ନାଗଥିହଲ୍ଲି ରମେଶଙ୍କୁ ‘କଳିଙ୍ଗ ବିଶ୍ବଚେତନା ରାଷ୍ଟ୍ରୀୟ ପ୍ରଶସ୍ତି ପୁରସ୍କାର’

ଭୁବନେଶ୍ବର: ବାଙ୍ଗାଲୋରରେ ଓଡ଼ିଆ ଶ୍ରମିକମାନଙ୍କ ସେବା‌ରେ ବ୍ରତୀ ‘କଳିଙ୍ଗ ବାଙ୍ଗାଲୋର ଫାଉଣ୍ଡେସନ୍‌’ ପକ୍ଷରୁ ‘କଳିଙ୍ଗ ବିଶ୍ବଚେତନା ରାଷ୍ଟ୍ରୀୟ ପ୍ରଶସ୍ତି ପୁରସ୍କାର’ ଉତ୍ସବ ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ହୋଇଯାଇଛି। କର୍ଣ୍ଣାଟକ ଓ ଓଡ଼ିଶା ମଧ୍ୟରେ କଳା, ସଂସ୍କୃତି ଓ ସାହିତ୍ୟର ଆଦାନ ପ୍ରଦାନ ପାଇଁ ପ୍ରୟାସ ସ୍ବରୂପ ପ୍ରତିଷ୍ଠାନ ପକ୍ଷରୁ ପ୍ରଥମ ଥର ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କର୍ଣ୍ଣାଟକ ସରକାରଙ୍କ ସଂସ୍କୃତି ବିଭାଗ ଏବଂ ଓଡ଼ିଶା ସରକାରଙ୍କ ‌ସୂଚନା ଓ ଲୋକସମ୍ପର୍କ ବିଭାଗର ସହଯୋଗରେ ଆୟୋଜିତ ଏହି ଉତ୍ସବରେ କର୍ଣ୍ଣାଟକର ବିଶିଷ୍ଟ ଲେଖକ, ଚିତ୍ରକର ତଥା କବି ନାଗଥିହଲ୍ଲି ରମେଶଙ୍କୁ ପ୍ରଥମ ‘କଳିଙ୍ଗ ବିଶ୍ବଚେତନା ରାଷ୍ଟ୍ରୀୟ ପ୍ରଶସ୍ତି ପୁରସ୍କାର’ ପ୍ରଦାନ କରାଯାଇଛି। ୫୦ ହଜାର ଟଙ୍କାର ଅର୍ଥରାଶି ସହ ତାଙ୍କୁ ଅତିଥିମାନେ ସମ୍ବର୍ଧିତ କରିଥିଲେ। ଏଥିସହ କଟକର ଶ୍ରୀଶ୍ରୀ ହନୁମାନଜୀଉ ଆଧ୍ୟାତ୍ମିକ ଓ ଚାରିଟେବୁଲ୍‌ ଟ୍ରଷ୍ଟ୍‌ର ପ୍ରତିଷ୍ଠାତା କୁଞ୍ଜବିହାରୀ ଆଚାର୍ଯ୍ୟଙ୍କୁ ସମ୍ମାନିତ କରାଯାଇଥିଲା।

ଏହି ଅବସରରେ ବିଶିଷ୍ଟ କବି ସୀତାକାନ୍ତ ମହାପାତ୍ର, ରମାକାନ୍ତ ରଥ, ଔପନ୍ୟାସିକ ବିଭୂତି ପଟ୍ଟନାୟକ, ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ପୂର୍ବତନ ପ୍ରଶାସକ ରବି ନନ୍ଦ, ବରିଷ୍ଠ ସାମ୍ବାଦିକ ଶ୍ରୀରାମ ଦାଶ, ଗୁରୁ କଲ୍ୟାଣ ମହାପାତ୍ର, ଲେଖକ ତଥା ଚଳଚ୍ଚିତ୍ର ନିର୍ମାତା ମୁକେଶ କୁମାର ତାମଟା ଏବଂ ସମାଜସେବୀ ରୀନା ରାଉତରାୟ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ପ୍ରତିଷ୍ଠାନର ଏତାଦୃଶ କାର୍ଯ୍ୟକ୍ରମ ଉଭୟ କର୍ଣ୍ଣାଟକ ଓ ଓଡ଼ିଶା ମଧ୍ୟରେ ଯୋଗସୂତ୍ର ସ୍ଥାପନ ସହ କଳା, ସାହିତ୍ୟ ଜଗତରେ ଆଦାନ ପ୍ରଦାନ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଅତିଥିମାନେ କହିଥିଲେ। ପ୍ରତିଷ୍ଠାନର ପ୍ରତିଷ୍ଠାତା ଗୌତମ ଚରଣ ଦାଶ, ଅଧ୍ୟକ୍ଷ ରଂଜନ ଆଚାର୍ଯ୍ୟ ଉତ୍ସବ ସମ୍ପର୍କରେ ମତ ରଖି କହିଥିଲେ, ଏହି ପୁରସ୍କାର ବର୍ଷକୁ ଦୁଇଥର ପ୍ରଦାନ କରାଯିବ। ଆଜି ଏହି ପୁରସ୍କାର ଜଣେ କନ୍ନଡ଼ ସାହିତ୍ୟିକଙ୍କୁ ପ୍ରଦାନ କରାଯାଇଥିବା ବେଳେ ବାଙ୍ଗାଲୋରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଜଣେ ବିଶିଷ୍ଟ ଓଡ଼ିଆ ଲେଖକଙ୍କୁ ପୁରସ୍କୃତ କରାଯିବ।

ସମ୍ବନ୍ଧିତ ଖବର