ପ୍ରଥମ କରୋନା ରୋଗୀଙ୍କ ଚିକିତ୍ସା ଅନୁଭୂତି କହିଲେ ସ୍ବର୍ଣ୍ଣପ୍ରଭା ‘ଭାଙ୍ଗି ପଡ଼ିଥିଲୁ, ଯୋଦ୍ଧା ଭାବେ ଲଢ଼ୁଛୁ’

The first corona patient's medical experience

ଭୁବନେଶ୍ବର: ଆଜି ଥିଲା ଅନ୍ତର୍ଜାତୀୟ ସେବିକା ଦିବସ। ଆଜିର କୋଭିଡ ଯୁଦ୍ଧରେ ଡାକ୍ତରଙ୍କ ସହିତ ନର୍ସ (ସେବିକା) ଆଗଧାଡ଼ିରେ ଲଢ଼ୁଛନ୍ତି। ଏହି ପରିପ୍ରେକ୍ଷୀରେ ରାଜ୍ୟର ପ୍ରଥମ କରୋନା ଆକ୍ରାନ୍ତଙ୍କୁ ଚିକିତ୍ସା କରିଥିବା କ୍ୟାପିଟାଲ ହସ୍ପିଟାଲର ସେବିକା ସ୍ବର୍ଣ୍ଣପ୍ରଭା ନାୟକ ଆଜି ନିଜର ଅନୁଭୂତି ବଖାଣିଛନ୍ତି। ସ୍ବର୍ଣ୍ଣପ୍ରଭା କହିଥିଲେ ଯେ, ରାଜ୍ୟରେ ଯେତେବେଳେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ସେ ସମୟରେ ହସ୍ପିଟାଲରେ କୋଭିଡ ପାଇଁ ନିୟୋଜିତ ହୋଇଥିବା ସେବିକାମାନଙ୍କ ଆଖିରେ ଲୁହ ଭରି ଯାଇଥିଲା। କିଛି ସମୟ ପାଇଁ ସମସ୍ତେ ଭାଙ୍ଗି ପଡ଼ିଥିଲୁ। ମାତ୍ର ଏହାକୁ ପଛରେ ପକାଇ କରୋନା ଯୋଦ୍ଧା ହିସାବରେ ଆମେ ଆଗେଇ ଆସିଥିଲୁ। କରୋନା ଭଳି ଏକ ମହାମାରୀ ସମୟରେ ରାଜ୍ୟ ତଥା ଦେଶ ସେବିକାମାନଙ୍କ ଆବଶ୍ୟକତା ଅନୁଭବ କରୁଥିବା ବେଳେ ଆମେ ଭାଙ୍ଗି ପଡ଼ିଲେ ଲୋକମାନେ କ’ଣ କରିବେ ତାହା ମନକୁ ଆସିଥିଲା। ତେଣୁ ହୃଦୟକୁ ଦୃଢ଼ କରି ରୋଗୀଙ୍କ ସେବା କରିବା ପାଇଁ ଆଗେଇ ଆସିଥିଲୁ ‌ବୋଲି ସେ କହିଥିଲେ। କରୋନାର ମୁକାବିଲା ପାଇଁ ସ୍ବର୍ଣ୍ଣପ୍ରଭା କହିଥିଲେ ଯେ, ଲୋକମାନେ ଘରେ ରହିବା ସହିତ ମାସ୍କ ଓ ଗ୍ଲୋବ୍‌ସ ପିନ୍ଧିବା, ସାମାଜିକ ଦୂରତ୍ବ ବଜାୟ ରଖିବା ସହିତ ଲକ୍‌ଡାଉନ ନିୟମ ପାଳନ କରନ୍ତୁ। କୋଭିଡ ଲଢ଼େଇ ପାଇଁ ଘରକୁ ଯିବା ସମ୍ଭବ ହେଉନାହିଁ, ଏକୁଟିଆ ରହିବାକୁ ପଡ଼ୁଛି। ସମସ୍ତଙ୍କ ସହଯୋଗରେ ଆମେ କରୋନାକୁ ହରାଇ ପାରିବା।

କ୍ୟାପିଟାଲ ହସ୍ପିଟାଲରେ କର୍କଟ ରୋଗର ପୀଡ଼ିତ ଜଣେ ଆକ୍ରାନ୍ତ ବ୍ୟକ୍ତିଙ୍କ ସଂପର୍କରେ ମଧ୍ୟ ନିଜର ଅନୁଭୂତି ବଖାଣିଥିଲେ ସ୍ବର୍ଣ୍ଣପ୍ରଭା। କହିଥି‌ଲେ, କର୍କଟ ରୋଗରେ ପୀଡ଼ିତ ସଂପୃକ୍ତ ବ୍ୟକ୍ତି ଜଣକ ଜାଣିଥିଲେ ଯେ, ତାଙ୍କର ମୃତ୍ୟୁ ସୁନିଶ୍ଚିତ। ମାତ୍ର ପ୍ରତ୍ୟେକ ଦିନ ତାଙ୍କର ଚିକିତ୍ସା କରିବା ପାଇଁ ଯିବା ସମୟରେ ‌ସଂପୃକ୍ତ ବ୍ୟକ୍ତିଙ୍କୁ ପୁଣିଥରେ ଜୀବନ ଜୀଇଁବାର ଆଶ୍ବାସନା ଦେଉଥିଲେ। ଏହାର ପ୍ରତି ବଦଳରେ ବ୍ୟକ୍ତି ଜଣକ ଆଶୀର୍ବାଦ ଢାଳି ଦେଉଥିଲେ, ଯାହାକୁ କୌଣସି ଟଙ୍କାରେ କିଣି ହେବ ନାହିଁ। ସଂପୃକ୍ତ ବ୍ୟକ୍ତି ଏବେ ଦୁନିଆରେ ନାହାନ୍ତି ସତ, ହେଲେ ତାଙ୍କର କଥା ଆମ ହୃଦୟରେ ଏବେ ବି ରହିଛି। ଚିକିତ୍ସା ସମୟରେ ତାଙ୍କୁ ମିଳିଥିବା ସେବା ମଧ୍ୟ ତାଙ୍କ ପରିବାର ମନେ ରଖିଛନ୍ତି। ସେ ଆହୁରି ମଧ୍ୟ କହିଥିଲେ ଯେ, ତାଙ୍କ ପ୍ରେରଣାର ଉତ୍ସ ହେଉଛନ୍ତି ତାଙ୍କ ବାପା ଓ ମା’। ତାଙ୍କର ଆଶୀର୍ବାଦ ଯୋଗୁଁ ଜୀବନରେ ଏହି ସଫଳତା ପାଇପାରିଛି। ବାପା ସବୁବେଳେ କହୁଥିଲେ, ସବୁବେଳେ ଦେଶ ପାଇଁ ଲଢ଼। ଦେଶ ବଞ୍ଚିଲେ ଆମେ ବଞ୍ଚିବା। ଛୋଟବେଳୁ ସେବା କରିବାର ମନୋବୃତ୍ତି ଥିଲା। ଦୁନିଆରେ ଯେତେ ବୃତ୍ତି ରହିଛି ନର୍ସିଂ ହେଉଛି ଶ୍ରେଷ୍ଠ। ଅନ୍ୟ ବୃତ୍ତିରେ କେବଳ ପାରିଶ୍ରମିକ ମିଳିପାରିବ, ମାତ୍ର ନର୍ସିଂରେ ପାରିଶ୍ରମିକ ସହ ପୂଣ୍ୟ ଅର୍ଜନ କରିବାର ସୁଯୋଗ ମିଳୁପାରୁଛି। ଲୋକଙ୍କ ହୃଦୟକୁ ଜିଣିବାର ସୁଯୋଗ ଦେଇଥିଲେ ନର୍ସିଂ ବୃତ୍ତି ବୋଲି ସ୍ବର୍ଣ୍ଣପ୍ରଭା କହିଥିଲେ।

ସମ୍ବନ୍ଧିତ ଖବର