ଦୁଇ ଦୁର୍ଘଟଣାରେ ୨ ମୃତ, ୧ ଗୁରୁତର

ଖୋର୍ଦ୍ଧା: ଖୋର୍ଦ୍ଧା ସହରର ଶ୍ରୀରାମନଗର ଓ ୧୬ନମ୍ବର ଜାତୀୟ ରାଜପଥରେ ଦୁଇଟି ପୃଥକ ସଡ଼କ ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ସୂଚନାନୁସାରେ, ଗତକାଲି ରାତି ୨ଟା ବେଳେ ଖୋର୍ଦ୍ଧା ଶ୍ରୀରାମ ନଗର ଲକ୍ଷ୍ମୀନାରାୟଣ କଲ୍ୟାଣ ମଣ୍ତପ ନିକଟସ୍ଥ ରାସ୍ତାକଡ଼ରେ ଜଣେ ଯୁବକ ନିଜ ମୋଟର ସାଇକଲ ସହ ପଡ଼ିଥିବା ସୂଚନା ପାଇ ଖୋର୍ଦ୍ଧା ଟାଉନ୍ ଥାନା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିଥିଲା। ପୁଲିସ ତୁରନ୍ତ ଆହତ ଯୁବକଙ୍କୁ ଖୋର୍ଦ୍ଧା ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାର ତଦନ୍ତଭାର ନେଇଥିବା ଏସ୍‌ଆଇ ମାଧବାନନ୍ଦ ବସ୍ତିଆ କହିଛନ୍ତି ଯେ ଯୁବକଜଣକ ହେଉଛନ୍ତି ଜିତେନ୍ଦ୍ର ସାହୁ (୨୭)। ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି। ଶବକୁ ବ୍ୟବଛେଦ ପାଇଁ ପଠାଯାଇଛି। ରିପୋର୍ଟ ଆସିଲା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ। ସେହିଭଳି ଆଜି ଅପରାହ୍‌ଣରେ ୧୬ନମ୍ବର ଜାତୀୟ ରାଜପଥର ପିତାପଲ୍ଲୀ ଛକଠାରେ ରାସ୍ତା କଡ଼ରେ ଠିଆ ହୋଇଥିବା ଏକ ଟ୍ରକ୍‌ ସହ ବାଇକର ଧକ୍କା ହୋଇଥିଲା। ଏଥିରେ ଦୁଇଜଣ ବାଇକ୍‌ ଆରୋହୀ ଗୁରୁତର ଭାବେ ଆହତ ହୋଇଥିଲେ। ଉଭୟଙ୍କୁ ଖୋର୍ଦ୍ଧା ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ବାରଙ୍ଗ ଅଞ୍ଚଳର ରମେଶ ରାଉତରାୟଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟଜଣଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର