ନାବାଳିକା ଅନ୍ତସତ୍ତ୍ବା, ଯୁବକ ଫେରାର, ପୁଲିସ କମିସନରଙ୍କ ଦ୍ବାରସ୍ଥ ହେଲେ ପୀଡ଼ିତା

ଭୁବନେଶ୍ୱର: ପ୍ରଥମେ ପ୍ରେମ ତା’ପରେ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ। ଏହାପରେ ଅନ୍ତଃସତ୍ତ୍ବା ନାବାଳିକାଙ୍କୁ ଛାଡ଼ି ଫେରାର ହୋଇଗଲା ପ୍ରେମିକ। ଏନେଇ ନାବାଳିକା ଜଣକ ଏୟାର ଫିଲ୍ଡ ଥାନାର ଦ୍ବାରସ୍ଥ ହେଲେ। ହେଲେ ପୁଲିସ ଯୁବକକୁ ଫେରାର ଦର୍ଶାଇ ଗିରଫ କଲା ନାହିଁ। ଫଳରେ ଅନ୍ୟ ଉପାୟ ନପାଇ ପୀଡ଼ିତା ଆଜି ପୁଲିସ୍‌ କମିସନର ସତ୍ୟଜିତ ମହାନ୍ତିଙ୍କୁ ଲିଖିତ ଅଭିଯୋଗ କରିବା ସହ ନ୍ୟାୟ ଭିକ୍ଷା କରିଛନ୍ତି। ଦେଢ଼ବର୍ଷ ଧରି ଯୁବକ ସମ୍ପର୍କ ରଖିବା ପରେ ଧୋକା ଦେଇଥିବା ସେ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି। ଅଭିଯୁକ୍ତ ପ୍ରେମିକ ସୁନ୍ଦରପଦାର ବିକ୍ରମ ବେହେରା ବୋଲି ଜଣାପଡ଼ିଛି। ତାଙ୍କ ନାମ‌ରେ ମାର୍ଚ୍ଚ ୨୯ ତାରିଖରେ ଏୟାରଫିଲ୍ଡ ଥାନା ପୋକ୍ସୋ ଆଇନ ଧାରା ୬ ବଳରେ ଏକ ମାମଲା(୫୫/୧୯) ରୁଜୁ କରିଛି। ନାବାଳିକା ଅନ୍ତସତ୍ତ୍ବା ଥିଲେ ମଧ୍ୟ ପୁଲିସ ମାମଲା ରୁଜୁ କରି ଚୁପ୍‌ ବସିଛି। ତା’ ଛଡ଼ା ଆଉ ଏକ ସଙ୍ଗିନ ଅଭିଯୋଗ ହେଉଛି ପୋକ୍ସୋ ଆକ୍ଟ ବଳରେ ହେଉଥିବା ମାମଲାର ତଦନ୍ତ ଇନ୍‌ସ୍‌ପେକ୍ଟର କରିବାକୁ ଥିବା ବେ‌ଳେ ଏଠାରେ ଜଣେ ମହିଳା ସବ୍‌ ଇନ୍‌ସ୍‌ପେକ୍ଟର ଏହାର ତଦନ୍ତ କରୁଛନ୍ତି। ଏ ସବୁକୁ ନେଇ ପୀଡ଼ିତା ପୁଲିସ କମିସନରଙ୍କୁ ଅଭିଯୋଗ କରିଛନ୍ତି।

ପୁଲିସ ସୂଚନା ମୁତାବକ, ୨୦୧୮ ମସିହାରେ ବିକ୍ରମ ନାବାଳିକାଙ୍କୁ ପ୍ରେମ ଜାଲରେ ଫସାଇଥିଲା। ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ସହ ନିଜ ଘର ସୁନ୍ଦରପଦାକୁ ନେଇ ଆସିଥିଲା। ମାସେ ରହିବା ପରେ ବିକ୍ରମର ପରିବାର ସଦସ୍ୟ ନାବାଳିକାକୁ ଘରେ ରହିବାକୁ ଦେଇନଥିଲେ। ଏହା ପରେ ବିକ୍ରମ ତାଙ୍କୁ ପୁରୀ ନେଇଯାଇ ଘର ଭଡ଼ା ନେଇ ରହିଥିଲା। ନାବାଳିକାକୁ ଛାଡ଼ି ଦେବାପାଇଁ ପ୍ରତ୍ୟେକ ଦିନ ବିକ୍ରମକୁ ପରିବାର ସଦସ୍ୟ ପ୍ରବର୍ତ୍ତାଉଥିଲେ। ଇତିମଧ୍ୟରେ ନାବାଳିକା ଗର୍ଭବତୀ ହୋଇଥିଲେ। ଦିନେ ଅଫିସ୍‌ ଯାଉଛି କହି ବିକ୍ରମ ଆଉ ଫେରିନଥିଲା। କିଛି ଦିନ ପ୍ରତୀକ୍ଷା କରିବା ପରେ ନାବାଳିକା ତାଙ୍କ ମା’ ସହିତ ବିକ୍ରମ ଘରେ ପହଞ୍ଚିଥିଲେ। ହେଲେ ସେଠାରେ ଉଭୟଙ୍କୁ ବିକ୍ରମ ପରିବାରବର୍ଗ ଗାଳି ଗୁଲଜ କରିବା ସହ ଘରୁ ବାହାର କରି ଦେଇଥିଲେ।

ସମ୍ବନ୍ଧିତ ଖବର