ଜରୁରୀ ପରିସ୍ଥିତି ରାଜବନ୍ଦୀ ଅଭିଯାନର ବାର୍ଷିକ ଅଧିବେଶନ, ରାଜବନ୍ଦୀଙ୍କୁ ସ୍ବାଧୀନତା ସଂଗ୍ରାମୀ ମାନ୍ୟତା ମିଳୁ

ଭୁବନେଶ୍ବର: ସ୍ବାଧୀନତା ସଂଗ୍ରାମ ଭଳି ଗଣତନ୍ତ୍ରର ସୁରକ୍ଷା ପାଇଁ ଜରୁରୀ କାଳୀନ ପରିସ୍ଥିତି ବେଳେ ହୋଇଥିବା ସଂଗ୍ରାମ ଅନ୍ୟତମ ଜାତୀୟ ମୁକ୍ତି ଆନ୍ଦୋଳନ। ଅଥଚ ଏକଛାତ୍ରବାଦ ଶାସନକୁ ଉଚ୍ଛେଦ କରି ଗଣତନ୍ତ୍ରର ସୁରକ୍ଷା ପାଇଁ ନିଜକୁ ଉତ୍ସର୍ଗ କରିଥିବା ଏହି ସଂଗ୍ରାମୀଙ୍କୁ ଏଯାଏଁ ସ୍ବୀକୃତି ମିଳିଲା ନାହିଁ। ଦେଶର ୧୦ରୁ ଅଧିକ ରାଜ୍ୟରେ ଏହି ସଂଗ୍ରାମୀମାନଙ୍କୁ ମାନ୍ୟତା ମିଳିବା ସହ ବିଭିନ୍ନ ସୁବିଧା ସୁଯୋଗ ମିଳୁଛି। ହେଲେ ଓଡ଼ିଶାରେ ବର୍ଷେ ତଳେ ମାନ୍ୟତା ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲେ ହେଁ ତାହା ହୋଇପାରିନାହିଁ। ତେଣୁ ଏହାକୁ ନେଇ କ୍ଷୋଭ ପ୍ରକାଶ କରିଥିଲେ ୧୯୭୫ ମସିହାରେ ଜରୁରୀ କାଳୀନ ପରିସ୍ଥିତିରେ ବନ୍ଦୀ ହୋଇଥିବା ସଂଗ୍ରାମୀମାନେ। ଆଜି ‘ଜରୁରୀ ପରିସ୍ଥିତି ରାଜବନ୍ଦୀ ଅଭିଯାନ’ ପକ୍ଷରୁ ଲୋହିଆ ଏକାଡେମିରେ ଆୟୋଜିତ ଏକ ସମ୍ମିଳନୀରେ ବିଭିନ୍ନ ଦାବି ‌ବାବଦରେ ଆଲୋଚନା ହୋଇଥିଲା। ଏଥିସହ ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ଜନନେତା ନବକୃଷ୍ଣ ଚୌଧୁରୀଙ୍କ ୧୧୭ତମ ଜୟନ୍ତୀରେ ତାଙ୍କର ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକୁ ଅତିଥିମାନେ ସ୍ମରଣ କରିଥିଲେ। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଅତିଥି ଭାବେ ଯୋଗଦେଇ କହିଲେ, ୧୯୭୫ରେ ସାମିଲ୍‌ ହୋଇଥିବା ସଂଗ୍ରାମୀମାନଙ୍କ ଅବଦାନ ବ୍ୟର୍ଥ ଯିବ ନାହିଁ। ସହାୟତା ସେମାନଙ୍କର ଅଧିକାର। ଚିହ୍ନଟ ପ୍ରକ୍ରିୟା ପରେ ସେମାନଙ୍କ ପାଇଁ ସହାୟତାର ବ୍ୟବସ୍ଥା କରାଯିବ ବୋଲି କହିଥିଲେ। ସରକାରୀ ଦଳର ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ ରାଜବନ୍ଦୀମାନେ ଆଶା ହରାନ୍ତୁ ନାହିଁ ବୋଲି କହିଥିଲେ। ସାଂସଦ ନଗେନ୍ଦ୍ର କୁମାର ପ୍ରଧାନ କହିଲେ, ମୁଁ ରାଜବନ୍ଦୀଙ୍କ ବାବଦରେ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛି। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଏହି ଗଣତନ୍ତ୍ରର ସେନାନୀଙ୍କୁ ସ୍ବୀକୃତି ଦେବା ସହ ସହାୟତା ପ୍ରଦାନ କରନ୍ତୁ ବୋଲି ସେ କହିଥିଲେ। ଏଥିସହ ସେ ମୁଖ୍ୟମନ୍ତ୍ରୀଙ୍କ ସହ ଏ ବାବଦରେ କଥା ହେବା ପାଇଁ ସମୟ ମାଗିଥିବା କଥା ସ୍ପଷ୍ଟ କରିଥିଲେ। ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନ୍‌ଗୋ କହିଥିଲେ, ବହୁ ସ୍ବାଧୀନତା ସଂଗ୍ରାମୀ ଓ ତାଙ୍କ ପତ୍ନୀଙ୍କ ଦେହାନ୍ତ ହୋଇସାରିଲାଣି। ତେଣୁ ‌ସେମାନଙ୍କ ଉଦ୍ଦେଶ୍ୟରେ ଯେଉଁ ଅର୍ଥରାଶି ଦିଆଯାଉଥିଲା, ସେଇ ଅର୍ଥରାଶିକୁ ଏହି ରାଜବନ୍ଦୀଙ୍କ ପାଇଁ ଖର୍ଚ କରାଯାଇପାରିବ ବୋଲି ସେ କହିଥିଲେ। ବରିଷ୍ଠ ସାମ୍ବାଦିକ ଅରୁଣ ପଣ୍ଡା କହିଲେ, ୮ଶହ ରାଜବନ୍ଦୀଙ୍କ ମଧ୍ୟରୁ ଏବେ ମାତ୍ର ୪ଶହ ପାଖାପାଖି ବଞ୍ଚିଛନ୍ତି। ରାଜବନ୍ଦୀଙ୍କ ସଂଗ୍ରାମର ଫଳଶ୍ରୁତି ସ୍ବରୂପ ଏକଛତ୍ରବାଦ ଶାସନ ଲୋପ ହୋଇ ନୂତନ ସରକାର ଗଠନ ହୋଇଥିଲା ବୋଲି କହିବା ସହ ନବକୃଷ୍ଣ ଚୌଧୁରୀଙ୍କ ଜନହିତକର କାର୍ଯ୍ୟର ସ୍ମରଣ କରିଥିଲେ। ଅଭିଯାନର ସଭାପତି ରାଜେନ୍ଦ୍ର ପ୍ରସାଦ ସିଂହଙ୍କ ଅଧ୍ୟକ୍ଷତାରେ ରାଜବନ୍ଦୀ କୃଷ୍ଣଚନ୍ଦ୍ର ପାତ୍ର, ମାୟାଧର ନାୟକ, ବିଜୟ ରାଉତରାୟ, କମଳାକାନ୍ତ ସାହୁ, ସୀତାରାମ ଶତପଥୀ, କିଶୋର ଦାସ ପ୍ରମୁଖ ତତ୍କାଳୀନ ବନ୍ଦୀ ସମୟର ସ୍ମୃତିଚାରଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆବାହକ ଶ୍ରୀଧର ଦାସ, ଉପସଭାପତି ସୁଶୀଲ ପଣ୍ଡା ଏବଂ ପ୍ରଭାତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର