‘ପୁନଶ୍ଚ ସାଲବେଗ’ ଲୋକାର୍ପିତ

ଶ୍ରୀଜଗନ୍ନାଥଙ୍କ ଦର୍ଶନ ବିଶ୍ବ ପାଇଁ ମହୌଷଧି: ସୌମ୍ୟରଂଜନ

ଭୁବନେଶ୍ବର: ବର୍ତ୍ତମାନ ଆମେ ସମସ୍ତେ ‘ପୁନଶ୍ଚ’କୁ ଫେରିଯାଉଛେ। ପୁରୁଣା ଜିନିଷ ଫେରି ଆସୁଛି। ପୁରୁଣା କଥା ଭଲ ଲାଗୁଛି। ଶ୍ରୀଜଗନ୍ନାଥଙ୍କ ଦର୍ଶନ ଓ ବାର୍ତ୍ତା ଆଜି ସାରା ବିଶ୍ବ ପାଇଁ ପ୍ରାସଙ୍ଗିକ ହୋଇଉଠିଛି। ଜଗନ୍ନାଥ ବର୍ତ୍ତମାନ ଆମ ସମସ୍ତଙ୍କ ପାଇଁ ମହୌଷଧି। ତାଙ୍କୁ ସ୍ମରଣ କରି ତାଙ୍କ ଦର୍ଶନକୁ ଗ୍ରହଣ କଲେ ବିଶ୍ବର ଅଧିକାଂଶ ସମସ୍ୟାର ସମାଧାନ ହୋଇପାରନ୍ତା। କିନ୍ତୁ ଦୁଃଖର ବିଷୟ ଏବେ ଦେଶରେ ଲୋକମାନେ ସମାଧାନ ଖୋଜିବା ବଦଳରେ ସମସ୍ୟା ବଢ଼ାଇ ଚ‌ାଲିଛନ୍ତି। ଅତୀତରେ ଯେଉଁ ସବୁ କଥା ଦେଶକୁ ଯୋଡ଼ୁଥିଲା, ଏବେ ସେ ସବୁ ଦେଶକୁ ବିଭାଜନ କରିବାରେ ଲାଗିଛି। ଏଭଳି ସ୍ଥଳେ ପୁଣି ଥରେ ଆମେ ପୁରୁଣା ଭାବ, ବିଚାରଧାରା କଥା ଚିନ୍ତା କରିବା ଆରମ୍ଭ କଲେଣି। ଆଜି ‘ସମ୍ବାଦ ଭବନ’ ପରିସରରେ ଓଡ଼ିଶା ସାହିତ୍ୟ ଏକାଡେମିର ପୂର୍ବତନ ସଭାପତି ହୁସେନ ରବି ଗାନ୍ଧୀଙ୍କ କବିତା ପୁସ୍ତକ ‘ପୁନଶ୍ଚ ସାଲବେଗ’ ଉନ୍ମୋଚନ ଅବସରରେ ମୁଖ୍ୟଅତିଥି ଭ‌ାବେ ଯୋଗ ଦେଇ ଏହା କହିଛନ୍ତି ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ। ସେ ଆହୁରି କହିଛନ୍ତି ଏହି ପୁସ୍ତକ ଆମକୁ ସଚେତନ କରାଇ ଦେଉଛି। ଭକ୍ତ ସାଲବେଗଙ୍କୁ ପୁଣି ଭାବରେ ସ୍ମରଣ କରିବାର ସମୟ ଫେରି ଆସିଛି।

‘ପୁନଶ୍ଚ ସାଲବେଗ’ର ‌କବି ହୁସେନ ରବି ଗାନ୍ଧୀ ନିଜ ପୁସ୍ତକ ବିଷୟରେ ସମ୍ୟକ ଧାରଣା ଦେଇ କହିଲେ, କବିତା ମାଧ୍ୟମରେ ସେ ସମାଜର ସଂକୀର୍ଣ୍ଣତା ବିରୁଦ୍ଧରେ ସ୍ବର ଉତ୍ତୋଳନ କରିଛନ୍ତି। ଏଥିରେ ସେ ଭକ୍ତ ସାଲବେଗଙ୍କୁ ଜଣେ ଚରିତ୍ର ଭାବେ ଅବତାରଣା କରିଛନ୍ତି। ଆମେ ଧୀରେଧୀରେ ମହାପୁରୁଷମାନଙ୍କର ଭାବଧାରା, ଉଦ୍ଦେଶ୍ୟ, ବିଚାର, ଦର୍ଶନ, ବିଶ୍ବାସ ଓ ଆଦର୍ଶକୁ ଭୁଲିବାରେ ଲାଗିଛେ। କେବଳ ତାଙ୍କ କାହାଣୀ ଓ ଚରିତ୍ରକୁ ହିଁ ମନେ ରଖିଛୁ। ହେଲେ ‘ପୁନଶ୍ଚ ସାଲବେଗ’ ପୁସ୍ତକ ଜରିଆରେ ସେ ସାଲବେଗଙ୍କ ଭାବକୁ ପୁଣି ଜନାଭିମୁଖୀ କରିବାର ପ୍ରୟାସ କରିଛନ୍ତି ବୋଲି କହିଥିଲେ। ପ୍ରେମ ଓ ବିରହର କବିତା ଲେଖୁଥିବା କବିମାନେ ସମ୍ପୂର୍ଣ୍ଣ ନୁହନ୍ତି। ଯଦି କବିତା ମାଧ୍ୟମରେ ଆମେ ସାମାଜିକ ପ୍ରସଙ୍ଗ, ସଂକୀର୍ଣ୍ଣତା, ସାମ୍ପ୍ରତିକ ସମୟର ଆହ୍ବାନ ଓ ସମ ସମାଜ ଗଠନର ଉପାଦାନ ଯୋଗାଇ ନ ପାରିବା ତେବେ ଆମ ସୃଜନ ଅସମ୍ପୂର୍ଣ୍ଣ ବୋଲି ସେ କହିଥିଲେ।
‘ଆମ ଓଡ଼ିଶା’ର ସମ୍ପାଦକ ସ୍ବରାଜ ମିଶ୍ରଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ହିନ୍ଦୀ ସାହିତ୍ୟର ବ୍ୟଙ୍ଗ କବି ଆର୍‌ କେ ଶର୍ମା, ବ୍ୟଙ୍ଗକବି ଶାରଦା ମହାପାତ୍ର, କଥାକାର ତଥା ସାମ୍ବାଦିକ ପ୍ରଦୀପ ପଟ୍ଟନାୟକ, ଇଂରାଜୀ ଔପନ୍ୟାସିକ ଅଶୋକ ନନ୍ଦ ଓ କବି ହୁସେନ ରବି ଗାନ୍ଧୀଙ୍କ ପୁତ୍ର ରିଆନ୍‌ ପ୍ରମୁଖ ଉପସ୍ଥିତ ଥିଲେ। ଯୁବ ସାହିତ୍ୟିକ କ୍ଷେତ୍ରବାସୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର