇଥିଲା। ରାଜେଶ ଏତେଗୁଡ଼ିଏ ଟଙ୍କା କ’ଣ ପାଇଁ ନଗଦ ଆକାରରେ ଆଗ୍ରା ପଠାଉଥିଲେ ତାର ତଦନ୍ତ ଚାଲିଛି। ଏଥିପାଇଁ ଏକ ଟିମ ଆଗ୍ରା ଯିବ ବୋଲି କ୍ରାଇମ୍‌ ବ୍ରାଞ୍ଚ ଏଡିଜି ଶ୍ରୀ ଉପାଧ୍ୟାୟ କହିଛନ୍ତି। ଏଠାରେ ପ୍ରକାଶଥାଉକି, ଚଳିତ ମାସ ୧୯ ତାରିଖରେ ଛତିଶଗଡ଼ର ମହାସମୁଦ ପୁଲିସ ମଧ୍ୟ ପ୍ରଦେଶ ସୀମାରେ ଯାନବାହାନ ଯାଞ୍ଚ କରିବାବେ‌ଳେ ଓଡ଼ିଶାର କଟକରୁ ଯାଉଥିବା ଏକ ଟୋୟଟା କାର ଜବତ କରିଥିଲା ଯେଉଁଥିରେ ୧୦ କୋଟି ୯୦ ଲକ୍ଷ ଟଙ୍କା ଥିଲା। ଏତେ ପରିମା‌ଣର ଟଙ୍କା କେଉଁଠିକୁ ପଠାଯାଉଥିଲା, କିଏ ପଠାଉଥିଲା ତାର ଖୋଳତାଡ଼ ବେଳେ ଜଣାପଡ଼ିଥିଲା କି ଆଗ୍ରାର ବିବୁଧେଶ ଅଗ୍ରୱାଲ ନାମକ ଜଣେ ବ୍ୟକ୍ତିଙ୍କ ଟଙ୍କା ସେହି ଗାଡ଼ିରେ ଆଗ୍ରା ଯାଉଥିଲା। ଏହାକୁ ନେବାପାଇଁ ଆଗ୍ରାରୁ ବନବାରୀ, ପ୍ରହ୍ଲାଦ, ମହମ୍ମଦ ଇବ୍ରାହିମ, ନଜ୍‌ମା ନାମକ ଜଣେ ମହିଳା ଓଡ଼ିଶା ଆସିଥିଲେ। ଏହା ପରେ ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ଘଟଣାର ତଦନ୍ତ ପାଇଁ କ୍ରାଇମ୍‌ ବ୍ରାଞ୍ଚକୁ ନି‌ର୍ଦେଶ ଦେଇଥିଲେ। କିନ୍ତୁ ଛତିଶଗଡ଼ ପୁଲିସ ଘଟଣାର ତଦନ୍ତ ପାଇଁ ଆୟକର ବିଭାଗକୁ ନିର୍ଦେଶ ଦେଇଥିଲା। ଆୟକର ବିଭାଗର ଏକ ସ୍ବତନ୍ତ୍ର ଟିମ୍‌ ଘଟଣାର ତଦନ୍ତ କରୁଛନ୍ତି।

ସମ୍ବନ୍ଧିତ ଖବର