ନ’ ତାଲାରୁ ଚୋରି, ଉଚ୍ଚଶିକ୍ଷା ନିର୍ଦେଶକଙ୍କ ଝରକା ଗ୍ରିଲ୍‌ ତାଡ଼ିନେଲେ

୪ ମହଲାକୁ ଚୋର ଚଢ଼ିଲା କେମିତି? ପେଟ୍ରୋଲିଂ ବଢ଼ାଇବାକୁ କ୍ୟାପିଟାଲ ଥାନାକୁ ଅନୁରୋଧ

ଭୁବନେଶ୍ବର: ଉଚ୍ଚଶିକ୍ଷା ବିଭାଗରୁ ଚୋରି। ରାତିରେ ଝରକା ଗ୍ରିଲ୍‌ ତାଡ଼ି ନେଇଛନ୍ତି ଦୁବୃର୍ତ୍ତ। ନିର୍ଦେଶକଙ୍କ କାର୍ଯ୍ୟାଳୟ ସମେତ କେତେକ ସେକ୍ସନର ଝରକା ଗ୍ରିଲ୍‌ ଚୋରି ହୋଇଛି। କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ହେଡ୍‌ ଅଫ୍‌ ଡିପାର୍ଟମେଣ୍ଟାଲ ବିଲଡିଂ ତଥା ୟୁନିଟ୍‌-୫ରେ ଥିବା ନ’ ତାଲା କୋଠାର ୪ର୍ଥ ଓ ୫ମ ମହଲାରେ ଥିବା ଉଚ୍ଚଶିକ୍ଷା ବିଭାଗର ଦ୍ବିତୀୟ କ୍ୟାମ୍ପସରେ ଏଭଳି ଘଟଣା ସାମ୍ନାକୁ ଆସିଛି। ସପ୍ତାହକ ତଳେ ଝରକା ‌ଗ୍ରିଲ୍‌ ଚୋରି ହୋଇଯାଇଥିବାରୁ ଦୁବୃର୍ତ୍ତଙ୍କ ହାତରେ ଏବେ ବିଭାଗର ଚାବି। ଯେତେବେଳେ ଯିଏ ଚାହିବେ, ଝରକା ବାଟ ଦେଇ କାର୍ଯ୍ୟାଳୟ ଭିତରକୁ ପ୍ରବେଶ କରିପାରିବେ। ଅତ୍ୟାବଶ୍ୟକ କମ୍ପ୍ୟୁଟର, କାଗଜପତ୍ର ନେଇ ଯାଇ ପାରିବେ। ଏମିତିକି ଝରକା ଗ୍ରିଲ୍‌ ଚୋରି ହୋଇଥିବାରୁ କାର୍ଯ୍ୟାଳୟରେ ଥିବା ବାକି ସାମଗ୍ରୀ ଚୋରି ହେବା ଅସମ୍ଭବ ନୁହେଁ ବିଭାଗୀୟ ଅଧିକାରୀମାନେ ଆଶଙ୍କା ପ୍ରକାଶ କରିଛନ୍ତି।

ନିର୍ଦେଶକଙ୍କ କାର୍ଯ୍ୟାଳୟରୁ ଚୋରି ହୋଇଥିବା ଝରକା ଗ୍ରିଲ୍‌ ଲଗାଇବା ଲାଗି ଉଚ୍ଚଶିକ୍ଷା ବିଭାଗ ଅତିରିକ୍ତ ସଚିବ ରାଜଶ୍ରୀ ମହାନ୍ତି ଆଜି ସାଧାରଣ ପ୍ରଶାସନ ବିଭାଗ(ଇଷ୍ଟେଟ୍‌) ନିର୍ଦେଶକଙ୍କୁ ଚିଠି ଲେଖିବା ପରେ ଏଭଳି ଘଟଣା ସାମ୍ନାକୁ ଆସିଛି। ଶ୍ରୀମତୀ ମହାନ୍ତି ଉଲ୍ଲେଖ କରିଛନ୍ତି ଯେ ଗତ ସପ୍ତାହ ରାତିରେ ଝରକା ଗ୍ରିଲ୍‌ ଚୋରି ହୋଇଛି। ଗ୍ରିଲ୍‌ ନ ଥିବାରୁ କମ୍ପ୍ୟୁଟର ସମେତ ଅନ୍ୟାନ୍ୟ କାଗଜପତ୍ର ଅସୁରକ୍ଷିତ ହୋଇପଡ଼ିଛି। ତେଣୁ ପୂର୍ତ୍ତ ବିଭାଗକୁ କହି ଏଦିଗରେ ତୁରନ୍ତ ପଦକ୍ଷେପ ନିଅନ୍ତୁ। ବଳ ସେତିକି ନୁ‌ହେଁ, ଅତିରିକ୍ତ ସଚିବ ଶ୍ରୀମତି ମହାନ୍ତି କ୍ୟାପିଟାଲ ଥାନା ଅଧିକାରୀଙ୍କ ଦ୍ବାରସ୍ଥ ହୋଇଛନ୍ତି। ଘଟଣା ସମ୍ପର୍କରେ ଅବଗତ କରିବା ସହ ରାତ୍ରୀକାଳୀନ ପେଟ୍ରୋଲିଂକୁ ବଢ଼ାଇବା ଲାଗି ଅନୁରୋଧ କରିଛନ୍ତି। ଭବିଷ୍ୟତରେ ଯେପରି ଏଭଳି ଚୋରି ନ ହୁଏ, ସେ ଦିଗରେ ପଦକ୍ଷେପ ନେବାକୁ ଚିଠିରେ ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧିତ ଖବର