ଜାଳେଣି ବାହାନାରେ ଚାଲିଛି ଗଛ କଟା, ନଣ୍ଡା କରିଦେବେ ଶିଖରଚଣ୍ଡୀ ପାହାଡ଼

ଚନ୍ଦ୍ରଶେଖରପୁର: ଜ‌ାଳେଣି କାଠ ସଂଗ୍ରହ ବାହାନାରେ ଶିଖରଚଣ୍ଡୀ ପାହାଡ଼ରୁ ଗଛ କଟା ଚାଲିଛି। ଆପେ ଆପେ ଶୁଖି ଯାଉଥିବା ଡାଳ କାଟିବା ଆଳରେ ଜାଳେଣି କାଠ ସଂଗ୍ରହ କରୁଥିବା ଲୋକେ ଭଲ ଗଛକୁ କାଟି ପକାଉଛନ୍ତି। ଏମିତିକି ନୂଆ ବଢ଼ୁଥିବା ଗଛକୁ ମୂଳରୁ କାଟି ପକାଉଛନ୍ତି। ମାତ୍ର ଏହା ଉପରେ କାହାର ନଜର ନାହିଁ। ଫଳରେ ଏହା ନିୟମିତ ଚାଲିଛି ଓ ଏମିତି ଲାଗି ରହିଲେ, ପର୍ଯ୍ୟଟନସ୍ଥଳୀ ଶିଖରଚଣ୍ଡୀ ପାହାଡ଼ ନଣ୍ଡା ହୋଇଯିବାର ଆଶଙ୍କା ଉପୁଜିଛି। ଗତ ଶନିବାର ସଟ୍‌ଡାଉନ୍‌‌ରେ ବି ୬ଜଣ ମହିଳା ଓ ଜଣେ ପୁରୁଷ ଟାଙ୍ଗିଆ ଧରି ପାହାଡ଼ ଉପରେ ଜାଳେଣି କାଠ ସଂଗ୍ରହ କରୁଥିବା ଦେଖିବାକୁ ମିଳିଥିଲା। ସେମାନେ ବଡ଼ ବଡ଼ କାଠ ଗଣ୍ଡି ଗଡ଼ କରୁଥିବା ଦେଖାଯାଇଥିଲା। ସେହି କାଠଗଣ୍ଡି ସବୁ ମନକୁ ମନ ଶୁଖି ଯାଇଥିବା ଭଳି ମୋଟେ ଜଣାପଡ଼ୁ ନଥିଲା। ସେଗୁଡ଼ିକ ପୂର୍ବରୁ କାଟି ପକାଇ ଦିଆଯାଇଥିଲା ଓ ଶୁଖିଗଲା ପରେ ଆଜି ଶୁଖିଲା ଡାଳପତ୍ର ହିସାବରେ ନିଆଯାଉଥିଲା। ଏହା ସେମାନଙ୍କର ନିତିଦିନିଆ ବା ନିୟମିତ କାମ ବୋଲି ଜଣାପଡ଼ିଛି।

ମନ୍ଦିର ପରିଚାଳନା କମିଟି ସଭ୍ୟଙ୍କ କହିବା କଥା, ଏମାନେ ପାହାଡ଼ରେ ପଡ଼ିଥିବା ଶୁଖିଲା କାଠ ଜାଳେଣି ପାଇଁ ସଂଗ୍ରହ କରିବା ସହ ମନ୍ଦିର ପରିସର ଓ ପାଖ ଅଞ୍ଚଳକୁ ଝାଡ଼ୁ କରି ପରିଷ୍କାର କରିଥା’ନ୍ତି। ତେଣୁ ସେମାନଙ୍କୁ ବାରଣ କରି ହୁଏନା। କିନ୍ତୁ ଭିତରେ ଭିତରେ ସେମାନେ ଏଭଳି କାଣ୍ଡ କରୁଥିବା ଜଣା ପଡ଼ୁନଥିଲା। ବିଶେଷକରି ଲକ୍‌ଡାଉନ୍‌ ସମୟରେ ପାହାଡ଼ ଜନଶୂନ୍ୟ ରହିବା ମଉକାରେ ଏମାନେ ଜାଳେଣି ପାଇଁ ଗଛ କାଟି ପକାଇଥିବା ଅନୁମାନ କରାଯାଉଛି। ତେବେ ଏହା ପର୍ଯ୍ୟଟନସ୍ଥଳ ପାଇଁ ବିପଦ ସୃଷ୍ଟି କରିବାକୁ ଯାଉଥିବାରୁ ଏଣିକି ଜାଳେଣି କାଠ ସଂଗ୍ରହ କରୁଥିବା ଲୋକଙ୍କ ଉପରେ ନଜର ରଖାଯିବ ବୋଲି ମନ୍ଦିର ପରିଚାଳନା କମିଟି ପକ୍ଷରୁ କୁହାଯାଇଛି। ଏଥିପାଇଁ ଉଭୟ ବନ ବିଭାଗ ଓ ସ୍ଥାନୀୟ ପୁଲିସର ସହଯୋଗ ନିଆଯିବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର