ପଥର ଖଣିରେ ମାଫିଆଙ୍କ ଦାଦାଗିରି, ଅତିରିକ୍ତ ତହସିଲଦାରଙ୍କୁ ଆକ୍ରମଣ

ଥାନାରେ ମାମଲା ରୁଜୁ, ୧୨ ଜଣ ଅଭିଯୁକ୍ତଙ୍କୁ ଚିହ୍ନଟ ପାଇଁ ତଦନ୍ତ ଆରମ୍ଭ
ଖୋର୍ଦ୍ଧା/ଟାଙ୍ଗୀ: ୨ ବର୍ଷ ବ୍ୟବଧାନରେ ଟାଙ୍ଗୀ ଥାନା ଅଧୀନସ୍ଥ ହରିପୁରଠାରେ ପଥର ମାଫିଆଙ୍କ ମାଡ଼ରେ ଅତିରିକ୍ତ ତହସିଲଦାର ଓ ତାଙ୍କ ଅଫିସର କେତେକ କର୍ମଚାରୀ ଆହତ ହୋଇଥିବା ଜଣାଯାଇଛି। ତେବେ ଆକ୍ରମଣର ଦୀର୍ଘ ୮ ଘଣ୍ଟା ପରେ ଏନେଇ ଥାନାରେ ଅଭିଯୋଗ ପରେ ମାମଲା ରୁଜୁ ହେବା ଘଟଣା, ପ୍ରସଙ୍ଗକୁ ଆହୁରି ଜଟିଳ କରିଛି।

ସୂଚନାନୁସାରେ, ଆଜି ସକାଳ ପ୍ରାୟ ୧୧ଟା ବେଳେ ଟାଙ୍ଗୀ ଅତିରିକ୍ତ ତହସିଲଦାର ମଧୁସ୍ମିତା ବେହେରା ନିଜ କାର୍ଯ୍ୟାଳୟର ଡ୍ରାଇଭର ପବିତ୍ର ସେଠୀ, କର୍ମଚାରୀ ଗଦାଧର ବେହେରା ଓ ପ୍ରକାଶ ପ୍ରଧାନଙ୍କୁ ନେଇ ଉଗ୍ରତାରା ମନ୍ଦିର ନିକଟସ୍ଥ ବେଆଇନ ପାତ୍ରପଡ଼ା ପଥର ଖଣି ଉପରେ ଚଢ଼ଉ କରିଥିଲେ। ଏହି ସମୟରେ ସେଠାରେ ଏକ ଜେସିବି ମେସିନ ମିନି ଟ୍ରକ୍ ଓ ଟ୍ରାକ୍ଟରରେ ପଥର ଭର୍ତ୍ତି କରୁଥିଲା। କର୍ମଚାରୀମାନେ ଉକ୍ତ ଗାଡ଼ିଗୁଡ଼ିକର ଚାବି ବାହାର କରି ଜବତ କରିବାକୁ ଚେଷ୍ଟା କରିବା ସମୟରେ ୧୫ରୁ ୨୦ଜଣ ବ୍ୟକ୍ତି ସେମାନଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଅତିରିକ୍ତ ତହସିଲଦାରଙ୍କ ଆଣ୍ଠୁ, ଗୋଡ଼, ହାତରେ ମାଡ଼ ହୋଇଥିବା ବେଳେ ଗଦାଧର ବେହେରାଙ୍କ ବେକ, ମୁହଁ, ବାମ ଆଖିରେ ଆଘାତ ଲାଗିଥିଲା। ପରେ ଅଧିକାରୀ ଓ କର୍ମଚାରୀଙ୍କର ଟାଙ୍ଗୀ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ଏନେଇ ଖୋର୍ଦ୍ଧା ଉପ ଜିଲ୍ଲାପାଳ ଶାନ୍ତନୁ ମହାନ୍ତିଙ୍କୁ ଯୋଗାଯୋଗ କରିବାରୁ ସେ କହିଥିଲେ ଯେ ଏହି ସମୟରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ତହସିଲଦାର ଓ ବିଡିଓଙ୍କ ଏକ ସମୀକ୍ଷା ବୈଠକ ଚାଲିଥିଲା। ପରେ ଏନେଇ ଏସ୍‌ପିଙ୍କ ସହ ଆଲୋଚନା କରି ଥାନାରେ ଏତଲା ଦେବା ପାଇଁ ଅତିରିକ୍ତ ତହସିଲଦାର ଓ ତହସିଲଦାରଙ୍କୁ କୁହାଯିବା ପରେ ଏତଲା ରୁଜୁ ହୋଇଛି। ସେହିଭଳି ଆରକ୍ଷୀ ଅଧୀକ୍ଷକ ଅଜୟ ପ୍ରତାପ ସ୍ବାଇଁଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ନିୟମାନୁସାରେ, ଚଢ଼ଉ ପାଇଁ ଯିବା ପୂର୍ବରୁ ପୁଲିସର ସହାୟତା ନେବା କଥା। କିନ୍ତୁ ଉକ୍ତ ଅଧିକାରୀ ଏନେଇ ପୁଲିସକୁ କୌଣସି ସୂଚନା ଦେଇ ନଥିଲେ। ସେଇ ଇଲାକାରେ ପୂର୍ବରୁ ମଧ୍ୟ ଏଭଳି ଚଢ଼ଉରେ ଯାଇଥିବା ଅଧିକାରୀଙ୍କ ଉପରେ ଆକ୍ରମଣ ହୋଇଛି। ଟାଙ୍ଗୀ ଥାନାରୁ ମିଳିଥିବା ସୂଚନାନୁସାରେ, ତହସିଲଦାର ଓ ଅତିରିକ୍ତ ତହସିଲଦାରଙ୍କ ଅଭିଯୋଗ ଭିତ୍ତିରେ ୬୮/୨୦୨୦ରେ ଏକ ମାମଲା ରୁଜୁ କରାଯାଇଛି। କୌଣସି ଆକ୍ରମଣକାରୀଙ୍କ ନାମ ନିର୍ଦ୍ଦିଷ୍ଟ ଭାବେ ଉଲ୍ଲେଖ ନଥିଲେ ମଧ୍ୟ ଆକ୍ରମଣରେ ସାମିଲ ଥିବା ୧୨ଜଣଙ୍କୁ ଚିହ୍ନଟ କରିବା ପାଇଁ ତଦନ୍ତ ଆରମ୍ଭ ହୋଇଛି।

ସୂଚନାଯୋଗ୍ୟ ଯେ ୨୦୧୭ ମାର୍ଚ୍ଚ ମାସରେ ରଥୀପୁର କନ୍ତିଆ ମୌଜାରେ ଥିବା ବେଆଇନ ପଥର ଖଣିରେ ଚଢ଼ଉ ପାଇଁ ଯାଇଥିବା ଜଟଣୀ ତହସିଲଦାର ବିଜୟ କୁମାର ସ୍ବାଇଁ ଓ ଅନ୍ୟ ରାଜସ୍ବ ବିଭାଗ କର୍ମଚାରୀଙ୍କୁ ପଥର ମାଫିଆ ଘେରାଉ କରି ଆକ୍ରମଣ କରିଥିଲେ। ଏହି ଘଟଣାରେ ତହସିଲଦାର ବଡ଼ ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ପାଇଯାଇଥିଲେ ମଧ୍ୟ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହୋଇଥିଲେ। ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଏହି ଘଟଣାର ତିନି ମାସ ପୂର୍ବରୁ ଅର୍ଥାତ୍ ଜାନୁଆରି ମାସରେ ତତ୍କାଳୀନ ତହସିଲଦାର ତଥା ବର୍ତ୍ତମାନର ଉପଜିଲ୍ଲାପାଳ ଶାନ୍ତନୁ ମହାନ୍ତି ଓ ଟାଙ୍ଗୀ ତହସିଲଦାର ଆଶିଷ କୁମାର ଜେନାଙ୍କ ଉପରେ ଆକ୍ରମଣ ହୋଇଥିଲା। ଏଥିରେ ଶ୍ରୀ ମହାନ୍ତିଙ୍କୁ ବନ୍ଧୁକ ଦେଖାଇ ଜବତ ଗାଡ଼ି ଛଡ଼ାଇ ନେଇଥିବା ଅଭିଯୋଗ ହୋଇଥିଲା। ସେହିଭଳି ୨୦୧୮ ମସିହା ଫେବ୍ରୁଆରି ମାସରେ ଟାଙ୍ଗୀ ତହସିଲଦାର ଆଶିଷ କୁମାର ଜେନା, ଖୋର୍ଦ୍ଧା ତହସିଲଦାର ଶୁଭେନ୍ଦୁ ସାମଲ, ଚିଲିକା ଅତିରିକ୍ତ ତହସିଲଦାର ପୃଥ୍ବୀରାଜ ମଣ୍ତଳ ଓ ଅନ୍ୟ ରାଜସ୍ବ ବିଭାଗ କର୍ମଚାରୀ ବଡ଼ପୋଖରିଆ ଇଲାକାରେ ଥିବା ୭ଟି ବେଆଇନ ପଥର ଖଣି ଉପରେ ଚଢ଼ଉ କରି ଜେସିବି, ଟ୍ରକ୍ ଆଦି ଜବତ କରି ଫେରୁଥିବା ସମୟରେ ସେମାନଙ୍କ ଉପରେ ପଥର ମାଫିଆ ଆକ୍ରମଣ କରିଥିଲେ। ଅଧିକାରୀଙ୍କୁ ମାଡ଼ ମାରି ଲହୁଲୁହାଣ କରିବା ପରେ ଜବତ ଜେସିବି, ଟ୍ରକ୍ ଏବଂ ଅନ୍ୟ ଯନ୍ତ୍ରପାତି ଛଡ଼ାଇ ନେଇଯାଇଥିଲେ। ପରେ ପୁଲିସ୍‌ ଏହି ଘଟଣାରେ ପଦକ୍ଷେପ ନେଇ ବଡ଼ପୋଖରିଆରେ ଚଢ଼ଉ କରି ୯ଜଣଙ୍କୁ ଗିରଫ କରିଥିଲା। ଏହି ଘଟଣା ପରେ ରାଜସ୍ବ ସଚିବ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କୁ ଚିଠି ଲେଖି ବେଆଇନ ପଥର ଖଣି ଓ ଅନ୍ୟ ଲଘୁ ଖଣିଜଦ୍ରବ୍ୟର ବେଆଇନ କାରବାର ଉପରେ ଚଢ଼ଉ ସମୟରେ ରାଜସ୍ବ ଅଧିକାରୀଙ୍କୁ ପର୍ଯ୍ୟାପ୍ତ ସୁରକ୍ଷା ଦେବାକୁ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର