ପରିବହନ ମାଲିକ ଓ ଶ୍ରମିକ ମିଳିତ ମଞ୍ଚର ସମ୍ମିଳନୀ: ‘ମୋଟର ଯାନ ଆଇନରୁ ଜନସ୍ବାର୍ଥ ବିରୋଧୀ ଦଫା ହଟାଅ’

ଭୁବନେଶ୍ବର: ଭାରତରେ ବର୍ଷକୁ ଦେଢ଼ ଲକ୍ଷ ଲୋକ ଦୁର୍ଘଟଣା‌ରେ ପ୍ରାଣ ହରାଉଛନ୍ତି। ମୃତ୍ୟୁସଂଖ୍ୟା କମାଇବା ଉଦ୍ଦେଶ୍ୟରେ ସଂଶୋଧିତ ମୋଟର ଯାନ ଆଇନ ଲାଗୁ ହୋଇଛି। ବାସ୍ତବରେ ଏହି ମୃତ୍ୟୁ ଚାଳକର ତ୍ରୁଟି ଯୋଗୁଁ ହେଉନାହିଁ, ବରଂ ରାସ୍ତାରେ ଥିବା ତ୍ରୁଟି ଓ ଟ୍ରାଫିକ୍‌ ସମସ୍ୟା ଯୋଗୁଁ ହେଉଛି ବୋଲି ଦିଲ୍ଲୀ ଆଇଆଇଟିର ଏକ ରିପୋର୍ଟରୁ ଜଣାପଡ଼ିଛି। ରିପୋର୍ଟ ମୁତାବକ, ଭାରତରେ ବର୍ଷକୁ ୨୧ଲକ୍ଷ ଗାଡ଼ି ବିକ୍ରି ହେଉଛି। କିନ୍ତୁ ଏହି ସବୁ ଗାଡ଼ି ଚାଲିବା ପାଇଁ ଉପଯୁକ୍ତ ରାସ୍ତା ନାହିଁ। ଶୃଙ୍ଖଳିତ ଟ୍ରାଫିକ୍‌ ପରିଚାଳନା କରିବା‌ ପାଇଁ ବ୍ୟବସ୍ଥା ମଧ୍ୟ ନାହିଁ। ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟାର ମାତ୍ର ୧୦ପ୍ରତିଶତ ଚାଳକର ତ୍ରୁଟି ଯୋଗୁଁ ହେଉଥିବା ବେ‌ଳେ ୯୦ ପ୍ରତିଶତ ରାସ୍ତା ଓ ଟ୍ରାଫିକ୍‌ ପରିଚାଳନାଗତ ତ୍ରୁଟି କାରଣରୁ ହେଉଛି। ଏହି ସଂଶୋଧିତ ଆଇନ କେବଳ ସରକାରଙ୍କ ରାଜକୋଷ ଭରିବା ସହ ଅଧିକାରୀଙ୍କ ପକେଟ୍‌ ଗରମ ଓ କର୍ପୋରେଟ୍‌ ହାଉସ୍‌ର ସ୍ବାର୍ଥ ସାଧନ ହେଉଛି। ଏଣୁ ବାସ୍ତବତାକୁ ବିଚାରକୁ ନେଇ ସଂଶୋଧିତ ଆଇନରେ ଥିବା ଜନସ୍ବାର୍ଥ ବିରୋଧୀ ଦଫାକୁ ହଟାଯାଉ ବୋଲି କହିଛନ୍ତି ପରିବହନ ମାଲିକ ଓ ଶ୍ରମିକ ମିଳିତ ମଞ୍ଚ ସଭାପତି ଜନାର୍ଦ୍ଦନ ପତି। ଏହି ମର୍ମରେ ମିଳିତ ମଞ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ମଧ୍ୟ ପ୍ରେରଣ କରାଯାଇଥିବା ସେ ସୂଚନା ଦେଇଛନ୍ତି।

ମଞ୍ଚ ପକ୍ଷରୁ ଇନ୍‌ଷ୍ଟିଚ୍ୟୁଟ୍‌ସ୍‌ ଅଫ୍‌ ଇଞ୍ଜିନିୟର୍ସ ପରିସରରେ ଆଜି ଆୟୋଜିତ ଏକ ସଭାରେ ଏହି ସଂଶୋଧିତ ଆଇନକୁ କଡ଼ା ସମାଲୋଚନା କରାଯାଇଛି। ନିଖିଳ ଓଡ଼ିଶା ବସ୍‌ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ କହିଥିଲେ, ଅନେକ ରାଜ୍ୟ ଏହାକୁ ଲାଗୁ କରିନାହାନ୍ତି। ଏହାର ଅନେକ ଦୋଷତ୍ରୁଟି ରହିଛି। କଣ୍ଡକ୍ଟର୍‌ ଲାଇସେନ୍ସ ନଥିଲେ ୧୦ହଜାର ଟଙ୍କା ଜରିମାନା ଆଦାୟ କରାଯିବ। କିନ୍ତୁ ଦୁର୍ଘଟଣାରେ କଣ୍ଡକ୍ଟରର କ’ଣ ହାତ ଅଛି ବୋଲି ସେ ପ୍ରଶ୍ନ କରିଥିଲେ। ବସ୍‌ର ବଡି ସରକାରଙ୍କ ସ୍ବୀକୃତିପ୍ରାପ୍ତ ଅନୁ‌ଷ୍ଠାନରେ ତିଆରି କରିବାକୁ ବାଧ୍ୟତାମୂଳକ କରାଯାଇଛି। ଏହାଦ୍ବାରା ଛୋଟ ଛୋଟ ସଂସ୍ଥା କରି ଯେଉଁମାନେ ପେଟ ପୋଷୁଥିଲେ, ସେମାନେ ଜୀବିକା ହରାଇବେ। କିନ୍ତୁ ଯେଉଁ ସ୍ବୀକୃତିପ୍ରାପ୍ତ ସଂସ୍ଥା ଏହି ବଡି ତିଆରି କରୁଛି ସେଥିରେ ଦୁର୍ଘଟଣା ଘଟିଲେ ବଡି ନଷ୍ଟ ହେବନି ବା କେହି ମରିବେନି ବୋଲି ଗ୍ୟାରେଣ୍ଟି ନାହିଁ। ଅନେକ ବଡ଼ବଡ଼ିଆ ବିଦ୍ୟୁତ ଦେୟ ବାବଦକୁ ଲକ୍ଷ ଲକ୍ଷ ଟଙ୍କା ବକେୟା ରଖିଛନ୍ତି। କେବେ ସେମାନଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ହେଉନାହିଁ। ଏଣୁ ସମୂହ ସ୍ବାର୍ଥ ଦୃଷ୍ଟିରୁ ଏହି ଆଇନରୁ ଅନାବଶ୍ୟକ ଦଫା ବା ଲଦା ଯାଇଥିବା ବୋଝ ବାଦ୍‌ ଦିଆଯାଉ ବୋଲି ସେ କହିଛନ୍ତି। ନିଖିଳ ଓଡ଼ିଶା ଟାକ୍ସି ଓ ଅଟୋ ମହାସଂଘ ସଭାପତି ନବ ମହାନ୍ତି କହିଛନ୍ତି, ୧୫ ବର୍ଷରେ ବାଇକ୍‌ଗୁଡ଼ିକର ଫିଟ୍‌ନେସ୍‌ ସରି ଯାଉଛି। ଏହାକୁ ନୂତନ ଭାବେ ପଞ୍ଜୀକରଣ କରିବା ପାଇଁ ମୋଟା ଅଙ୍କର ଦେୟ ଭରିବାକୁ ପଡ଼ୁଛି। ଯାହା ଅନେକ ସାଧାରଣ ଲୋକ ପକ୍ଷରୁ ସମ୍ଭବ ହେଉନାହିଁ। ଅନ୍ୟମାନଙ୍କ ମଧ୍ୟରେ ବରଦା ଆଚାର୍ଯ୍ୟ, ରବି ନାରାୟଣ ଶତପଥୀ, ପଦ୍ମନ ସାମଲ ପ୍ରମୁଖ ଉପସ୍ଥିତ ରହି ନୂଆ ଆଇନକୁ ନେଇ ଉପୁଜୁଥିବା ସଙ୍କଟ ଉପରେ ଆଲୋକପାତ କରିଥିଲେ।

ସମ୍ବନ୍ଧିତ ଖବର