ଜାମୁଝରି ମୁକ୍ତାକାଶ ଆଶ୍ରମ ଅନ୍ତେବାସୀଙ୍କ ଦୁଃଖ: ପେଟ ପୂରୁନି, ଅଧିକ ଦିଅ

ଆଗରୁ ମିଳୁଥିଲା ୬୫୦ ଗ୍ରାମ୍, ଏବେ ୫୦୦ ଗ୍ରାମ ଚାଉଳ କାହିଁକି?

ମେଣ୍ଢାଶାଳ: ଖୋର୍ଦ୍ଧା ଜାମୁଝରି ମୁକ୍ତାକାଶ ଆଶ୍ରମରେ ଅନ୍ତେବାସୀଙ୍କୁ ରାସନ୍‌ରେ କମ୍‌ ଚାଉଳ ମିଳୁଥିବାରୁ ଅସ‌ନ୍ତୋଷ ବଢ଼ିବାରେ ଲାଗିଛି। ପରିଶ୍ରମ ଯଥେଷ୍ଟ ଅଧିକ ହେଉଥିବା ବେଳେ ସେହି ତୁଳନାରେ ଖାଦ୍ୟର ପରିମାଣ କମ୍ ହେଉଛି। ଚାଉଳ କମୁ ଥିବାରୁ ପେଟ ପୂରୁନି। ଚାଉଳ ପରିମାଣ ବଢ଼ାଇବା ପାଇଁ ଦାବି କରିଛନ୍ତି ଆଜୀବନ ସଜ୍ଜା କାଟୁଥିବା କଏଦୀ। ଗତକାଲି ଜାମୁଝରି ମୁକ୍ତାକାଶ ଆଶ୍ରମକୁ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପେଟନ୍‌ ଦିବ୍ୟଶଙ୍କର ମିଶ୍ର ପରିଦର୍ଶନରେ ଯାଇଥିବା ବେଳେ ଏଭଳି ଦୁଃଖ ବାଢ଼ିଛନ୍ତି କଏଦୀ। ଦାବି ସମ୍ପର୍କରେ ଅବଗତ ହେବା ପରେ ସେ ଦିଗରେ ପଦକ୍ଷେପ ନେବା ଲାଗି ମନ୍ତ୍ରୀ ଶ୍ରୀ ମିଶ୍ର ଜେଲ୍ ଡିଜି ସନ୍ତୋଷ ଉପାଧ୍ୟୟଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଜେଲ୍‌ କର୍ତ୍ତୃପକ୍ଷଙ୍କଠାରୁ ମିଳିଥିବା ସୂଚନା ଅନୁସାରେ, ପୂର୍ବରୁ କଏଦୀଙ୍କୁ ଦୁଇ ବେଳା ଖାଇବା ଲାଗି ୬୫୦ଗ୍ରାମ୍ ଚାଉଳ ମିଳୁଥିଲା। ପ୍ରାୟ ଦେଢ଼ ବର୍ଷ ହେଲା ସରକାରଙ୍କ ନୂଆ ନିୟମ ଅନୁସାରେ କଏଦୀଙ୍କୁ ୫୦୦ ଗ୍ରାମ୍ ଚାଉଳ ମିଳୁଛି। ଅନ୍ୟ ଜେଲ୍ ତୁଳନାରେ ଜାମୁଝରି ମୁକ୍ତାକାଶ ଆଶ୍ରମରେ କଏଦୀଙ୍କ ପରିଶ୍ରମ ଯଥେଷ୍ଟ ଅଧିକ ରହୁଛି। ଫଳରେ ଖାଇବା ପାଇଁ ଅଧିକ ଚାଉଳର ଆବଶ୍ୟକତା ରହିଛି। ରାସନ୍ ଚାଉଳ ପରିମାଣ ବଢ଼ାଇବା ଲାଗି କଏଦୀମାନେ ଦାବି କରିଛନ୍ତି। ଅନ୍ୟପକ୍ଷରେ ଅଣକୁଶଳୀଙ୍କୁ ୪୦ ଟଙ୍କା, ଅର୍ଦ୍ଧକୁଶଳୀଙ୍କୁ ୫୦ଟଙ୍କା ଏବଂ କୁଶଳୀ କଏଦୀଙ୍କୁ ୬୦ ଟଙ୍କା ପାରିଶ୍ରମିକ ମିଳୁଛି। ଏହାକୁ ବଢ଼ାଇବା ଲାଗି କଏଦୀମାନେ ମନ୍ତ୍ରୀଙ୍କ ଆଗରେ ଦାବି କରିଛନ୍ତି। କଏଦୀଙ୍କ ଦାବି ସମ୍ପର୍କରେ ଖୁବଶୀଘ୍ର ଲିଖିତ ଭାବେ ଜେଲ୍ ବିଭାଗକୁ ଜଣାଇ ଦିଆଯିବ ବୋଲି କହିଛନ୍ତି ମୁକ୍ତାକାଶ ଆଶ୍ରମ ଅଧୀକ୍ଷକ ସତ୍ୟପ୍ରକାଶ ସ୍ବାଇଁ। ସୂଚନାଯୋଗ୍ୟ, ଆଜୀବନ ସଜ୍ଜା ଭୋଗୁଥିବା କଏଦୀଙ୍କ ବ୍ୟବହାରରେ ପରିବର୍ତ୍ତନ ଆସିବା ପରେ ସେମାନଙ୍କୁ ଜାମୁଝରି ମୁକ୍ତାଶ୍ରମକୁ ସ୍ଥାନାନ୍ତର କରାଯାଇଥାଏ।

ସମ୍ବନ୍ଧିତ ଖବର