ଦ୍ବିଦିବସୀୟ ରାଜ୍ୟସ୍ତରୀୟ ମାନବାଧିକାର କର୍ମୀ ଶିବିର ଉଦ୍‌ଘାଟିତ

ନିଜ ଆଡ଼ୁ ମାମଲା କରିବା ସମ୍ଭବ ନୁହେଁ: ଜଷ୍ଟିସ୍ ଦାସ

ଭୁବନେଶ୍ବର: ଗାଣତାନ୍ତ୍ରିକ ରାଷ୍ଟ୍ରରେ ମାନବାଧିକାର ସୁରକ୍ଷା ରାଷ୍ଟ୍ରର ମୌଳିକ ଦାୟିତ୍ବ। ମାତ୍ର ସମାଜରେ ଦିନକୁ ଦିନ ମାନବାଧିକାର ଉଲ୍ଲଂଘନ ଘଟଣା ବଢ଼ିବାରେ ଲାଗିଛି। ଅନେକ ଘଟଣାରେ ମାନବାଧିକାର କର୍ମୀ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ ବା ପେପର କଟିଂକୁ ନେଇ କମିସନଙ୍କ ନିକଟରେ ପିଟିସନ୍‌ ଦାଖଲ କରୁଛନ୍ତି। ଏହା କମିସନଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି। ତେଣୁ ମାନବାଧିକାର କର୍ମୀ ପେପର୍‌ କଟିଂ ଉପରେ ନିର୍ଭର ନ କରି ଘଟଣାସ୍ଥଳକୁ ଯାଇ ଏହାର ଅନୁସନ୍ଧାନ କରନ୍ତୁ। ଫଳରେ ମାନବାଧିକାର ଉଲ୍ଲଂଘନର ଶିକାର ହୋଇଥିବା ବ୍ୟକ୍ତିଟିଏ ପ୍ରକୃତ ନ୍ୟାୟ ପାଇବାରେ ସହାୟକ ହୋଇପାରିବ। କମିସନଙ୍କ ନିକଟରେ ଅନ୍ୟ ସଦସ୍ୟ ପଦ ଖାଲି ପଡ଼ିଥିବା ବେଳେ ନିଜ ଆଡ଼ୁ ମାମଲା କରିବା ସମ୍ଭବ ନୁହେଁ ବୋଲି କହିଛନ୍ତି ରାଜ୍ୟ ମାନବାଧିକାର ଆୟୋଗର କାର୍ଯ୍ୟକାରୀ ଅଧ୍ୟକ୍ଷ ଜଷ୍ଟିସ୍ ରଘୁବୀର ଦାସ।

ଆଜି ରେଡକ୍ରସ୍‌ ଭବନରେ ହ୍ୟୁମାନ ରାଇଟ୍‌ସ ଫ୍ରଣ୍ଟ ପକ୍ଷରୁ ଦ୍ବିଦିବସୀୟ ରାଜ୍ୟସ୍ତରୀୟ ମାନବାଧିକାର କର୍ମୀ ଶିବିର ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜଷ୍ଟିସ୍ ଦାସ କହିଲେ, ମାନବାଧିକାର ଦିଗରେ କାର୍ଯ୍ୟ କରୁଥିବା କର୍ମୀମାନଙ୍କ ଜୀବନ ପ୍ରତି ସବୁବେଳେ ବିପଦ ରହିଛି। ଫଳରେ ସେମାନେ ଆକ୍ରମଣ ଶିକାର ହେଉଛନ୍ତି ବୋଲି ସେ କହିଥିଲେ। ରାଜ୍ୟ ମାନବାଧିକାର ସୁରକ୍ଷା ସେଲ୍‌ର ଏଡିଜି ଏସ୍‌.ଏମ୍‌ ନିର୍ବାଣେ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ପୁଲିସ ମାନବାଧିକାର ସୁରକ୍ଷା ପାଇଁ କାର୍ଯ୍ୟ କରିବାକୁ ଜୋର୍‌ ଦେଇଥିଲେ। ମାନବାଧିକତା ଆଧାର ଓ ଆଇନର ସୀମା ଭିତରେ ରହି ପୁଲିସ କାର୍ଯ୍ୟ କରୁଛି ବୋଲି ସେ କହିଥିଲେ। ରାଜ୍ୟ ମହିଳା କମିସନ ସଦସ୍ୟ ସ୍ନେହାଞ୍ଜଳି ମହାନ୍ତି କହିଲେ, ମହିଳାଙ୍କ ଉପରେ ନିର୍ଯାତନା ବଢ଼ିବାରେ ଲାଗିଛି। ଘରୋଇ ହିଂସା ନିରୋଧ ଆଇନ, କର୍ମକ୍ଷେତ୍ରରେ ଯୌନ ନିର୍ଯାତନା ନିବାରଣ ଆଇନ, ଯୌତୁକ ବିରୋଧ ଆଇନ ସତ୍ତ୍ବେ ୩୦ପ୍ରତିଶତ ମହିଳା ହିଂସାର ଶିକାର ହେଉଛନ୍ତି ବୋଲି ସେ ସୂଚନା ଦେଇଥିଲେ।

ଫ୍ରଣ୍ଟର ଅଧ୍ୟକ୍ଷ ମନୋଜ ଜେନା କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିବା ସହ ବିଭିନ୍ନ ମାନବାଧିକାର ଉଲ୍ଲଂଘନ ଓ ମାନବାଧିକାର କର୍ମୀଙ୍କ ଭୂମିକା ଉପରେ ସମୀକ୍ଷା କରିଥିଲେ। ଆବାହକ ରାଜୀବ ପଟ୍ଟନାୟକ ସ୍ବାଗତ ଭାଷଣ ଓ ଦୀପକ ମହାନ୍ତି ଧନ୍ୟବାଦ ଦେଇଥିଲେ। ତାଲିମ୍ ଶିବିରରେ ଅନ୍ୟ ସମ୍ବଳ ଅଧିକାରୀ ଭାବେ ପୁଲିସ ଅଧିକାରୀ ସଂଗ୍ରାମ ମହାପାତ୍ର ତଥ୍ୟ ଅନୁସନ୍ଧାନ, କେସ୍ ଲିପିବଦ୍ଧ ଓ ଅଭିଯୋଗ ଦାଏର ସଂପର୍କରେ ତାଲିମ୍‌ ଦେଇଥିଲେ। ଆଇନ ସେବା ସଂସ୍ଥା କ୍ଲାପର ଅଧ୍ୟକ୍ଷ ବିକାଶ ଦାସ, ଓଡ଼ିଶା ଅଭିଭାବକ ମହାସଂଘର ବାସୁଦେବ ଭଟ୍ଟ ପ୍ରମୁଖ ଉପସ୍ଥିତ ଥିଲେ। ରମେଶ ରାଉତ, ଉଷାରାଣୀ ବେହେରା, ନିରଦ ବରଣ ଖୁଣ୍ଟିଆ, ଶ୍ରୀକାନ୍ତ ପାକଳ ପ୍ରମୁଖ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର