ଭୁବନେଶ୍ବର (ସସ୍ମିତା ସାହୁ): ଚିଟ୍ଫଣ୍ଡ୍ ସଂସ୍ଥା ଲୋକଙ୍କୁ ଚୂନ ମାରି କୋଟି କୋଟି ଟଙ୍କା ହଡ଼ପ କରିଛନ୍ତି। ଗତ କିଛି ବର୍ଷ ହେଲା ଏହାକୁ ନେଇ ରାଜ୍ୟ ରାଜନୀତି ଉଠୁଛି ପଡ଼ୁଛି। କିନ୍ତୁ ଖୋଦ୍ ରାଜଧାନୀରେ ସରକାରଙ୍କ ନିୟନ୍ତ୍ରଣରେ ଗଢ଼ି ଉଠିଥିବା ଭୁବନେଶ୍ବର ଅର୍ବାନ୍ ବ୍ୟାଙ୍କ ବି ହଜାର ହଜାର ଜମାକାରୀଙ୍କ ଟଙ୍କା ସୁଝୁନି। ସରକାରୀ ସଂସ୍ଥା ଭାବି ନିଜ ଝାଳବୁହା ଟଙ୍କା ଜମା ରଖି ବର୍ଷ ବର୍ଷ ଧରି ଜମାକାରୀମାନେ ଫେରି ପାଇବାକୁ ଚାହିଁ ବସିଛନ୍ତି। ବିଭିନ୍ନ ସମୟରେ ପ୍ରତିଶ୍ରୁତି ମିଳିଛି, ଆଶା ଦେଖାଯାଇଛି। କିନ୍ତୁ କେବଳ ଦିନ ଗଡ଼ିବା ବ୍ୟତୀତ ଆଉ କିଛି ଲାଭ ମିଳି ନାହିଁ।
Sambad is now on WhatsApp
Join and get latest news updates delivered to you via WhatsApp
ଶେଷ ଥର ପାଇଁ ଗତ ଜୁଲାଇ ଦ୍ବିତୀୟ ସପ୍ତାହରେ ସମବାୟ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଜମାକାରୀଙ୍କୁ ଟଙ୍କା ଫେରାଇବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ପ୍ରଥମ ପର୍ଯ୍ୟାୟରେ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମାକାରୀଙ୍କୁ ଫେରସ୍ତ କରାଯିବ। ଅଗଷ୍ଟରୁ ଫେରସ୍ତ ପ୍ରକ୍ରିୟା ଆରମ୍ଭ ହେବ ବୋଲି କଣ୍ଟ ବି ଦେଇଥିଲେ। କିନ୍ତୁ ଏହା ମଧ୍ୟରେ ଅଗଷ୍ଟ ସରି ତିନି ମାସ ଗଲାଣି। କିନ୍ତୁ ଟଙ୍କା ଫେରସ୍ତ ପ୍ରକ୍ରିୟା ଆରମ୍ଭ ହୋଇପାରିଲାନି। କେବେ ହେବ, ତାହାର ନିର୍ଦ୍ଦିଷ୍ଟ ଉତ୍ତର କାହା ପାଖରେ ନାହିଁ। ଅର୍ଥ ବିଭାଗରେ ଫାଇଲ୍ ପଡ଼ିଛି ବୋଲି ଏବେ ବାହାନା ଦେଖାଉଛନ୍ତି। ଅର୍ବାନ ବ୍ୟାଙ୍କର ମୋଟ୍ ଜମାକାରୀଙ୍କ ସଂଖ୍ୟା ୮,୨୫୨। ସେମାନଙ୍କୁ ସୁଧ ମୂଳ ମିଶାଇ ୩୨ କୋଟି ଟଙ୍କା ଫେରାଇବାକୁ ଅଛି। ବର୍ତ୍ତମାନ ଜମା ଟଙ୍କା ଫେରସ୍ତ ପାଇଁ ୬,୪୪୬ ଜଣ ଜମାକାରୀଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କୁ ୧୫ କୋଟି ୧୬ ହଜାର ଟଙ୍କା ଫେରାଇବାର ଅଛି। ବର୍ତ୍ତମାନ ଅର୍ବାନ ବ୍ୟାଙ୍କରେ ମୋଟ୍ ୧୮ କୋଟି ଟଙ୍କା ରହିଛି। ତାହା ମଧ୍ୟରୁ ୬ କୋଟି ଟଙ୍କା ସରକାରଙ୍କର। ଯେେହତୁ ଏହି ଟଙ୍କା ଜମାକାରୀଙ୍କୁ ଦେବା ନେଇ ଅନୁମତି ନ ଥିଲା, ତେଣୁ ସେଥିରେ ବ୍ୟାଙ୍କ କର୍ତ୍ତୃପକ୍ଷ ହାତ ମାରି ପାରୁ ନ ଥିଲେ। ବାକି ୧୨ କୋଟି ଟଙ୍କା ପର୍ଯ୍ୟାପ୍ତ ହୋଇ ନଥିବାରୁ ଜମାକାରୀ ଜମା ଟଙ୍କା ପାଇ ନାହାନ୍ତି। ଆଉ ଋଣ ଟଙ୍କା ସଂଗ୍ରହ ପ୍ରକ୍ରିୟା ଆଦୌ ଆଶାଜନକ ହେଉ ନ ଥିବାରୁ ବ୍ୟାଙ୍କରେ ଟଙ୍କା ଉପଲବ୍ଧ ନାହିଁ। ସରକାରଙ୍କ ୬ କୋଟି ଟଙ୍କା ଜମାକାରୀଙ୍କୁ ଫେରସ୍ତ ଦେବାରେ ବ୍ୟବହାର କରିବା ପାଇଁ ସମବାୟ ବିଭାଗ ସରକାରଙ୍କ ଅନୁମତି ଲୋଡ଼ିଛି। ଏ ସଂକ୍ରାନ୍ତୀୟ ଫାଇଲ୍ ଅର୍ଥ ବିଭାଗକୁ ଯାଇଛି ଯେ ଆଉ ଫେରି ନାହିଁ।
ଅନ୍ୟ ପଟେ ଋଣ ଗ୍ରହୀତାଙ୍କଠାରୁ ଋଣ ଅର୍ଥ ଆଦାୟ କରାଯାଇପାରୁ ନାହିଁ। ଏ ବାବଦକୁ ବ୍ୟାଙ୍କ ପାଇବ ପ୍ରାୟ ୪୨ କୋଟି ଟଙ୍କା। ତାହା ମଧୢରୁ କିଛି ସ˚ଗ୍ରହ ହୋଇଥିଲା ବେଳେ ଏହି ପ୍ରକ୍ରିୟା ଜାରି ରହିବା ସହ ଋଣ ଖିଲାପକାରୀଙ୍କୁ ନୋଟିସ୍ ଜାରି କରାଯାଉଛି। ଗତ ଅକ୍ଟୋବର ମାସରେ ମଧ୍ୟ ୩୦ ଲକ୍ଷ ଟଙ୍କା ଋଣ ସୁଝି ନ ଥିବା ଏକ ଦୋକାନରେ ତାଲା ପକାଯାଇଥିଲା। କିନ୍ତୁ ଋଣ ସଂଗ୍ରହ ପ୍ରକ୍ରିୟାରେ ସେପରି ଆଖିଦୃଶିଆ ଅଗ୍ରଗତି ହୋଇପାରି ନାହିଁ। ଆହୁରି ମଧ୍ୟ ଋଣ ଖିଲାପ ନେଇ କିଛି ମାମଲା ଭିଜିଲାନ୍ସ, କ୍ରାଇମ୍ବ୍ରାଞ୍ଚରେ ଚାଲିଛି। ତେଣୁ ବହୁ ଋଣ ଫାଇଲ୍ ତଦନ୍ତକାରୀ ସ˚ସ୍ଥା ପାଖରେ ଥିବା ସୂଚନା ମିଳିଛି। ଅର୍ବାନ୍ ବ୍ୟାଙ୍କର ତତ୍କାଳୀନ ମ୍ୟାନେଜର୍ ଉଦୟ ନାଥ ସାହୁ ୨୧ଟି ଗୁରୁତ୍ବପୂର୍ଣ୍ଣ ଋଣ ଫାଇଲ୍ ଗାଏବ୍ କରିଦେଇଥିବା ନେଇ ଇଓଡବ୍ଲ୍ୟୁରେ ଅଭିଯୋଗ ହୋଇଥିଲା। ସେ ଗିରଫ ହୋଇଥିଲେ। ପରେ ହାଇକୋର୍ଟରୁ ଜାମିନ୍ ପାଇଥିଲେ। ଇଓଡବ୍ଲ୍ୟୁକୁ ହସ୍ତାନ୍ତର କରାଯାଇଥିବା ୭୮ଟି ଋଣ ଫାଇଲ୍ରୁ ୨୩ ଜଣ ଋଣ ଖିଲାପକାରୀଙ୍କୁ ଚିହ୍ନଟ କରିବାରେ ଇଡବ୍ଲ୍ୟୁଡି ସଫଳ ହୋଇଛି ବୋଲି ବ୍ୟାଙ୍କର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଅନ୍ୟ ଫାଇଲ୍ଗୁଡ଼ିକ ଉପରେ ତଦନ୍ତ ଜାରି ରହିଥିବାରୁ ସେଇ ଟଙ୍କା କେବେ ମିଳିବ, ତାହାର ଆକଳନ କରିବା କଷ୍ଟକର।
ଭୁବନେଶ୍ବର ଅର୍ବାନ ବ୍ୟାଙ୍କ ଜମାକାରୀ ସଂଘର ସଂଯୋଜକ ଆଶିଷ ରଥ କୁହନ୍ତି, ଅର୍ବାନ ବ୍ୟାଙ୍କର ଦେବାଳିଆ ସ୍ଥିତିକୁ ଦେଖି ୧୪ ବର୍ଷ ଧରି ବ୍ୟାଙ୍କର ଅନ୍ୟ ବ୍ୟାଙ୍କ ସହ ବହୁ ମିଶ୍ରଣ ପ୍ରକ୍ରିୟା ବିଭିନ୍ନ ସମୟରେ କରାଯାଇଥିଲେ ବି ବିଫଳ ହେଲା। େଶଷରେ ସରକାର ବ୍ୟାଙ୍କ୍କୁ ବନ୍ଦ କରିଦେଲେ। କିନ୍ତୁ ଜମା ଟଙ୍କା ଫେରସ୍ତ ପାଇବା ପାଇଁ ଆମେ ଜମାକାରୀମାନେ ଚାହିଁବସିଛୁ। ଜମାକାରୀଙ୍କ ମଧ୍ୟରୁ ୭୫% ବରିଷ୍ଠ ନାଗରିକ ଅଛନ୍ତି। ସରକାର ସେମାନଙ୍କୁ ହତାଦର କରୁଛନ୍ତି। ଜମା ଟଙ୍କା ଫେରସ୍ତ ପାଇଁ ସରକାରୀ ସ୍ତରରେ ତତ୍ପରତା ପ୍ରକାଶ ପାଇବାକୁ ସେ ଦାବି କରିଛନ୍ତି।
ସମବାୟ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି, ଋଣ ଟଙ୍କା ଆଦାୟ କରିବା ପାଇଁ ଋଣ ଗ୍ରହୀତାଙ୍କ ସମ୍ପତ୍ତି ଆଟାଚ୍ କରିବାକୁ ଏକ ଟିମ୍ ଗଢ଼ାଯାଇଥିଲା। ୪/୬ଟି ଦୋକାନୀଙ୍କ ଉପରେ ଚଢ଼ଉ କରାଯାଇ କିଛି ଟଙ୍କା ଆଦାୟ ହୋଇଥିଲା। କିନ୍ତୁ ଏହି କାମ କାହିଁକି ଶିଥିଳ ହୋଇଯାଇଛି, ସେ ନେଇ ତଦାରଖ କରିବି। ଅର୍ଥ ବିଭାଗ ଅନୁମତି ଦେଲେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମାରାଶି ସଙ୍ଗେ ସଙ୍ଗେ ଫେରାଇ ଦିଆଯିବ। ସେଥିପାଇଁ ଆମେ ପ୍ରସ୍ତୁତ ଅଛୁ।
ପୁନରୁଦ୍ଧାରର ବିଫଳ ଉଦ୍ୟମ
୨୦୦୦ ମସିହାରେ ଭୁବନେଶ୍ବର ଅର୍ବାନ୍ ବ୍ୟାଙ୍କ ଦେବାଳିଆ ସ୍ଥିତିକୁ ଆସିଲା। ତଥାପି କିଛି କିଛି କାରବାର ଚାଲିଥିଲା। ୨୦୦୬ ମସିହାରେ ଏହି ବ୍ୟାଙ୍କରେ ଜମା ସ˚ଗ୍ରହ ଉପରେ ରିଜର୍ଭ ବ୍ୟାଙ୍କ ରୋକ୍ ଲଗାଇଲେ। ଏହା ପରେ ଅର୍ବାନ୍ ବ୍ୟାଙ୍କ ସ୍ଥିତି ସଜାଡ଼ିବାକୁ ସରକାରୀ ସ୍ତରରେ ବହୁବାର ଉଦ୍ୟମ ହେଲା। ୨୦୦୭ରେ ସରକାର ୬ କୋଟି ଟଙ୍କା ଦେଇ ବ୍ୟାଙ୍କକୁ ସକ୍ରିୟ କରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ତାହା ବିଫଳ ହୋଇଥିଲା। ପରେ ପୁନେର କସ୍ମସ୍ ବ୍ୟାଙ୍କ ସହ ଅର୍ବାନ୍ ବ୍ୟାଙ୍କର ମିଶ୍ରଣ ନେଇ ପ୍ରକ୍ରିୟା ଆରମ୍ଭ ହେଲା। କସ୍ମସ୍ କତୃର୍ପକ୍ଷ ବି ଏଥିରେ ସମ୍ମତି ପ୍ରକାଶ କଲେ। ୨୦୧୨ ଜୁନ୍ରେ ଏହି ମିଶ୍ରଣ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରି ଦେଲା। ସେଇଠି ହିଁ ପ୍ରକ୍ରିୟା ଅଟକିଗଲା। ୬ ମାସ ପରେ କସ୍ମସ୍ କତୃର୍ପକ୍ଷ ମୁହଁ ଫେରାଇନେଲେ। ୨୦୧୩ ମସିହା ସେପ୍ଟମ୍ବର ମାସରେ ଚେନ୍ନାଇର ‘ଗଭର୍ନମେଣ୍ଟ୍ ଟେଲି-କମ୍ୟୁନିକେସନ୍ ଏମ୍ପ୍ଲଇଜ୍ କୋ-ଅପରେଟିଭ୍ ସୋସାଇଟି’ ସହ ଅର୍ବାନ୍ ବ୍ୟାଙ୍କର ମିଶ୍ରଣ ପାଇଁ ସମବାୟ ବିଭାଗ ପକ୍ଷରୁ ଏକ ପ୍ରସ୍ତାବ ଆର୍ବିଆଇକୁ ଦିଆଗଲା। କିନ୍ତୁ ବିଭିନ୍ନ କାରଣ ଦେଖାଇ ଆର୍ବିଆଇ ଏହାକୁ ଗ୍ରହଣ କଲା ନାହିଁ। ୨୦୧୪ ଫେବ୍ରୁଆରି ୧୭ ତାରିଖରେ ଆର୍ବିଆଇ ଅର୍ବାନ୍ ବ୍ୟାଙ୍କର ପଞ୍ଜୀକୃତ ଲାଇସେନ୍ସ ବି ରଦ୍ଦ କରିଦେଲେ। ଏହା ପରେ କଟକ ସମବାୟ ବ୍ୟାଙ୍କ ସହ ଅର୍ବାନ୍ ବ୍ୟାଙ୍କକୁ ମିଶ୍ରଣ ପାଇଁ ଏକ ପ୍ରସ୍ତାବ ସମବାୟ ବିଭାଗ ପକ୍ଷରୁ ଦିଆଯାଇଥିଲା। ତାହା ବି କାର୍ଯ୍ୟକାରୀ ହେଲାନି। ଶେଷରେ ୨୦୧୫ ମେ’ ମାସରେ ସବୁ ସରକାରୀ ପ୍ରକ୍ରିୟାେର ପୂର୍ଣ୍ଣଛେଦ ପଡ଼ିଲା। ରାଜ୍ୟ ସମବାୟ ବିଭାଗ ଅର୍ବାନ୍ ବ୍ୟାଙ୍କକୁ ବନ୍ଦ କରିବା ପାଇଁ ଚୂଡ଼ାନ୍ତ ନିଷ୍ପତ୍ତି ନେଲା।
ଚାକିରି ହରାଇଛନ୍ତି ୬୦ରୁ ଅଧିକ କର୍ମଚାରୀ
ଅର୍ବାନ୍ ବ୍ୟାଙ୍କର ଜମାକାରୀମାନେ ତ ହନ୍ତସନ୍ତ ହୋଇଛନ୍ତି। କିନ୍ତୁ କିଛି ଅସାଧୁ କର୍ମଚାରୀଙ୍କ ପାଇଁ ବହୁ କର୍ମଚାରୀ ଅସମୟରେ ଚାକିରି ହରାଇଛନ୍ତି। ବ୍ୟାଙ୍କ ବନ୍ଦ ନେଇ ନିଷ୍ପତ୍ତି ହେଲା ପରେ ୬୦ରୁ ଅଧିକ କର୍ମଚାରୀ ଚାକିରି ହରାଇଲେ। ସେମାନଙ୍କ ଥଇଥାନ ପାଇଁ ସରକାର କୌଣସି ବନ୍ଦୋବସ୍ତ କଲେ ନାହିଁ। ସହରର ବିଭିନ୍ନ ସ୍ଥାନରେ ଥିବା ବ୍ୟାଙ୍କର ସବୁ ଶାଖାରେ ବି ତାଲା ପଡ଼ିଗଲା। ଏବେ ୟୁନିଟ୍-୩ସ୍ଥିତ ଅର୍ବାନ୍ ବ୍ୟାଙ୍କ କାର୍ଯ୍ୟାଳୟରେ ୭/୮ ଜଣ କର୍ମଚାରୀ କାର୍ଯ୍ୟ କରୁଛନ୍ତି।