ଡିଭାଇଡର ଡେଇଁବା ବେଳେ ଯୁବକଙ୍କ ଜୀବନ ଗଲା

ଭୁବନେଶ୍ବର : ମଞ୍ଚେଶ୍ବର ପଳାଶୁଣୀ ନିକଟରେ ଜାତୀୟ ରାଜପଥ ଡିଭାଇଡର ଡେଇଁବା ସମୟରେ ଆଜି ସନ୍ଧ୍ୟାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ ଯୁବକ ହେଲେ ସାଲେପୁର ଅଞ୍ଚଳର ଜଗନ୍ନାଥ ମଲ୍ଲିକ(୩୮)। ସେ ପରିବାର ସହ ପାଣ୍ଡରାରେ ରହୁଥିବା ବେଳେ ପଳାଶୁଣୀ ହାଟରେ ପରିବା ବ୍ୟବସାୟ କରନ୍ତି। ପୁଲିସ ମୃତଦେହ ଜବତ କରି କ୍ୟାପିଟାଲ ହସ୍ପିଟାଲକୁ ପଠାଇ ଦେଇଛି। ଆସନ୍ତାକାଲି ଶବ ବ୍ୟବଚ୍ଛେଦ କରାଯିବ। ପୁଲିସ ସୂଚନା ଅନୁସାରେ, ଆଜି ସନ୍ଧ୍ୟାରେ ଜଗନ୍ନାଥ ତାଙ୍କ ପତ୍ନୀଙ୍କ ସହ ଚାଲି ଚାଲି ଯାଉଥିଲେ। ପଳାଶୁଣୀ ମଦ ଦୋକାନ ସମ୍ମୁଖରେ ରାସ୍ତା ପାରି ହୋଇ ହାଟ ଆଡକୁ ଯାଉଥିଲେ। ଡିଭାଇଡର ଡେଇଁ ଯିବାକୁ ଚେଷ୍ଟା କରିବା ସମୟରେ ଖସି ପଡ଼ିଥିଲେ। ସେହି ସମୟରେ ପାଖରେ ଥିବା ଇଲେକ୍ଟ୍ରି ଖୁଣ୍ଟକୁ ଧରି ପକାଇଥିଲେ ବୋଲି ସ୍ଥାନୀୟ ଲୋକ କହୁଛନ୍ତି। ଏହା ପରେ ଘଟଣାସ୍ଥଳରେ ସେ ଅଚେତ ହୋଇ ପଡ଼ିଥିଲେ। ଖବର ପାଇ ପୁଲିସ ଜଗନ୍ନାଥଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲା। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଡିଭାଇଡର ଡେଇଁବା ସମୟରେ ଜଗନ୍ନାଥଙ୍କର ଗୁପ୍ତାଙ୍ଗ ମାଡ଼ ହୋଇଯାଇଛି ନା ବିଦ୍ୟୁତ ଆଘାତରେ ମୃତ୍ୟୁ ଘଟିଛି ସେ ସମ୍ପର୍କରେ ଜଣାପଡ଼ି ନାହିଁ। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ପୁଲିସ କହିଛି। ଏ ସଂକ୍ରାନ୍ତରେ ମଞ୍ଚେଶ୍ବର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

ସମ୍ବନ୍ଧିତ ଖବର