ଦୀନଦୟାଲ ଚାରି ଗଡ଼, ମହାପୁରୁଷଙ୍କୁ ଏମିତି ସମ୍ମାନ…

ଭୁବନେଶ୍ବର: ‘କ୍ଷମତା’ ଦେଶସେବା ପାଇଁ ଉପଯୋଗ ହେବା ଉଚିତ୍‌, ସ୍ବାର୍ଥ ହାସଲ ପାଇଁ ନୁହେଁ। ଏକାତ୍ମ ମାନବବାଦର ପ୍ରଣେତା ତଥା ଚିନ୍ତାନାୟକ ପଣ୍ଡିତ ଦୀନଦୟାଲ ଉପାଧାୟଙ୍କ ଏହି ଉକ୍ତି ଆଜି ବି କ୍ଷମତାକୁ ଜାବୁଡ଼ି ରଖୁଥିବା ବ୍ୟକ୍ତିବିଶେଷଙ୍କୁ ସତର୍କ କରିଦିଏ। ମାତ୍ର ଏଇ ପଣ୍ଡିତଙ୍କ ପ୍ରତି ଆମ ନେତା ଓ ପ୍ରଶାସକଙ୍କର କେତେ ଦରଦ ତାହା ଜନପଥରେ ୪ ଗଡ଼ ହୋଇ ପଡ଼ିଥିବା ଦୀନଦୟାଲଙ୍କ ପ୍ରତିମୂର୍ତିରୁ ଜଳଜଳ ବାରି ହେଉଛି।

ଜନପଥ କଡ଼ରେ ଠିକ୍‌ ଭାରତୀୟ ଜନତା ପାର୍ଟି ଅଫିସ୍‌ ନିକଟରେ ଛିଡ଼ା ହୋଇ ଆଦର୍ଶ ବାର୍ତା ବାଣ୍ଟୁଥିବା ଦୀନଦୟାଲଙ୍କ ପ୍ରତିମୂର୍ତି ଗତ ବାତ୍ୟାରେ ଭାଙ୍ଗି ପଡ଼ିଥିଲା। ବାତ୍ୟାକୁ ଇତି ମଧ୍ୟରେ ୩୮ ଦିନ ବିତିଲାଣି, ଅଥଚ ମୂର୍ତିକୁ ଯୋଡ଼ିବା ପାଇଁ ଏଯାଏଁ ଆନ୍ତରିକତା ପ୍ରକାଶ ପାଇନାହିଁ। ‌ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଣ୍ଡିତ ଦୀନଦୟାଲଙ୍କ ଏହି ପ୍ରତିମୂର୍ତିକୁ ୨୦୦୦ ମସିହା ଡିସେମ୍ବର ୨୯ ତାରିଖରେ ଲୋକାର୍ପଣ କରିଥିଲେ। ଭାରତୀୟ ଜନତା ପାର୍ଟିର ତତ୍କାଳୀନ ସର୍ବଭାରତୀୟ ସଭାପତି ବଙ୍ଗାରୁ ଲକ୍ଷ୍ମଣ ସେତେବେଳେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ରାଜ୍ୟ ବିଜେପିର ତତ୍କାଳୀନ ସଭାପତି ମନମୋହନ ସାମଲ, ତତ୍କାଳୀନ ମନ୍ତ୍ରୀ ବିଶ୍ବଭୂଷଣ ହରିଚନ୍ଦନ ମଧ୍ୟ ଉପସ୍ଥିତ ଥିଲେ। ପଣ୍ଡିତ ଦୀନଦୟାଲ ଭାରତୀୟ ଜନ ସଂଘର ସଭାପତି ଥିବା ବେଳେ ଭାରତୀୟ ଜନତା ପାର୍ଟିର ପୂର୍ବଜ ଭାବେ ‌ତାଙ୍କୁ ଅଭିହିତ କରାଯାଉଛି। ଦଳୀୟ ବିଚାର ଧାରାରୁ ଊର୍ଧ୍ବରେ ଥାଇ ମାନବବାଦର ମନ୍ତ୍ର ବାଣ୍ଟୁଥିବା ଏହି ପଣ୍ଡିତଙ୍କୁ ସମ୍ମାନ ଦେଇ ତାଙ୍କ ପ୍ରତିମୂର୍ତି ସ୍ଥାପନ ସହ ତାଙ୍କ ନାଁରେ ପାର୍କ ନିର୍ମାଣ ହୋଇଛି ସତ ମାତ୍ର ବାତ୍ୟାକୁ ୪୦ଦିନ ପୂରିବାକୁ ବସିଥିଲେ ମଧ୍ୟ ତାଙ୍କ ପ୍ରତିମୂର୍ତିକୁ ସଜାଡ଼ିଦେବାକୁ ସାମାନ୍ୟତମ ପ୍ରୟାସ ଆରମ୍ଭ ‌ନହେବା ବୁଦ୍ଧିଜୀବୀମାନଙ୍କୁ କ୍ଷୁବ୍ଧ କରିଛି। ମହାପୁରୁଷଙ୍କୁ ବାସ୍ତବରେ କେତେ ସମ୍ମାନ ଦିଆଯାଏ ତାହା ଏଇଥିରୁ ଜଳଜଳ ବାରିହେଉଛି। ଏବେ ତାଙ୍କ ପାଦ ଗୋଟେ ଜାଗାରେ, ମୁଣ୍ଡ ଓ ବାକି ଅଂଶ ଆଉ ଗୋଟେ ଜାଗାରେ ପଡ଼ିରହିଛି। ଜନପଥ ଭଳି ରାଜଧାନୀର ଜନଗହଳୀ ପୂର୍ଣ୍ଣ ସ୍ଥାନରେ ମହାପୁରୁଷଙ୍କୁ ଏଭଳି ଅସମ୍ମାନ ଯିଏ ଦେଖୁଛି ନିନ୍ଦା କରୁଛି।

ସମ୍ବନ୍ଧିତ ଖବର