ଦାନା ବାନ୍ଧିଲାଣି ଅସନ୍ତୋଷ: ବିସିଡିଡି-୨ରେ କର୍ମଚାରୀ କମ, କାମ ବେଶି

ଚନ୍ଦ୍ରଶେଖରପୁର: ଭୁବନେଶ୍ବର ସିଟି ଡିଷ୍ଟ୍ରିବ୍ୟୁସନ ଡିଭିଜନ୍‌-୨ (ବିସିଡିଡି-୨)ରେ ଗ୍ରାହକଙ୍କ ସଂଖ୍ୟା ୧ ଲକ୍ଷ ୬୦ ହଜାର ଛୁଇଁଲାଣି। ଦିନକୁ ଦିନ ନୂଆ ନୂଆ ଅଞ୍ଚଳ ଯୋଡ଼ି ହେଉଥିଲେ ମଧ୍ୟ ସେବା ଯୋଗାଇବା ଲାଗି ସେହି ଅନୁଯାୟୀ କର୍ମଚାରୀ ଓ ଲାଇନ୍‌ମ୍ୟାନ୍‌ ନାହାନ୍ତି। ଯେତିକି ସଂଖ୍ୟକ କର୍ମଚାରୀ ରହିଛନ୍ତି ସେମାନେ ବହୁ କଷ୍ଟରେ ଗ୍ରାହକଙ୍କୁ ସେବା ଯୋଗାଉଛନ୍ତି। ଶ୍ରମିକମାନେ ନିଜର ମୋବାଇଲ୍‌ ଫୋନ୍‌ ଖର୍ଚ୍ଚ, ଗାଡ଼ିର ତେଲ ଖର୍ଚ୍ଚ, ଆବଶ୍ୟକ ମରାମତି ପାଇଁ ସରଞ୍ଜାମ ନିଜେ କିଣି ଗ୍ରାହକଙ୍କୁ ସେବା ଯୋଗାଉଛନ୍ତି। ହେଲେ ସେମାନଙ୍କୁ କୌଣସି ପ୍ରକାର ପ୍ରୋତ୍ସାହନ ଦିଆଯାଉ ନାହିଁ। ସେସୁର ୨୧ଟି ଡିଭିଜନ ମଧ୍ୟରୁ ୧୯ଟି ଡିଭିଜନରେ କର୍ମଚାରୀମାନେ ପଦୋନ୍ନତି ପାଉଥିବା ବେଳେ ବିସିଡିଡି-୨ ଡିଭିଜନ‌ର କର୍ମଚାରୀମାନେ ପଦୋନ୍ନତି ପାଉ ନାହାନ୍ତି। ନିୟମ ଅନୁଯାୟୀ ୧ ଲକ୍ଷ ୬୦ ହଜାର ଗ୍ରାହକ ଥିଲେ ଦୁଇଟି ଡିଭିଜନରେ ପରିଣତ କରାଯିବା କଥା। ହେଲେ ସେମିତି କିଛି କରାଯାଉ ନ ଥିବା ଓଡ଼ିଶା ରାଜ୍ୟ ବିଦ୍ୟୁତ୍‌ ଶ୍ରମିକ କର୍ମଚାରୀ ସଂଘ, ବିସିଡିଡି-୨ ପକ୍ଷରୁ ଅଭିଯୋଗ କରାଯାଇଛି। ଯଦି ଦେଖାଯାଏ ବିସିଡିଡି-୨ ଡିଭିଜନର ଗ୍ରାହକ ସଂଖ୍ୟା, ଲାଇନ୍‍, ସବ୍‌ଷ୍ଟେସନ ଓ ଭୌଗଳିକ ସ୍ଥିତି ଅନ୍ୟ ଡିଭିଜନ ତୁଳନାରେ ବହୁ ଅଧିକ। ଏହି ଡିଭିଜନରେ ୧ ଲକ୍ଷ ୬୦ ହଜାରରୁ ଅଧିକ ଉପଭୋକ୍ତା ଥିବାବେଳେ ୧୨ଟି ସେକ୍ସନ ଓ ୪ଟି ଫିଉଜ୍‌କଲ ସେଣ୍ଟର ଓ ୨୦ଟି ୩୩/୧୧ କେଭି କଣ୍ଟ୍ରୋଲ ରୁମ ରହିଛି। ତେବେ ଅନ୍ୟ ଡିଭିଜନ ତୁଳନାରେ ଏଠାରେ ବହୁ କମ୍‍ ସଂଖ୍ୟକ ଲାଇନ୍‍ମ୍ୟାନ ଓ ହେଲପର କାର୍ଯ୍ୟ କରୁଛନ୍ତି। ସେସୁର ଅନ୍ୟ ଡିଭିଜନ ତୁଳନାରେ ଏହା ଭଲ ଲାଭ କରି ଆସୁଥିଲେ ମଧ୍ୟ ଏହି ଡିଭିଜନ ଅନ୍ତର୍ଗତ ସମସ୍ତ ଲାଇନ୍‍ମ୍ୟାନ ଓ ହେଲପର ଦୀର୍ଘ ଦିନ ଧରି ଅବହେଳିତ ହୋଇ ଆସୁଛନ୍ତି। ପ୍ରମୋସନ ପାଇବାରୁ ବଞ୍ଚିତ ହେଉଛନ୍ତି। ଏନେଇ ବିଭିନ୍ନ ସମୟରେ ଦାବି କରାଯିବା ସହ ଡିଭିଜନ ସମ୍ମୁଖରେ ବାରମ୍ବାର ଧାରଣା, ଅନଶନ ଓ ଆନ୍ଦୋଳନ କରାଯାଇ ଥିଲେ ମଧ୍ୟ ଉଚ୍ଚ କର୍ତ୍ତୃପକ୍ଷ ବିଭିନ୍ନ ଆଳ ଦେଖାଇ ନ୍ୟାଯ୍ୟ ଦାବି ପ୍ରତି ଧ୍ୟାନ ଦେଉ ନାହାନ୍ତି।

ଏହାକୁ ନେଇ କର୍ମଚାରୀମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏପରିକି ଦାବି ପୂରଣ ପାଇଁ ଆଗାମୀ ଦିନରେ ଆନ୍ଦୋଳନ ପାଇଁ ଦାନା ବାନ୍ଧୁଛି। ଜୁନିୟର ଆର୍ଟିସାନ-‘ଏ’, ହେଲପର ଓ ଲାଇନ୍‍ମ୍ୟାନ ‘ସି’ କର୍ମଚାରୀଙ୍କ ପଦୋନ୍ନତି, ଡୁପ୍ଲିକେଟ ସର୍ଭିସ୍‍ ବୁକ ପ୍ରଦାନ କରିବା, ୨୦୧୫ ଏପ୍ରିଲ ପହିଲାରୁ ନିର୍ଦ୍ଧାରଣ ହୋଇଥିବା ମଜୁରିର କାଲ୍‌କୁଲେସନ୍‍ ସିଟ୍‍ ପ୍ରଦାନ କରିବା, ଉପଯୁକ୍ତ ପରିମାଣରେ ଏମ୍‍ଆର୍‍ ମ୍ୟାଟେରିଆଲ ପ୍ରଦାନ କରିବା, ଜାତୀୟ ଛୁଟିର ସଂଶୋଧିତ ଦରମା ପ୍ରଦାନ କରିବା, ଏମ୍‍ଏସିପି ତୁରନ୍ତ ଲାଗୁ କରିବା, ଉପଯୁକ୍ତ ମାନର ଶ୍ରମିକ ଓ କର୍ମଚାରୀ ଯୋଗାଇ ଦେବାକୁ ଦାବି କରାଯାଇଛି। ଏଥିସହ ଭରତପୁର ଅଞ୍ଚଳରେ ୩୩ କେଭି ଲାଇନ ତଳେ ୧୧ କେଭି ଲାଇନ ଯାଇଥିବା ଯୋଗୁଁ ହେଭି ଇଣ୍ଡକ୍‌ସନ କାରଣରୁ କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ପ୍ରତି ବିପଦ ରହିଛି। ତାହାର ରେକ୍ଟିଫିକେସନ ନେଇ ତୁରନ୍ତ ପଦକ୍ଷେପ ନେବାକୁ ଦାବି ହୋଇଛି। ନ ହେଲେ ଆସନ୍ତା ମେ’ ୮ ତାରିଖ ଠାରୁ ଦାବି ପୂରଣ ପର୍ଯ୍ୟନ୍ତ ଡିଭିଜନ ସମ୍ମୁଖରେ ଧାରଣା ଦେବା ପାଇଁ ସଂଘ ନିଷ୍ପତ୍ତି ନେଇଛି।

ସମ୍ବନ୍ଧିତ ଖବର