ପଞ୍ଚମ ବେଦର ନାଟ୍ୟ ଉତ୍ସବ ଉଦ୍‌ଯାପିତ: ନାୟିକା ବେଶରେ ଖଳନାୟିକା

ଭୁବନେଶ୍ବର: ସମ୍ପତ୍ତି ପାଇଁ ସମ୍ପର୍କ ମରେ। ଏହା ତ ଚିରାଚରିତ କଥା। କିନ୍ତୁ ଏହି କାହାଣୀ ଚାହାଣିକୁ ନେଇ। ଏହା ଥିଲା ସମ୍ପର୍କରେ ଥାଇ ସମ୍ପର୍କକୁ ମାରିବାର କାହାଣୀ। ନାୟିକା ବେଶରେ ଖଳନାୟିକାର କଥା। ‌ଚେହେରା ସିନା ଏକ, ହେଲେ ଚରିତ୍ର ଭିନ୍ନ। ହେଲେ ଏ ଚେହେରା କ’ଣ ଚିହ୍ନି ହୁଏ। ଯଦି ହଁ, ତେବେ କେମିତି? ପ୍ରେମରେ ନା ଭ୍ରମରେ, ପଶ୍ଚାତାପରେ ନା ପ୍ରତାରଣାରେ? ଅନୁସନ୍ଧାନରେ ନା ଅନୁଶୀଳନରେ? ଏମିତି ଏକ ରୋଚକ ତଥା ରହସ୍ୟମୟ କାହାଣୀକୁ ନେଇ ଆଜି ମଞ୍ଚସ୍ଥ ହୋଇଥିଲା ନାଟକ ‘ଖଳନାୟିକା- ଏକ ଆତ୍ମକଥା’। ପଞ୍ଚମବେଦ ପକ୍ଷରୁ ସ୍ବର୍ଗତ ଅମିୟ ପଟ୍ଟନାୟକଙ୍କ ସ୍ମୃତିରେ ୪ଦିନ ଧରି ରବୀନ୍ଦ୍ର ମଞ୍ଚପଠାରେ ଆୟୋଜିତ ପଞ୍ଚଦଶ ରାଜ୍ୟସ୍ତରୀୟ ନାଟ୍ୟ ମହୋତ୍ସବର ଆଜି ପରଦା‌ ନଇଁଛି। ଭୁବନେଶ୍ବରସ୍ଥିତ ଲାବଣ୍ୟ ଥିଏଟର ପକ୍ଷରୁ ପରିବେଷିତ ଏହି ନାଟକର ରଚନା ଦିଲ୍ଲୀପ ବଳବନ୍ତରାୟ କରିଥିଲେ। ନାଟ୍ୟ ନିର୍ଦ୍ଦେଶନା ଦେଇଥିଲେ ସତ୍ୟ ଜେନା। ଏହି ଅବସରରେ ବରିଷ୍ଠ ଅଭିନେତା ତଥା ଲବ୍ଧ ପ୍ରତିଷ୍ଠିତ ନିର୍ଦ୍ଦେଶକ ଚୌଧୁରୀ ବିକାଶ ଦାସଙ୍କୁ ‘ଅମିୟ ପଟ୍ଟନାୟକ ସ୍ମୃତି ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। ଏଥିସହ ମନ୍ମଥ ଶତପଥୀ, ସୁରଞ୍ଜନ ଦାସ ମହାପାତ୍ର, ଲକ୍ଷ୍ମୀପ୍ରିୟା ମିଶ୍ର, ଧୀର ମଲ୍ଲିକ ଓ ନାରାୟଣ ସାହୁଙ୍କୁ ‘ପଞ୍ଚମବେଦ ସମ୍ମାନ’ ପ୍ରଦାନ କରାଯାଇଛି। ଆଜିର କାର୍ଯ୍ୟକ୍ରମରେ ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର କୁଳପତି କମଳାକାନ୍ତ ମିଶ୍ର ଓ ଲେଖକ ବିଜୟ ମିଶ୍ର ଅତିଥି ଭାବେ ଯୋଗ ଦେଇଥିଲେ। ପଞ୍ଚମବେଦର କାର୍ଯ୍ୟକାରୀ ସଭାପତି ହରେନ ସାହୁ ଓ ସମ୍ପାଦକ ପ୍ରକାଶ ମହାରଣା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ନଟବର ଆଚାର୍ଯ୍ୟ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର