ନଦୀରେ ଅବରୋଧ ଯୋଗୁଁ ବନ୍ୟା ସୃଷ୍ଟି ହେଉଛି

‘ଓଡ଼ିଶାର ନଦୀ ଓ ଜଳ’ ଶୀର୍ଷକ ରାଜ୍ୟସ୍ତରୀୟ ଆଲୋଚନାଚକ୍ର

ଭୁବନେଶ୍ୱର: ଆଜିର ସମୟରେ ପାଣିକୁ ନେଇ ରାଜ୍ୟ-ରାଜ୍ୟ ମଧ୍ୟରେ ଲଢ଼େଇ ହେଉଛି। ନଦୀର ପ୍ରବାହରେ ଅବରୋଧ ଯୋଗୁଁ ପାଣିର ସ୍ରୋତ ଉପରେ ଏହାର ପ୍ରଭାବ ପଡ଼ୁଛି। ଏବେ ବର୍ଷା ଅଧିକ ହେଉନାହିଁ ବରଂ ନଦୀ‌େର ଅବରୋଧ ଯୋଗୁଁ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ‌େହଉଛି ବୋଲି କହିଛନ୍ତି ସ୍ବଦେଶୀ ଜାଗରଣ ମଞ୍ଚର ଅଖିଳ ଭାରତୀୟ ସଂଗଠକ କାଶ୍ମୀରୀ ଲାଲ୍। ଆଜି ସ୍ବଦେଶୀ ଜାଗରଣ ମଞ୍ଚ ଓଡ଼ିଶା ପକ୍ଷରୁ ଇମେଜ୍ କ୍ୟାମ୍ପସରେ ‘ଓଡ଼ିଶାର ନଦୀ ଓ ଜଳ’ ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଶ୍ରୀ ଲାଲ୍ କହିଲେ, ରାଜ୍ୟରେ ଛୋଟବଡ଼ ୨୪ଶହ ନଦୀ ବନ୍ଧ ରହିଥିଲେ ହେଁ ମାତ୍ର ୧୭ ବିସିଏମ୍ ଜଳ ଧାରଣ କ୍ଷମତା ସୃଷ୍ଟି ହୋଇପାରିଛି। ବଳକା ସମସ୍ତ ପାଣି ସମୁଦ୍ରକୁ ଚାଲି ଯାଉଛି।  ନଦୀ ଉପରେ ଏବେ ୪ଟି ଆକ୍ରମଣ ହେଉଛି। ଜଳବାୟୁରେ ପରିବର୍ତନ, ଠିକ୍ ଭାବେ ବର୍ଷା ନ ହେବା, ଶିଳ୍ପର ବିସ୍ତାର ଓ ଲୋକସଂଖ୍ୟା ବୃଦ୍ଧି ଯୋଗୁଁ ନଦୀ ଉପରେ ପ୍ରଭାବ ପଡ଼ୁଛି।  ଶ୍ରୀ ଲାଲ୍‌ କହିଥି‌େଲ, ଏକଦା ଇଂଲଣ୍ଡରେ ପ୍ରବାହିତ ଥେମ୍‌ସ ନଦୀରେ ପ୍ରଦୂଷଣରେ ଭରି ଯାଇଥିଲା। ଏହାର ଗନ୍ଧ ବ୍ରିଟିଶ ପାର୍ଲାମେଣ୍ଟରେ ବସିଥିବା ସମସ୍ତ ସଦସ୍ୟମାନଙ୍କୁ ଅସ୍ତବ୍ୟସ୍ତ କରି ଦେଇଥିଲା। ସଦସ୍ୟମାନେ ବାଧ୍ୟହୋଇ ନଦୀକୁ ସଫା ରଖିବାକୁ ନିଷ୍ପତ୍ତି ନେଇଥିଲେ। ତେଣୁ ନଦୀକୁ ପ୍ରଦୂଷଣମୁକ୍ତ ରଖିବାକୁ ହେଲେ ସରକାରଙ୍କ ସହିତ ଜନସାଧାରଣଙ୍କ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ରହିଛି ବୋଲି ସେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆଶୁତୋଷ ମୁଖାର୍ଜୀ, ନଗର ସଂଯୋଜକ ବିଜୟ କୁମାର ରାଉତରାୟ ଓ ପ୍ରାନ୍ତ ସଂଗଠନ ମନ୍ତ୍ରୀ ନିର୍ମଳ ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରାନ୍ତ ସଂଯୋଜକ ଶତୃଘ୍ନ ତରାଇ ସ୍ବାଗତ ଭାଷଣ ସହିତ କାର୍ଯ୍ୟକ୍ରମର ଆଭିମୁଖ୍ୟ ସଂପର୍କରେ ବକ୍ତବ୍ୟ ରଖିଥିବା ବେଳେ ଶିଶିର ମିଶ୍ର ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ବି.ପାତ୍ରଙ୍କୁ ସମ୍ବର୍ଧିତ କରାଯାଇଥିଲା। ଦୁଇଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ଆଲୋଚନା ଚକ୍ରରେ ନଦୀ ସଂପର୍କୀୟ ବିଶେଷଜ୍ଞ, ଯୋଜନାକାରୀ ଓ ବ୍ୟବହାକାରୀ ସଦସ୍ୟମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧିତ ଖବର