ଝିଣ୍ଟିକା ଦେଖି ବାରଙ୍ଗରେ ପଙ୍ଗପାଳର ଆତଙ୍କ

ବାରଙ୍ଗ: ଓଡ଼ିଶାକୁ ପଙ୍ଗପାଳ ମାଡ଼ି ଆସୁଥିବା ଖବର ପ୍ରଚାର ହେବା ପରଠାରୁ ଚାଷୀକୁଳ ଆତଙ୍କିତ ହୋଇ ପଡ଼ିଛନ୍ତି। ଝିଣ୍ଟିକା ଦେଖିଲେ ଲୋକେ ପଙ୍ଗପାଳ ବୋଲି ମନେ କରି ଆତଙ୍କିତ ହୋଇ ପଡ଼ୁଛନ୍ତି। ଆଜି ସକାଳେ ବାରଙ୍ଗରେ ଏମିତି ଏକ ଗୁଜବକୁ ନେଇ ହଇଚଇ ସୃଷ୍ଟି ହୋଇଥିଲା। ସବୁ ପତ୍ର ଖାଇ ଅରଖ ଗଛକୁ ନଣ୍ଡା କରି ଦେଉଥିବା ଏକ ପ୍ରକାର ଝିଣ୍ଟିକାକୁ ଦେଖି ସେଗୁଡ଼ିକ ପଙ୍ଗପାଳ ବୋଲି ପ୍ରଚାର ହୋଇଯାଇଥିଲା। କିନ୍ତୁ ପରେ ସେଗୁଡ଼ିକ ପଙ୍ଗପାଳ ନୁହେଁ, ବରଂ ଏକ ସ୍ବତନ୍ତ୍ର ପ୍ରଜାତିର ଝିଣ୍ଟିକା ବୋଲି ଜଣାପଡ଼ିବା ପରେ ଲୋକେ ଆଶ୍ବସ୍ତ ହୋଇଥିଲେ।

ବାରଙ୍ଗରେ ପଙ୍ଗପାଳ ପହଞ୍ଚି ଯାଇଛନ୍ତ ବୋଲି ଆଜି ସକାଳୁ ଖବର ଖେଳି ଯାଇଥିଲା। ଆନନ୍ଦ ବଜାର ଓ ସୀତାରାମ ବଜାର ମଝି ପଥରକଟା ଅଞ୍ଚଳରେ ପଙ୍ଗପାଳମାନେ ସବୁ ଅରଖ ଗଛ ଚରି ଥୁଣ୍ଟା କରିଦେଉଛନ୍ତି ବୋଲି ପ୍ରଚାର ହୋଇ ଯାଇଥିଲା। କିଛି ଲୋକ ଏହି ଖବରକୁ ଏମିତି ବର୍ଣ୍ଣନା କରିଥିଲେ ଯେ କିଛି ଚାଷୀଙ୍କ ହୋସ୍‌ ଉଡ଼ି ଯାଇଥିଲା। ବହୁ ଚାଷୀ ନିଜ ନିଜ ବିଲକୁ ଧାଇଁଥିଲେ। ସେମାନଙ୍କ ଜମି ସୁରକ୍ଷିତ ଅଛି କି ନାହିଁ ଦେଖିବା ପାଇଁ ସେମାନେ ଗହୀରକୁ ଦୌଡ଼ିଲେ। ତେଣୁ ପଥରକଟା ଗଡ଼ାଣିରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ସେଠାରେ ଥିବା ଅରଖ ଓ ମାହାଳ ଗଛ ସବୁ ଥୁଣ୍ଟା ହୋଇଯାଇଥିବା ଦେଖିବାକୁ ମିଳିଥିଲା। ଗଛମାନଙ୍କରେ ଲାଗିଥିବା ସେହି ଝିଣ୍ଟିକାଗୁଡ଼ିକୁ କିଛି ଅଭିଜ୍ଞ ଲୋକ ଚିହ୍ନଟ କରିବା ପରେ ପଙ୍ଗପାଳ ଭୟ ଦୂର ହୋଇଥିଲା। ଏହି ଝିଣ୍ଟିକାମାନେ ଫସଲ ନଷ୍ଟ କରନ୍ତି ନାହିଁ ବୋଲି ପୁରୁଣା ଚାଷୀମାନେ କହିଥିଲେ। ତେଣୁ ଯୁବପିଢ଼ିର ଚାଷୀମାନେ ଆଶ୍ବସ୍ତ ହୋଇଥିଲେ।

ସମ୍ବନ୍ଧିତ ଖବର