ପୃଥକ ମାମଲାରେ ୨ ଚୋର ଗିରଫ

ଖଣ୍ଡଗିରି : ପୃଥକ୍‌ ପୃଥକ୍‌ ଚୋରି ମାମଲାରେ ଶୁକ୍ରବାର ଖଣ୍ଡଗିରି ଥାନା ପୁଲିସ ୨ଜଣ ଯୁବକଙ୍କୁ ଗିରଫ କରିଛି। ସେମାନେ ହେଲେ, ବରବାରୀ ତପୋବନ ବସ୍ତିର ସନ୍ତୋଷ ସାହୁ(୨୩) ଓ ପୁରୀ ଜିଲ୍ଲା କଣାସ ଥାନା ବାଲିପାଟଣାର ଅମିତ କୁମାର ଦାସ(୧୯)। ସନ୍ତୋଷକୁ ବାଇକ୍‌ ଚୋରି ଓ ଅମିତକୁ ମୋବାଇଲ୍‌ ଚୋରି କରିବା ଅଭିଯୋଗରେ ଗିରଫ କରାଯାଇଛି। ଗତ ୨୫ ତାରିଖ ବିଳମ୍ବିତ ରାତିରେ ସନ୍ତୋଷ ସେହି ବସ୍ତିର ନନ୍ଦକିଶୋର ବେହେରାଙ୍କ ବାଇକ୍‌କୁ ତାଙ୍କ ଅଗଣାରୁ ଉଠାଇ ନେଇ ଅନ୍ୟ ଏକ ଘରେ ଲୁଚାଇ ରଖିଥିଲା। ସୁଯୋଗ ଦେଖି ସେ ବାଇକ୍‌କୁ ଭୁବ‌ନେଶ୍ବର ବାହାରକୁ ପଠାଇ ବିକ୍ରି କରିଥାଆନ୍ତା। ମାତ୍ର ଅଭିଯୋଗ ପାଇବା ପରେ ପୁଲିସ ଛାନ୍‌ଭିନ୍ କରି ସନ୍ତୋଷ ବାବଦରେ ସୁରାକ୍ ପାଇଥିଲା। ତାକୁ ଥାନା‌ରେ ପଚରାଉଚରା କରିବାରୁ ସନ୍ତୋଷ ସତ ମାନି ଯାଇଥିଲା। ଲୁଚାଇ ରଖିଥିବା ସ୍ଥାନରୁ ବାଇକ୍‌ ଆଣି ପୁଲିସ ଜିମା ଦେଇଥିଲା। ସେହିଭଳି ଆଜି ସକାଳେ ଅମିତ୍ ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ଜଣେ ବସ୍ କଣ୍ଡକ୍ଟରଙ୍କ ମୋବାଇଲ୍‌ ଲୁଟି ପଳାଉଥିଲା। ମହାବୀର ବସ୍‌ର କଣ୍ଡକ୍ଟର୍‌ ତାପସ ପଟେଲ ଏ ନେଇ ସ୍ଥାନୀୟ ଫାଣ୍ଡିରେ ଅଭିଯୋଗ କରିବା ପରେ ଅମିତ୍ ଧରାପଡ଼ିଥିଲା। ପୁଲିସ ତା’ ନିକଟରୁ ତାପସଙ୍କ ମୋବାଇଲ୍‌ ଜବତ କରିଥିଲା।

୨ ଚୋରଙ୍କୁ ନିର୍ଧୁମ ଛେଚି ପୁଲିସ୍ ଜିମାଦେଲେ
ଚନ୍ଦ୍ରଶେଖରପୁର : ନୀଳାଦ୍ରିବିହାର ଈଶାନେଶ୍ବର ବସ୍ତିରେ ଥିବା ଏକ ଦୋକାନର କବାଟ ତାଲା ଭାଙ୍ଗି ଲୁଟ୍ ଉଦ୍ୟମ କରୁଥିବା ୨ ଯୁବକଙ୍କୁ ବସ୍ତିବାସୀ ନିର୍ଧୁମ୍‌ ଛେଚି ପୁଲିସ ଜିମା ଦେଇଛନ୍ତି। ପୁଲିସ ସେମାନଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି। ଏହି ଅଭିଯୁକ୍ତଦ୍ବୟଙ୍କ ନାମରେ ପୂର୍ବରୁ ଆଉ ଦୁଇଟି ଚୋରି ଅଭିଯୋଗ ରହିଥିବା ଜଣାଯାଇଛି। ଦୋକାନରେ ଲାଗିଥିବା ସିସିଟିଭି ଫୁଟେଜ୍‌ ଦେଖି ଦୋକାନୀଜଣଙ୍କ ଅଭିଯୁକ୍ତଦ୍ବୟଙ୍କୁ କାବୁ କରିଥିଲେ। ସୂଚନା ଅନୁଯାୟୀ, ଆଜି ମଧ୍ୟାହ୍ନରେ ଭରତ ଚନ୍ଦ୍ର ଆଦକ୍‌ଙ୍କ ତେଜରାତି ଦୋକାନ ତାଲା ଭାଙ୍ଗି ଦୁଇ ଲୁଟେରା କ୍ୟାସ୍ କାଉଣ୍ଟ୍‌ରରୁ ୩ ହଜାର ଟଙ୍କା ଚୋରି ଅନ୍ୟ ଜିନିଷ ନେଉଥିଲେ। ଘରେ ଲାଗିଥିବା ସିସିଟିଭି କ୍ୟାମେରାର ମନିଟର୍ ଦେଖି ଭରତ ଦୋକାନ ନିକଟକୁ ଚାଲି ଆସି ବାହାର ପଟୁ ଉଭୟଙ୍କୁ ବନ୍ଦ କରି ଦେଇଥି‌ଲେ।

ସମ୍ବନ୍ଧିତ ଖବର