ପ୍ରଜ୍ଞାପ୍ରଭା ମିସନ୍‌ର ପ୍ରତିଷ୍ଠା ଦିବସ: ମଣିଷ ଏକାତ୍ମତାର ମନ୍ତ୍ରରେ ଅଭିମନ୍ତ୍ରିତ ହେଉ

ଭୁବନେଶ୍ବର : ଗଣ୍ଡମୁଣ୍ଡାସ୍ଥିତ ବିବେକାନନ୍ଦ କେନ୍ଦ୍ରଠାରେ ଜ୍ଞାନପ୍ରଭା ମିସନ୍‌ର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ରାଜ୍ୟପାଳ ପ୍ରଫେସର୍‌ ଗଣେଶୀ ଲାଲ ଓ ଶ୍ରୀଗୁରୁଜୀ ପରମହଂସ ପ୍ରଜ୍ଞାନାନନ୍ଦ ମହାରାଜ ପ୍ରଦୀପ ପ୍ରଜ୍ଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଶ୍ରୀଗୁରୁଜୀ କହିଲେ, ଅନନ୍ତ ଶକ୍ତିର ଆଧାର ମାନବ ସମାଜକୁ ସୃଷ୍ଟିର ରକ୍ଷା ଓ ସେବା ପାଇଁ ଗର୍ବ, ଅହଂକାର, ଈର୍ଷା, ସ୍ବାର୍ଥପରତା ଓ ସଂକୀର୍ଣ୍ଣତା ତ୍ୟାଗ କରି ଏକାତ୍ମତା ମନ୍ତ୍ରରେ ଅଭିମନ୍ତ୍ରିତ ହେବାକୁ ପଡ଼ିବ। ମା’ମାନଙ୍କର ଦକ୍ଷତା ଅଛି ଓ ମା’ମାନେ ଏକତ୍ରିତ ହେଲେ ଯନ୍ତ୍ରଣା ଜର୍ଜରିତ ଏ ବିଶ୍ବରୁ ଦୁଃଖ ଦୂର ହେବ ବୋଲି ଶ୍ରୀଗୁରୁଜୀ ଆଶା‌ପୋଷଣ କରିଥିଲେ।

ରାଜ୍ୟପାଳ ଶ୍ରୀ ଲାଲ କହିଲେ, ମାନବିକତାର ଦ୍ରୁତ ଅବକ୍ଷୟ ଓ ପ୍ରକୃତିର କଣ୍ଠରୋଧ ରୋକିବାକୁ ହେଲେ ଆମକୁ ବସ୍ତୁବାଦୀ ମୋହଜାଲରୁ ଊର୍ଧ୍ବକୁ ଉଠି ଅତିମାନସ ଚେତନାରେ ପ୍ରତିଷ୍ଠିତ ହେବାକୁ ପଡ଼ିବ। ଯେଉଁ ମାଟିରେ ଫ୍ରାନ୍ସର କନ୍ୟା ଆଲ୍‌ଫାସା ‘ଶ୍ରୀ ମା’ରେ ପରିଣତ ହୋଇପାରିଥିଲେ ଓ ମାର୍ଗାରେଟ୍‌ ନୋବେଲ ଭଗିନୀ ନିବେଦିତାରେ ପରିଣତ ହୋଇପାରିଥିଲେ, ତାଙ୍କର ପ୍ରତିରୂପ ମାତୃଶକ୍ତିକୁ ବନ୍ଦନ, ଅର୍ଚନ ଓ ନମନ କୁରଛି ବୋଲି ରାଜ୍ୟପାଳ କହିଥିଲେ।

କାର୍ଯ୍ୟକ୍ରମରେ ‘ପ୍ରଜ୍ଞାନ ମିସନ୍‌’ର ବରିଷ୍ଠ ସନ୍ନ୍ୟାସୀ ସ୍ବାମୀ ସମର୍ପଣାନନ୍ଦ ଗିରି, ଜ୍ଞାନପ୍ରଭା ମିସନ୍‌ର ଅଧ୍ୟକ୍ଷା ଜ୍ୟୋତିର୍ମୟୀ ମିଶ୍ର, ଡ. ଜୟନ୍ତୀ ରଥ ଓ ବିଶିଷ୍ଟ ସାହିତ୍ୟିକା ରୁମଝୁମ୍‌ ନାୟକ ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ। ମିସନ୍‌ର ଉପାଧ୍ୟକ୍ଷା ସ୍ବାମୀ ଜ୍ଞାନରୂପାନନ୍ଦ ଗିରି ବାର୍ଷିକ ବିବରଣୀ ପାଠ କରିଥିଲେ। ସଂପାଦିକା ସ୍ବାମୀ ଶାରଦାନନ୍ଦ ଗିରି ମଞ୍ଚ ପରିଚାଳନା କରିଥିଲେ ଏବଂ ଗୀତାଞ୍ଜଳି ନାୟକ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର