ନାଇଜରର ଅଷ୍ଟମ ସ୍ନାତକ ସମାରୋହ, ‘ଆହ୍ବାନକୁ ସ୍ବୀକାର କଲେ ସଫଳତା ନିଶ୍ଚିତ’

ଜଟଣୀ: ଜୀବନରେ ବିଜ୍ଞାନ ଗବେଷଣାକୁ ଆହ୍ବାନ ଭାବେ ଗ୍ରହଣ କରି ନୋବେଲ ପୁରସ୍କାର ବିଜେତା ସୁବ୍ରମଣ୍ୟମ ଚନ୍ଦ୍ରଶେଖର ଓ ପରମାଣୁ ବିଜ୍ଞାନୀ ହୋମି ଭାବା ଯେଉଁ ସଫଳତା ପାଇଛନ୍ତି, ତାକୁ ଆଦର୍ଶ ଭାବେ ଗ୍ରହଣ କର। ନିଷ୍ଠା ଓ ଅଧ୍ୟବସାୟ ସହିତ ଆହ୍ବାନକୁ ସ୍ବୀକାର କରି ଗବେଷଣା ଜାରି ରଖିଲେ ପ୍ରତ୍ୟେକ ଛାତ୍ରଛାତ୍ରୀ ସଫଳ ହୋଇ ପାରିବେ ବୋଲି ଜଟଣୀସ୍ଥିତ ଜାତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ (ଭୁବନେଶ୍ବର ନାଇଜର)ର ଅଷ୍ଟମ ସ୍ନାତକ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପରମାଣୁ ଶକ୍ତି ବିଭାଗର ଏମିରିଟସ୍‌ ପ୍ରଫେସର ମୁସ୍ତାନସିର ବର୍ମା ମତ ଦେଇଛନ୍ତି।
ଆଜି ଜଟଣୀସ୍ଥିତ ନାଇଜରର ଅଷ୍ଟମ ସ୍ନାତକ ସମାରୋହ ଅନୁଷ୍ଠିତ ହୋଇଯାଇଛି। ନାଇଜର ପରିଚାଳନା ପରିଷଦର କାର୍ଯ୍ୟକାରୀ ସଭାପତି ପ୍ରଫେସର ପିନାକୀ ମଜୁମ୍‌ଦାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ନାଇଜର, ଭୁବନେଶ୍ବରର ନିର୍ଦ୍ଦେଶକ ପ୍ରଫେସର ଡ. ସୁଧାକର ପଣ୍ତା ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ। ଅନ୍ୟପକ୍ଷରେ ପଫେସର ମଜୁମ୍‌ଦାର ତାଙ୍କର ସଭାପତୀୟ ଅଭିଭାଷଣରେ ଆଇଜର ଏବଂ ନାଇଜର ମାଧ୍ୟମରେ ବିଜ୍ଞାନ ଶିକ୍ଷା ଦେଶରେ ଏକ ନୂଆ ସମ୍ଭାବନା ସୃଷ୍ଟି କରିଛି ବୋଲି କହିଥିଲେ।
ଏହି ସମାରୋହରେ ୯୪ ଜଣ ଛାତ୍ରଛାତ୍ରୀଙ୍କୁ ଏମ୍ଏସ୍‌ସି ଡିଗ୍ରି ଏବଂ ୨୧ ଜଣ ଛାତ୍ରଛାତ୍ରୀଙ୍କୁ ପିଏଚ୍‌ଡି ଡିଗ୍ରି ପ୍ରଦାନ କରାଯାଇଥିଲା। ଅନୁଷ୍ଠାନର କୁଳସଚିବ ଡ. ଅଭୟ କୁମାର ନାୟକଙ୍କ ପରିଚାଳନାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ଉତ୍ସବରେ ପଦାର୍ଥବିଜ୍ଞାନ ବିଭାଗର ଛାତ୍ର ବିନିତ କୁମାର ଦାସଙ୍କୁ ଶ୍ରେଷ୍ଠ ଛାତ୍ର ଭାବେ ସ୍ବର୍ଣ୍ଣ ପଦକ ପ୍ରଦାନ କରାଯାଇଥିବା ବେଳେ ରସାୟନ ବିଜ୍ଞାନର ଅମନ କୁମାର ଅଗ୍ରୱାଲ, ଗଣିତର ଦିବ୍ୟଜ୍ୟୋତି ଧନଞ୍ଜୟ ଜେନା ଏବଂ ପ୍ରାଣୀ ବିଜ୍ଞାନର ତେଜସ୍‌ ଏସ୍‌. ଙ୍କୁ ନିଜ ନିଜ ବିଭାଗରେ ଟପ୍ପର ହୋଇଥିବାରୁ ରୌପ୍ୟପଦକ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଦ୍ୟାର୍ଥୀ ବିଭାଗର ଡିନ୍ ଡ. ବିନୋଦ କୁମାର ସାହୁ, ଆସୋସିଏଟ୍ ଡିନ୍ ଡ. କାର୍ତ୍ତିକେଶ୍ବର ସେନାପତି ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ଡ. ଦେବସ୍ମିତା ପଙ୍କଜ ଆଲୋନେ ସଞ୍ଚାଳନ କରିଥିଲେ।

ସମ୍ବନ୍ଧିତ ଖବର