ଦୋହଲିଲାଣି ମହାପୁରୁଷଙ୍କ ପ୍ରତିମୂର୍ତି

ଭୁବନେଶ୍ବର: ଉତୁରି ଗଲାଣି ରଙ୍ଗ। ଦୋହଲିଲାଣି ଶରୀର। କେତେବେଳେ ଯେ ଭାଙ୍ଗିପଡ଼ିବ ତାହା ସମୟ ହିଁ କହିବ। ରାଜଧାନୀରେ ସ୍ଥାପିତ ମହାପୁରୁଷଙ୍କ ପ୍ରତିମୂର୍ତି ଓ ଏହାର ପାରିପାର୍ଶ୍ବିକ ଚିତ୍ର ହିଁ ଏସବୁ ବୟାନ କରୁଛି। ପ୍ରତିମୂର୍ତି ସ୍ଥାପନ ପାଇଁ ଏକରକମ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ମହାପୁରୁଷଙ୍କ ବିଚାରଧାରାକୁ ସ୍ମରଣ କରିବା ନେଇ ସମଗ୍ର ରାଜ୍ୟରେ ପୂର୍ବାପେକ୍ଷା ପ୍ରତିମୂର୍ତି ସ୍ଥାପନ ସଂଖ୍ୟା ବଢ଼ି ଚାଲିଛି। ସରକାରଙ୍କ ଏହି ପଦକ୍ଷେପ ସବୁରି ମହଲରୁ ପ୍ରଶଂସିତ ବି ହୋଇଛି। ଅଥଚ ଯେଉଁ ମହାପୁରୁଷଙ୍କ ପ୍ରତିମୂର୍ତି ପୂର୍ବରୁ ଦଣ୍ଡାୟମାନ ଅଛି, ତା’ର ଯତ୍ନ ନିଆଯାଉଛି ତ? ସ୍ଥାପିତ ପ୍ରତିମୂର୍ତିର ସ୍ଥିତି ଠିକ୍‌ ଅଛି କି ନାହିଁ, ତଦାରଖ କରାଯାଉଛି ତ? ଯଦି ଏଭଳି ପ୍ରଶ୍ନ ରଖାଯାଏ, ତେବେ ଉତ୍ତର ଫେରିବ ନା। ଏହାକୁ ‌ଶାସନ କଳର କର୍ତୃପକ୍ଷ ଫାଙ୍କି ଦେଇପାରିବେ ନାହିଁ।

କେବଳ ମହାପୁରୁଷଙ୍କ ଜନ୍ମ ଦିନରେ ଗାଧୋଇ ଦେଇ ଫୁଲମାଳ ଟାଙ୍ଗି ଦେବା ପରେ ସରକାର କାର୍ଯ୍ୟ ‌ସାରି ଦେଉଛନ୍ତି। ମହାପୁରୁଷଙ୍କୁ ଅସମ୍ମାନ କରାଯାଉଥିବା ନେଇ ବାରମ୍ବାର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ହେଁ ଏନେଇ କର୍ତୃପକ୍ଷ ଆନ୍ତରିକତା ଦେଖାଇଲେ ନାହିଁ। ତେଣୁ ସରକାରଙ୍କୁ ଅପେକ୍ଷା ନକରି ମହାପୁରୁଷଙ୍କ ପ୍ରତିମୂର୍ତି ସଫେଇ କରିବାକୁ ଆଗେଇ ଆସିଛି ‘ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ’। ଅଭିଯାନର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀଙ୍କ ନେତୃତ୍ବରେ ଆରମ୍ଭ ହୋଇଯାଇଛି ମହାପୁରୁଷଙ୍କ ସଫେଇ କାର୍ଯ୍ୟକ୍ରମ। ଇତି ମଧ୍ୟରେ ୮ନମ୍ବର ସ୍ଥିତ ଗୋପବନ୍ଧୁ ଦାସ ସ୍ମୃତିପୀଠ, ପିଏମ୍‌ଜି ସ୍ଥିତ ୫ ମହାପୁରୁଷଙ୍କ ପ୍ରତିମୂର୍ତି ସଫେଇ କରାଯାଇଛି। ଏହାସହ ପ୍ରତିମୂର୍ତି ଚତୁଃପାର୍ଶ୍ବକୁ ଅଶୋଭନୀୟ କରୁଥିବା ଘାସ ଓ ଅନାବନା ଗଛକୁ ମଧ୍ୟ କାଟି ସଫା କରାଯାଇଛି। ତେବେ ସଫେଇ ବେଳେ ପ୍ରତିମୂର୍ତିର ବାସ୍ତବ ସ୍ଥିତି କେତେ ସଙ୍ଗିନ ତାହା ସାମ୍ନାକୁ ଆସିଛି। ଯେତେବେଳେ ସ୍ବେଚ୍ଛାସେବୀଙ୍କ ଦ୍ବାରା ସଫେଇ କରାଯାଉଥିଲା, ସେତେବେଳେ ଅଧିକାଂଶ ପ୍ରତିମୂର୍ତି ଦୋହଲୁଥିବା ପରିଲକ୍ଷିତ ହୋଇଛି। ବିଶେଷକରି ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ପ୍ରତିମୂର୍ତିକୁ ପାଣିରେ ସଫା କରିବା ବେଳେ ରଙ୍ଗ ଉତୁରି ଯାଇଥିଲା। ପ୍ରତିମୂର୍ତି ଏପରି ଦୋହଲୁଛି ଯେ କେଉଁ ମୁହୂର୍ତରେ ଗଳିପଡ଼ିବ ତାହା କହିହେବ ନାହିଁ ବୋଲି ଶ୍ରୀ ଶତପଥୀ କହିଛନ୍ତି। ଯଦି ସରକାର ମାସକ ମଧ୍ୟରେ ଏହାର ମରାମତି ନ କରନ୍ତି, ତେବେ ଅଭିଯାନ ପକ୍ଷରୁ ଏହାର ମରାମତି ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

ଏହି ଧାରାରେ ଅଭିଯାନର ସଂଯୋଜକ କିଶନ ବରାଇ, ଯୁଗ୍ମ ସଂଯୋଜକ ବାପୁ ଓଝା, ଅରବିନ୍ଦ ତ୍ରିପାଠୀ, ନିରଂଜନ ସାହୁ, ସମିତା ମହାରଣା, ଋତୁରାଜ ପଟ୍ଟନାୟକ, ନାରାୟଣ ଖୁଣ୍ଟିଆ, ବ୍ରଜବନ୍ଧୁ ପରିଡ଼ା, ପ୍ରମୋଦ କୁମାର ଦେବ, ସୀତାଂଶୁ ମହାରଣା, ସୂର୍ଯ୍ୟକାନ୍ତ ସ୍ବାଇଁ, ଅସିତ ଦାସ ଓ ଅନ୍ୟ ସଦସ୍ୟମାନେ ସାମିଲ୍‌ ହୋଇଛନ୍ତି। ଆସନ୍ତା ୧୮ ତାରିଖରେ ପୁରୀ ସାକ୍ଷୀଗୋପାଳସ୍ଥିତ ବକୁଳବନରେ ପଞ୍ଚସଖାଙ୍କ ପ୍ରତିମୂର୍ତି ସଫେଇ, ସ୍ମୃତିଚାରଣ ଓ ବକୁଳବନ ସଫେଇ କରାଯିବ ବୋଲି ଶ୍ରୀ ଶତପଥୀ କହିଛନ୍ତି।

ସମ୍ବନ୍ଧିତ ଖବର