ପୂଜା ମଣ୍ଡପରେ ଲୁଟେରା ସକ୍ରିୟ, ଦୁଇ ଦିନରେ ୧୫ବାଇକ୍ ଚୋରି

Robbers active in Puja Mandap, 15 bikes stolen in two days

ଭୁବନେଶ୍ବର: ଦୁର୍ଗା‌ପୂଜା ପାଇଁ ମଣ୍ଡପ ନିକଟରେ ମାଳମାଳ ପୁଲିସ। ଫୋକସ୍‌ରେ ଟ୍ରାଫିକ୍ ପରିଚାଳନା। କେମିତି ପୂଜା ମଣ୍ଡପ ନିକଟରେ ଭିଡ଼ ନ ହେବ, କମିସନରେଟ ପୁଲିସ ସେ ଦିଗରେ ଧ୍ୟାନ ଦେଉଛି। କିନ୍ତୁ ଏହା ଭିତରେ ବି ଲୁଟେରାମାନେ ଗଳିପଶି ଲୋକଙ୍କଠାରୁ ଲୁଟୁଛନ୍ତି। କାହାର ପକେଟମାର୍‌ କଲେଣି ତ ଆଉ କାହାର ଭ୍ୟାନିଟି କାଟି ଟଙ୍କା, ମୋବାଇଲ୍‌ ନେଇଗଲେଣି। ବାଇକ୍‌ ମଧ୍ୟ ଗାୟବ୍‌ କରିଦେଉଛନ୍ତି। ଗତ ଦୁଇ ଦିନ ମଧ୍ୟରେ ରାଜଧାନୀର ବିଭିନ୍ନ ପୂଜା ମଣ୍ଡପ ନିକଟରୁ ୧୫ରୁ ଅଧିକ ବାଇକ୍ ଓ ପାଖାପାଖି ୩୭ହଜାର ଟଙ୍କା ଲୁଟି ନେଇଛନ୍ତି ଲୁଟେରା। ଏନେଇ ବିଭିନ୍ନ ଥାନାରେ ମାମଲା ରୁଜୁ ହେବା ପରେ ପୁଲିସ ମଣ୍ଡପରେ ଲାଗିଥିବା ସିସି ଟିଭି କ୍ୟାମେରାର ଯାଞ୍ଚ ଆରମ୍ଭ କରିଛି।

ସୂଚନା ମିଳିଛି, ମଞ୍ଚେଶ୍ବର ଥାନା ଅଧୀନ ରସୁଲଗଡ଼ ପୂଜାମଣ୍ଡପ, ଲକ୍ଷ୍ମୀସାଗର ଥାନା ଅଧୀନ ଝାରପଡ଼ା ପୂଜାମଣ୍ଡପ, ସହିଦନଗର ଥାନା ଅଧୀନ ସହିଦନଗର ପୂଜାମଣ୍ଡପ ଓ ନୂଆପଲ୍ଲୀ ଥାନା ଅଧୀନ ନୂଆପଲ୍ଲୀ ପୂଜାମଣ୍ଡପର ନିକଟରୁ ଏଭଳି ଲୁଟପାଟ୍‌ ଓ ଚୋରି ହୋଇଥିବା ଖବର ଆସିଛି। ରସୁଲଗଡ଼ ପୂଜାମଣ୍ଡପ ନିକଟରେ ଲୁଟେରା ଅଧିକ ସକ୍ରିୟ ଅଛନ୍ତି। ବିଶେଷକରି, ବାଇକ୍ ଚୋରି ଓ ପକେଟମାର୍‌ ଭଳି ଘଟଣା ଏଠାରେ ଅଧିକ ଘଟୁଛି। ଦୁଇଦିନ ମଧ୍ୟରେ ଏଠା‌ରୁ ୩ଟି ବାଇକ୍ ଚୋରି ହୋଇଛି। ସେହିପରି ବିଭିନ୍ନ ପୂଜାମଣ୍ଡପ ନିକଟରୁ ମହିଳାମାନଙ୍କ ଭ୍ୟାନିଟି କାଟି ଟଙ୍କା ଓ ଦାମୀ ସାମଗ୍ରୀ ଲୁଟି ନେଇଛନ୍ତି। ପୁରୁଷମାନଙ୍କ ମଧ୍ୟ ପର୍ସ ଚୋରି ହୋଇଛି। ଥାନାରେ ହୋଇଥିବା ଅଭିଯୋଗ ଅନୁଯାୟୀ, ପାଖାପାଖି ୩୭ହଜାର ଟଙ୍କା ବିଭିନ୍ନ ପୂଜା ମଣ୍ଡପ ନିକଟରୁ ଚୋରି ହୋଇସାରିଲାଣି।

ସମ୍ବନ୍ଧିତ ଖବର