ନବୀନ ନିବାସ ଆଗରେ ଧାରଣା ଉଦ୍ୟମ, ମହିଳା ଅଟକ

ପୁରୁଣା ଭୁବନେଶ୍ବର: ନବୀନ ନିବାସ ଆଗରେ ଧାରଣା ଦେବାକୁ ଚେଷ୍ଟା କରିବା ଅଭିଯୋଗରେ ଏୟାରଫିଲଡ୍‌ ଥାନା ପୁଲିସ ଜଣେ ମହିଳାଙ୍କୁ ଅଟକ ରଖିଛି। ମହିଳାଜଣଙ୍କ ହେଲେ, ବାଲେଶ୍ବର ଜିଲ୍ଲା ସିଂଲା ଥାନା ଅଞ୍ଚଳର ଶୁଭସ୍ମିତା ଦେ। ଅକଥନୀୟ ନିର୍ଯାତନାର ଶିକାର ହେବା ପରେ ମଧ୍ୟ ସିଂଲା ଥାନା ପୁଲିସ ତାଙ୍କ ଅଭିଯୋଗ ରଖୁନଥିବାରୁ ଏହାର ପ୍ରତିବାଦରେ ଶୁଭସ୍ମିତା ଆଜି ନିଜର ଛୋଟପୁଅ ସହ ରାଜଧାନୀ ଆସିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ନ୍ୟାୟ ଭିକ୍ଷା କରିବା ପାଇଁ ଆଜି ଦିନ ବେଳେ ସେ ନବୀନ ନିବାସ ଯାଇଥିଲେ। କିନ୍ତୁ ସୁରକ୍ଷା କର୍ମୀମାନେ ତାଙ୍କୁ ବାଧା ଦେବାରୁ ସେ ସେହିଠାରେ ଧାରଣା ଦେବାକୁ ଉଦ୍ୟମ କରିଥିଲେ। ତେଣୁ ସୁରକ୍ଷାକର୍ମୀମାନେ ତାଙ୍କୁ ସେଠାରୁ ପ୍ରଥମେ ମହିଳା ଥାନା ଓ ପରେ ଏୟାରଫିଲଡ୍‌ ପୁଲିସର ଜିମା ଦେଇଥିଲେ। ସେଠାରୁ ଶୁଭସ୍ମିତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ନେଇ ବୁଝାସୁଝା କରାଯାଇଥିଲା। କିନ୍ତୁ ନିଜ ଜିଦ୍‌ରେ ଅଟଳ ରହିବାରୁ ବିଳମ୍ବିତ ରାତିରେ ତାଙ୍କୁ କଳିଙ୍ଗନଗର ସୁଧାର ଗୃହକୁ ପଠାଇ ଦିଆଯାଇଥିବା ଜଣାଯାଇଛି। ଶୁଭସ୍ମିତାଙ୍କ ଅଭିଯୋଗ ଅନୁଯାୟୀ, ୨୦୧୨ ମସିହାରେ ବିବାହ ପରେ ଶାଶୂଘର ଲୋକେ ଅଧିକ ଯୌତୁକ ଦାବି କରି ତାଙ୍କୁ ନିର୍ଯାତନା ଦେଇଥିଲେ। ଏ ସଂକ୍ରାନ୍ତରେ ୨୦୧୫ମସିହାରେ ସେ ସିଂଲା ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ପୁଲିସ ଅଭିଯୁକ୍ତଙ୍କୁ ଗିରଫ ନ କରିବାରୁ ସେ ବାଲେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟରେ ଅଭିଯୋଗ କରିଥିଲେ। କୋର୍ଟ ହରପଦିଙ୍କୁ ବାରମ୍ବାର ନୋଟିସ୍‌ କରିବା ପରେ ମଧ୍ୟ ସେ ହାଜର ହୋଇ ନଥିଲେ। ଶେଷରେ କୋର୍ଟ ତାଙ୍କ ନାମରେ ଵାରେଣ୍ଟ୍‌ ଜାରି କରିଥିଲେ। ହରପଦି ଖୁଲମଖୁଲା ବୁଲୁଥିଲେ ହେଁ ପୁଲିସ ତାଙ୍କୁ ଗିରଫ କରୁନାହିଁ। ଫଳରେ ଏହାର ସୁଯୋଗ ନେଇ ସେ ଶୁଭସ୍ମିତା ଓ ତାଙ୍କ ପୁଅକୁ ମାରିଦେବାକୁ ଧମକ ଦେଉଛି।

ସମ୍ବନ୍ଧିତ ଖବର