ଜିତିଲେ ନେତା, ହକ୍‌ ମାଗିଲେ ଜନତା

ଭୁବନେଶ୍ବର: ଜନାଦେଶ ଆସିସାରିଛି। ପାଞ୍ଚ ବର୍ଷ ପାଇଁ ନେତା ଚୟନ ଚୂଡ଼ାନ୍ତ ହୋଇଯାଇଛି। ନେତା ବଦଳିଛନ୍ତି, କିନ୍ତୁ ରାଜଧାନୀ ଗଡ଼ ଏଥର ବି ବିଜେଡି ଦଖଲରେ ରହିଛି। ବିଜେଡି ଗଡ଼ରେ କିନ୍ତୁ ପ୍ରଶାସିକାରୁ ନେତା ବନିଥିବା ବିଜେପି ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କୁ ସାଂସଦ ପଦରେ ବସାଇଛନ୍ତି ଜନତା। ଦଳ ନୁହେଁ, ବରଂ ବ୍ୟକ୍ତିଙ୍କୁ ଦେଖି ଯେ ଲୋକେ ଭୋଟ୍‌ ଦିଅନ୍ତି ତାହା ଏଥର ପ୍ରମାଣିତ କରିଛନ୍ତି। ବହୁ ମତରେ ନେତାଙ୍କୁ ବିଜୟୀ ମୁକୁଟ ପିନ୍ଧାଇବା ପରେ ଏବେ ହକ୍‌ ମାଗିଛନ୍ତି ଜନତା। ସହର ସାମ୍ନାରେ ଛିଡ଼ା ହୋଇଥିବା ସମସ୍ୟାର ପାହାଡ଼କୁ ସଫା କରିବାକୁ ଦଳମତ ନିର୍ବିଶେଷରେ ଲୋକ ପ୍ରତିନିଧିମାନେ ଆଗେଇ ଆସିବାକୁ ଜନତା ଜନାର୍ଦନ ଦାବି କରିଛନ୍ତି। ଡ୍ରେନେଜ୍‌ ସମସ୍ୟାଠୁ ନେଇ ବର୍ଷାଜଳ ନିଷ୍କାସନ। ବସ୍ତିବାସିନ୍ଦାଙ୍କ ଥଇଥାନଠୁ ନେଇ ସୌନ୍ଦର୍ଯ୍ୟକରଣ। ପୁଣି ରାସ୍ତା, ଆଲୁଅ, ପାଣିଠୁ ନେଇ ‌ଶୌଚାଳୟ ଭଳି ମୌଳିକ ସମସ୍ୟାର ସମାଧାନ ପାଇଁ ଇସାରା ଦେଇଛନ୍ତି ଜନତା। କହିଛନ୍ତି, ଭୋଟ୍‌ ଦେଲୁ ଏଥର ଆମ କଥା ବୁଝ…

୨୦୨୨ ସୁଦ୍ଧା ବସ୍ତିବାସିନ୍ଦାଙ୍କୁ ପଟ୍ଟା ଓ ପକ୍କା ଘର ମିଳୁ
ରାଜଧାନୀରେ ଲୋକସଭା ଆସନରେ ଭୋଟରମାନେ ଅପରାଜିତା ଷଡ଼ଙ୍ଗୀକୁ ବିଜୟୀ କରାଇଛନ୍ତି। ପୂର୍ବରୁ ପ୍ରଶାସିକା ହିସାବରେ ରାଜଧାନୀରେ ଭେଣ୍ଡିଂ ଜୋନ୍‌ଠାରୁ ଆରମ୍ଭ କରି ବସ୍ତିବାସିନ୍ଦାଙ୍କ ଥଇଥାନ ପର୍ଯ୍ୟନ୍ତ ବହୁ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ କରି ସେ ଖ୍ୟାତି ଅର୍ଜନ କରିଥିଲେ। ତେଣୁ ଲୋକେ ତାଙ୍କ ଉପରେ ଭରସା କରିଛନ୍ତି। ନିର୍ବାଚନ ପ୍ରଚାରବେଳେ ଗରିବ ବସ୍ତିବାସିନ୍ଦାଙ୍କ ସ୍ଥାୟୀ ଥଇଥାନ ପାଇଁ ସେ ପ୍ରତିଶ୍ରୁତି ଦେଇଛନ୍ତି। ୨୦୨୨ ସୁଦ୍ଧା ସମସ୍ତଙ୍କୁ ପଟ୍ଟା ଓ ପକ୍କାଘର ଯୋଗାଇ ଦେବାକୁ ସେ ଦେଇଥିବା ପ୍ରତିଶ୍ରୁତି ପାଳନ କରିବେ ବୋଲି ଆଶା।
ରାମଚନ୍ଦ୍ର ରଣସିଂହ, ସଭାପତି, ଦୁର୍ଗାପୂଜା କମିଟି ବରମୁଣ୍ଡା

ଲୋକଙ୍କ ଶାନ୍ତି ଓ ସମୃଦ୍ଧି ଦିଗରେ କାର୍ଯ୍ୟ କରନ୍ତୁ
ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ଲୋକଙ୍କ ଆସ୍ଥା ଓ ଭରସା ବଢ଼ିଛି। ଯାହାକି ଏଥର ନିର୍ବାଚନରେ ପ୍ରତିଫଳିତ ହୋଇଛି। ଦେଶର ସୁରକ୍ଷା ଓ ଦୁର୍ନୀତି ରୋକିବା ଦିଗରେ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରାଥମିକତା ଦେଇଥିଲେ। ଯେଉଁଥିପାଇଁ ଉଭୟ ସରକାର ପୁଣିଥରେ ଭୋଟରଙ୍କ ବିଶ୍ବାସ ଭାଜନ ହୋଇପାରିଛନ୍ତି। ତେବେ ଆଗକୁ କଠିନ ସମୟ ଆସୁଛି। ତାହାକୁ ଆଖିରେ ରଖି ପଦକ୍ଷେପ ଗ୍ରହଣ କରନ୍ତୁ। ଲୋକଙ୍କ ଶାନ୍ତି ଓ ସମୃଦ୍ଧି ଦିଗରେ ସମସ୍ତେ କାର୍ଯ୍ୟ କରନ୍ତୁ। ‌ପ୍ରାର୍ଥୀମାନେ ଏଭଳି କାମ କରିବା ଦରକାର। ଫଳରେ ଲୋକେ ନିଜକୁ ସୁରକ୍ଷିତ ମଣିବେ।
ଶରତ କୁମାର କର, ଶିକ୍ଷାବିତ୍‌

ସ୍ଥାନୀୟ ଯୁବକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେଉ
ରାଜଧାନୀର କଳେବର ବୃଦ୍ଧି ପାଇବା ପରଠାରୁ ଲୋକେ ଚାଷଜମି ସହ ଜୀବିକା ହରାଇ ଚାଲିଛନ୍ତି। ସହର ସୀମା ବଢ଼ୁଛି ସିନା, ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ମିଳିବା ବାଟ ବନ୍ଦ ହୋଇ ଯାଇଛି। ତେଣୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପାଇଁ ବିଜୟୀ ହୋଇଥିବା ସ୍ଥାନୀୟ ଲୋକ ପ୍ରତିନିଧିମାନେ ମିଳିତଭାବେ ଏହି ସମସ୍ୟାର ସମାଧାନ ପାଇଁ କିଛି ପଦକ୍ଷେପ ଗ୍ରହଣ କରନ୍ତୁ। ଖଣ୍ଡଗିରି ଓ ଉଦୟଗିରି ଭଳି ବିଶ୍ବ ପ୍ରସିଦ୍ଧ ଐତିହାସିକସ୍ଥଳକୁ ନେଇ କିଛି ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କଲେ, ହୁଏତ ସ୍ଥାନୀୟ ବେକାର ଯୁବକମାନେ ଉପକୃତ ହୋଇପାରନ୍ତେ। ସେହିଭଳି ବରମୁଣ୍ଡା ବସଷ୍ଟାଣ୍ଡର ନବୀକରଣ, ଖଣ୍ଡଗିରି ଫ୍ଲାଏଓଭର ବ୍ରିଜ୍ ନିର୍ମାଣ କାମକୁ ତ୍ବରାନିତ୍ବ କରାଇବେ ବୋଲି ଆଶା।
ଅଶୋକ କୁମାର ବିଶ୍ବାଳ, ଯୁବ ସମାଜସେବୀ ଜାଗମରା

ଡ୍ରେନେଜ୍‌ ସମସ୍ୟା ଆଗେ ସୁଧାର
ବଡ଼ ବଡ଼ କଥା ହେଉଥିବା ରାଜଧାନୀରେ ଲୋକଙ୍କ ସୁବିଧା ପାଇଁ ଡ୍ରେନେଜ୍‌ ବ୍ୟବସ୍ଥାକୁ ଆଗେ ସୁଧାରିବା କାମ ଆରମ୍ଭ ହେଉ। ଲଗାତାର ବର୍ଷା ହେଲେ ସାରା ସହର ୪/୫ ଘଣ୍ଟା ପାଇଁ ଜଳବନ୍ଦୀ ହୋଇଯାଉଛି। ଏଣୁ ଏ ବ୍ୟବସ୍ଥାର ଏକ ସ୍ଥାୟୀ ସମାଧାନ ହେବା ଆବଶ୍ୟକ। ଆମେ ଭୋଟ ଦେଇ ନେତାଙ୍କ ହାତକୁ ଆମ ଭବିଷ୍ୟତ ଟେକି ଦେଇଛୁ। ନେତା ଏବେ ନିଜ କର୍ତବ୍ୟ ସମ୍ପାଦନ କରିବା ସମୟ ଆସିଛି। ଫନି ଯୋଗୁ ଭାଙ୍ଗିଯାଇଥିବା ଗରିବ ଅସହାୟ ଲୋକଙ୍କ ପାଇଁ ଘର ଖଣ୍ଡେ ଯୋଗାଇ ଦେଲେ ସେମାନେ ଉପକୃତ ହୁଅନ୍ତେ।
ଶିତିକଣ୍ଠ ସେନାପତି, ସ୍ଥାନୀୟ ବାସିନ୍ଦା

ଟ୍ରାଫିକ୍‌ ସମସ୍ୟା ସମାଧାନ ହେଉ
ରାଜଧାନୀରେ ଜବରଦଖଲ ଓ ଉଠା ଦୋକାନ ଯୋଗୁ ଅଧିକାଂଶ ସମୟ ଟ୍ରାଫିକ୍‌ ଜାମ୍‌ ହେଉଛି। ଏଣୁ ଉଠା ଦୋକାନୀମାନଙ୍କୁ ଥଇଥାନ କରି ସହରକୁ ବ୍ୟବସ୍ଥିତ କରାଯାଉ। ଏଥିସହ ରାଜ୍ୟ ବାହାରୁ ତଥା ଦେଶ ବାହାରୁ ଅଧିକ ସଂଖ୍ୟକ ପର୍ଯ୍ୟଟକ ଆସୁଥିବାରୁ ଭୁବନେଶ୍ବରକୁ ଏକ ବିଶ୍ବସ୍ତରୀୟ ସହରରେ ପରିଣତ କରିବାକୁ ଚେଷ୍ଟା କରାଯାଉ। ଫନିରେ ସଂଖ୍ୟାଧିକ ଗଛ ଭାଙ୍ଗିଯାଇଛି। ଏଣୁ ଆଗାମୀ ଦିନରେ ତାପମାତ୍ରା ଆହୁରି ବଢ଼ିଯିବାର ଆଶଙ୍କା ରହିଛି। ଏହାକୁ ନିୟନ୍ତ୍ରଣ କରିବାକୁ ସରକାରଙ୍କ ପକ୍ଷରୁ ଏକ ବିଶାଳ ଚାରା ରୋପଣ ଅଭିଯାନକୁ ତ୍ବରାନ୍ବିତ କରାଯାଉ।
ବିମଳ ଦାସ, ସ୍ବେଚ୍ଛାସେବୀ

ମୌଳିକ ସମସ୍ୟାକୁ ଗୁରୁତ୍ବ ଦିଆଯାଉ
ସୁସ୍ଥ ପରିବେଶ ବିନା ସୁସ୍ଥ ସମାଜ କଥା ଚିନ୍ତା କରିବା ସମ୍ଭବ ନୁହେଁ। ଏବେ ବି ଅନେକ ମୌଳିକ ସମସ୍ୟା ପାଇବାରୁ ବଞ୍ଚିତ। ଏହା ଉପରେ ନେତାମାନେ ଗୁରୁତ୍ବ ଦେବା ଉଚିତ୍‌। ନିରାପଦ ଜୀବନ ଯାପନ ପାଇଁ ଲୋକ ପ୍ରତିନିଧିମାନେ ଆଇନର ରକ୍ଷକଙ୍କ ସହଭାଗିତାରେ କାର୍ଯ୍ୟ କରିବା ଉଚିତ୍‌।
ଶଶାଙ୍କ ଶେଖର ମହାନ୍ତି, ଭୀମଟାଙ୍ଗି

ଏକାମ୍ର ପର୍ଯ୍ୟଟନ କ୍ଷେତ୍ର ପନରୁଦ୍ଧାରକୁ ପ୍ରଥମେ ଗୁରୁତ୍ବ
ବାତ୍ୟା ପରେ ଏକାମ୍ରର ପର୍ଯ୍ୟଟନ କ୍ଷେତ୍ର ଓ ଐତିହସ୍ଥଳୀ ପ୍ରଭାବିତ ହୋଇଛି। ଏସବୁର ପୁନରୁଦ୍ଧାରକୁ ଲୋକ ପ୍ରତିନିଧି ଗୁରୁତ୍ବ ଦେବା ଉଚିତ୍‌। ଏଥିସହ ପାଣି, ଲାଇଟ୍‌, ଡ୍ରେନ୍‌ ସହ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରଗୁଡ଼ିକର ଉନ୍ନତିକରଣ କ୍ଷେତ୍ରରେ ଗୁରୁତ୍ବ ଦିଅନ୍ତୁ।
ବାଦଲ କୁମାର ଦାଶ

ପକ୍କା ରୋଡ୍‌ ଦରକାର
ନୀଳାଦ୍ରିବହାର ଅଞ୍ଚଳର ଏକ ପାହାଡ଼ ଉପରେ ଆମ ଈଶାନେଶ୍ବର ବସ୍ତି ଅବସ୍ଥିତ ଥିବାରୁ ଆମମାନଙ୍କୁ ପାହାଡ଼ ଉପରେ ଜୀବନ ବିତାଇବାକୁ ପଡ଼େ। ଏଠିକାର ସବୁଠାରୁ ବଡ଼ ସମସ୍ୟା ହେଉଛି ପକ୍କା ରାସ୍ତା ଓ ‌ଡ୍ରେନ୍‌। ସମସ୍ତ ମୌଳିକ ସୁବିଧା ଉପଲବ୍ଧ କରାନଗଲେ ୪ଶହ ପରିବାର ଚଳିବା କଷ୍ଟକର ହୋଇପଡ଼ିବ।
ମିନତି ଜେନା, ନୀଳାଦ୍ରିବିହାର

ସ୍ଥାନୀୟ ଅଞ୍ଚଳକୁ ନିଶାମୁକ୍ତ କରାଯାଉ
ଚନ୍ଦ୍ରଶେଖରପୁର ଅଞ୍ଚଳରେ ଅନେକ ବସ୍ତି ଥିବାରୁ ବିଭିନ୍ନ ସ୍ଥାନରେ ନିଶା ‌ବ୍ୟବସାୟ ହେଉଛି। ପୁଲିସ୍ ଅନେକ ଥର ବ୍ୟବସାୟୀଙ୍କୁ ଧରି କୋର୍ଟ ଚାଲାଣ କରୁଥିଲେ ହେଁ ବ୍ୟବସାୟ କମୁନାହିଁ। ଆମ ଅଞ୍ଚଳକୁ ନିଶାମୁକ୍ତ କରିବାପାଇଁ ମହିଳା ଓ ଯୁବ ସଂଗଠନ ବାରମ୍ବାର ଉଦ୍ୟମ କରିଛି। ହେଲେ ଅସାମାଜିକ ଲୋକଙ୍କ ବାହୁବଳ ପାଖରେ ହାର୍ ମାନିଛି। ତେଣୁ ଆମ ନେତା ପ୍ରଥମେ ସ୍ଥାନୀୟ ଅଞ୍ଚଳରୁ ମଦ ବିକ୍ରି ବନ୍ଦ କରନ୍ତୁ।
ଭରତ ଚନ୍ଦ୍ର ଆଦକ୍, ଚନ୍ଦ୍ରଶେଖରପୁର

ଦାରୁଠେଙ୍ଗରୁ ଅଳିଆ ଗଦା ହଟାଅ
ଆମ ଅଞ୍ଚଳର ବଡ଼ ସମସ୍ୟା ହେଉଛି ଦାରୁଠେଙ୍ଗ ଅଳିଆ ଗଦା। ଯାହାକୁ ସ୍ଥାନାନ୍ତର କରିବା ଆମ ଅଞ୍ଚଳବାସୀଙ୍କ ଦାବି। ନେତାମାନେ ମଧ୍ୟ ଏହାକୁ ହଟାଇବାକୁ ପ୍ରତିଶ୍ରୁତି ଦେଇ ଆସିଛନ୍ତି। ଏବେ ନେତା ଦେଇଥିବା ପ୍ରତିଶ୍ରୁତି ରକ୍ଷା କରନ୍ତୁ।
ପ୍ରଫେସ୍ ପ୍ରଧାନ, ଦାରୁଠେଙ୍ଗ

ସମ୍ବନ୍ଧିତ ଖବର