ଦୁର୍ଗନ୍ଧମୟ ହେଲା ପଥୋତ୍ସବ, ଭାସିଲା ମଳ

ଭୁବନେଶ୍ୱର: ପଥୋତ୍ସବରେ ଭାସିଲା ମଳ। ଶ୍ରୀୟା ଛକ ପଟୁ ମାଷ୍ଟର କ୍ୟାଣ୍ଟିନ୍‌ ଆଡ଼କୁ ଭାସି ଆସୁଥିବା ପାଣିରେ ମେଞ୍ଚା ମେଞ୍ଚା ମଳ। ଛୁଟିଦିନ ସକାଳରେ ଟିକିଏ ମଉଜମସ୍ତି ପାଇଁ ଘରୁ ବାହାରି ଆସିଥିବା ସହରବାସୀ ପଥୋତ୍ସବରେ ଏଭଳି ଏକ ପରିବେଶ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ। ପ୍ରବଳ ଗନ୍ଧରେ ନାକରେ ହାତ ଦେଇ ଚାଲୁଥିଲେ। ଦୀର୍ଘ ସମୟ ପର୍ଯ୍ୟନ୍ତ ଏଭଳି ଦୁର୍ଗନ୍ଧମୟ ହୋଇ ପଡ଼ିଥିଲା ପଥୋତ୍ସବ ପରିବେଶ। ସ୍ବେରେଜ୍‌ ଟାଙ୍କି ପୂର୍ଣ୍ଣ ହୋଇଯିବା ପରେ ଓଭର-ଫ୍ଲୋ ହୋଇ ଏହି ପାଣି ରାସ୍ତା ଉପରକୁ ମାଡ଼ି ଆସିଥିଲା। ପଥୋତ୍ସବ ସମୟ ଭିତରେ ଏହାକୁ ସୁଧାରିବା ପାଇଁ ଉଦ୍ୟମ ହୋଇଥିଲେ ମଧ୍ୟ ସମ୍ଭବ ହୋଇନଥିଲା। କଲିକତି ଲଟେଇ ମୋର: ପବିତ୍ର ମକର ସଂକ୍ରାନ୍ତି ଅବ୍ୟବହିତ ପୂର୍ବରୁ ଆଜିର ୭୪ ତମ ପଥୋତ୍ସବ ଗୁଡ଼ି ଉତ୍ସବ ପ୍ରତି ସମର୍ପିତ ହୋଇଥିଲା। ରଙ୍ଗିନ ଗୁଡ଼ିରେ ଭର୍ତ୍ତି ହୋଇଯାଇଥିଲା ଜନପଥ। ବସ୍ତିବାସିନ୍ଦାଙ୍କୁ ଗୁଡ଼ି ବାଣ୍ଟୁଥିଲା ଜୟ ଓଡ଼ିଶା ଫାଉଣ୍ଡେସନ୍‌। ପିଲାଙ୍କ ଚାହିଦା ଅନୁସାରେ ଘଟଣାସ୍ଥଳରେ ହିଁ ଗୁଡ଼ି ଉପରେ ଲାଗୁଥିଲା ରଙ୍ଗ, ଚିତ୍ରିତ ହେଉଥିଲା। ଜାତୀୟ ସଂହତି ଓ ଭିନ୍ନତାରେ ଏକତା ପ୍ରସଙ୍ଗ ନେଇ ଇତିଶ୍ରୀ ଦୀକ୍ଷିତ ଓ ତାଙ୍କ ଟିମ୍‌ ଏହି ଚିତ୍ର ଆଙ୍କୁଥିଲେ। ପାଖାପାଖି ୩୦ ହଜାର ସହରବାସୀଙ୍କ ସମେତ ଫ୍ରାନ୍‌ସ୍‌ର କିଛି ନାଗରିକ ଆଜିର ପଥୋତ୍ସବର ଭାଗୀଦାର ହୋଇଥିଲେ। ଅକ୍ଷୟ ମହାନ୍ତିଙ୍କ ‘କଲିକତି ଲଟେଇ ମୋର, ନମ୍ବରୀ ସୂତାରେ ମାଞ୍ଜା’ ଗୀତ ସହ ଗୁଡ଼ିକୁ ନେଇ ଗୀତରେ ମଞ୍ଚ ସହ ଜନପଥ ଗୁଞ୍ଜରିତ ହୋଇଥିଲା। କଲାମ୍‌ଙ୍କ ସ୍ମରଣେ: ୧୦ ହଜାର କଣ୍ଟା, ୬ କିଲୋମିଟର ଲମ୍ବା ନାଇଲନ୍‌ ସୂତା ସହାୟତାରେ ୮ ଫୁଟ ଲମ୍ବା ଓ ୬ ଫୁଟ ଉଚ୍ଚତାର ଅବଦୁଲ କଲାମ୍‌ଙ୍କ ମୂର୍ତ୍ତି ତିଆରି ହୋଇଥିଲା। ସୁନ୍ଦରପଦାର ଦେବୀପ୍ରସାଦ ରାଉତ ଏହାକୁ ତିଆରି କରିଥିଲେ। ସରଳ ନିରାଡମ୍ବର ଜୀବନ ପାଇଁ ଭାରତୀୟଙ୍କ ପ୍ରାଣକୁ ଆହ୍ଲାଦିତ କରିଥିବା ଏହି ମିସାଇଲ ମ୍ୟାନ୍‌ଙ୍କ ମୂର୍ତ୍ତି ପାଖରେ ଯେ କେହି ଛିଡ଼ା ହୋଇ ଯାଉଥିଲା କିଛି ସମୟ। ମକର ରାଣ: ‘ତୁମକୁ ମକର ରାଣ, ଟ୍ରାଫିକ ନିୟମ ମାନିବ, ସଡ଼କ ସୁରକ୍ଷା ପ୍ରତି ଧ୍ୟାନ ଦେବ’। ମକର ଚାଉଳ ଖା‌ଇବାକୁ ଦେଇ ଏଭଳି ସଡ଼କ ସୁରକ୍ଷା ସଚେତନତା ସୃଷ୍ଟି କରିଥିଲେ ହେଲ୍ପମେଟ୍‌ର ନିବେଦିତା ଭଞ୍ଜ।

ସମ୍ବନ୍ଧିତ ଖବର